
ସିଡ୍ନୀ: ଟି-୨୦ ପରି ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆଠାରୁ ୩୪ ରନ୍ରେ ପରାସ୍ତ ହୋଇଛି। ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ିଦେଲେ ଆଉ କୌଣସି ଭାରତୀୟ ବ୍ୟାଟସ୍ମ୍ୟାନ୍ କଙ୍ଗାରୁ ଟିମ୍ର ବୋଲରଙ୍କୁ ମୁକାବିଲା କରିପାରି ନାହାନ୍ତି। ରୋହିତ ୧୩୩ ରନ୍ର ଇନିଂସ୍ ଖେଳିଥିଲେ ହେଁ ଏହା ଭାରତକୁ ବିଜୟୀ କରିବାରେ ସକ୍ଷମ ହୋଇନଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୨୮୮ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୫୦ ଓଭର୍ରେ ୯ ୱିକେଟ୍ ହରାଇ ମାତ୍ର ୨୫୪ ରନ୍ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଜେ ରିଚାର୍ଡସନ୍ ୨୬ ରନ୍ ଦେଇ ୪ଟି ୱିକେଟ୍ ଦଖଲ କରିଛନ୍ତି।
ଅଷ୍ଟ୍ରେଲିଆ ଦେଇଥିବା ୨୮୯ ରନ୍ ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୪ ଓଭର୍ରେ ୪ ରନ୍ରେ ୩ଟି ୱିକେଟ୍ ହରାଇଥିଲା। ଶିଖର ଧୱନ ଓ ଅମ୍ବାତି ରାୟୁଡୁ ଖାତା ଖୋଲି ପାରି ନଥିବା ବେଳେ ଅଧିନାୟକ ବିରାଟ୍ କୋହଲି ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ତେବେ ୪ର୍ଥ ୱିକେଟ୍ ପାଇଁ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ୧୩୭ ରନ୍ର ଭାଗିଦାରୀ କରି ସ୍ଥିତି ସମ୍ଭାଳିଥିଲେ। ତେବେ ୫୧ ରନ୍ କରିଥିବା ଧୋନିଙ୍କୁ ଜାସ୍ନ୍ ବେହରନ୍ଡ୍ରଫ୍ ଆଉଟ୍ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଧୋନି ଆଉଟ୍ ହୋଇଯାଇଥିଲେ ହେଁ ରୋହିତଙ୍କ ବ୍ୟାଟ୍ ଥମି ନଥିଲା। ସେ ଶତକ ହାସଲ କରିବା ସହ ଦଳର ସ୍କୋରକୁ ଆଗକୁ ନେଇଥିଲେ। ରୋହିତ ଗୋଟିଏ ପଟେ ବଡ଼ ଶଟ୍ ଖେଳୁଥିଲେ ହେଁ ଦୀନେଶ କାର୍ତ୍ତିକ(୧୨) ଓ ରବୀନ୍ଦ୍ର ଜାଡ଼େଜା(୮)ଙ୍କୁ ରିଚାର୍ଡସନ୍ ଆଉଟ୍ କରି ଚାପ ସୃଷ୍ଟି କରିଥିଲେ। ଶେଷରେ ବଡ଼ ଶଟ୍ ଖେଳିବା ଆଶାରେ ରୋହିତ ଶର୍ମା ୧୩୩ ରନ୍ କରି ଷ୍ଟୋଇନିସ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଶେଷ ଆଡ଼କୁ ଭୁବନେଶ୍ୱର କୁମାର ଖୋଲା ଶଟ୍ ମାରିଥିଲେ ହେଁ ବିଜୟର ମୁଣ୍ଡି ମାରିପାରି ନଥିଲେ। ଭାରତ ଶେଷରେ ୩୪ ରନ୍ରେ ପରାସ୍ତ ହୋଇ ୩ ଟିକିଆ ସିରିଜ୍ରେ ୧-୦ରେ ପଛୁଆ ହୋଇଯାଇଛି।
from Odisha Reporter http://bit.ly/2SVCRzf
No comments:
Post a Comment