
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଯୁକ୍ତି ବିଦ୍ୟାର ଭବିଷ୍ୟତ କୁହାଯାଉଥିବା ଲୋକପ୍ରିୟ ପୁସ୍ତକ “ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ”ର ଲେଖକ ସାଗର ପ୍ରଧାନଙ୍କୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ତାଙ୍କର ଅନୁସନ୍ଧାନ ଓ ଅଭିଜ୍ଞତାକୁ ଉପଯୋଗ କରି, ସେ ଉଚ୍ଚସ୍ତରୀୟ ଗବେଷଣାତ୍ମକ ସନ୍ଦର୍ଭ ଲେଖୁଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି। ସାଗରଙ୍କ ରଚିତ ଏହି ପୁସ୍ତକଟି ଏବେ ଖାଲି ଆମ ରାଜ୍ୟ ବା ଦେଶରେ ନୁହେଁ ବିଦେଶରେ ମଧ୍ୟ ଆଦୃତ ହୋଇପାରିଛି।
୨୭ ବର୍ଷୀୟ ସାଗର ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ୍ ଅନ୍ତର୍ଗତ ଅଢ଼ଙ୍ଗା ମଲ୍ଲିକେଶ୍ୱରପୁର ଗ୍ରାମର ଅଧିବାସୀ। ସେ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଓ ଏମବିଏ କରିଛନ୍ତି। ଏବେ ସେ ବେଙ୍ଗାଲୁରୁସ୍ଥିତ ଏକ ଆମେରିକୀୟ କମ୍ପାନୀ (Cognizant)ରେ ବରିଷ୍ଠ ସଫ୍ଟଓୟାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଏହାପୂର୍ବରୁ ସେ ‘ଇନ୍ଫୋସିସ୍’, ‘ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ’ ଏବଂ ‘କମ୍ପୁଟର୍ ଆପ୍ଲିକେସନ୍ ସେଣ୍ଟର’ ଭଳି ପ୍ରତିଷ୍ଠିତ ସଂସ୍ଥାମାନଙ୍କରେ ବରିଷ୍ଠ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଅନେକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥାର ସଦସ୍ୟ ଅଛନ୍ତି। ଇଉରୋପର ‘ଆଇଓଟି କାଉନସିଲ’, ହଂକଂର ଅନ୍ତରାଷ୍ଟ୍ରୀୟ ଇଞ୍ଜିନିୟର ସଂଘ ଓ ଆଇ.ଏ.ଇ.ଏନ୍.ଜି. ସୋସାଇଟି ଅଫ୍ କମ୍ପ୍ୟୁଟର ସାଇଣ୍ଟିଷ୍ଟସ, ଆମେରିକାର ଓରସିଡ୍, ରିସର୍ଚ୍ଚଗେଟ୍ ଏବଂ ଏକାଡ଼େମୀୟାର ସଦସ୍ୟ ଅଛନ୍ତି। ସେ ପୂର୍ବରୁ ଏଆଇଏସଇସି, ଆଇଆଇଟି ଖଡ଼ଗପୁରରେ ସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ବିଭିନ୍ନ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପତ୍ରିକାରେ ତାଙ୍କର ୨୭ଟି ଅନୁସନ୍ଧାନମୂଳକ ସନ୍ଦର୍ଭ ପ୍ରକାଶ ପାଇଥିବାବେଳେ ତିନୋଟି ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି।

ତାଙ୍କ ଚର୍ଚ୍ଚିତ ପୁସ୍ତକ ‘ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ’ରେ ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ବିଭିନ୍ନ ବସ୍ତୁଗୁଡ଼ିକୁ କଣ୍ଟ୍ରୋଲ ପ୍ରୋଗ୍ରାମ, ଆକୁଟର୍ ଓ ସେନ୍ସର୍ ସାହାଯ୍ୟରେ ଇଣ୍ଟରନେଟ୍ ଦ୍ଵାରା ସଂଯୁକ୍ତ କରାଯିବା ସହ ଡାଟା ଏକ୍ସଚେଞ୍ଜ ଦ୍ୱାରା କୃଷି, ସ୍ଵାସ୍ଥ୍ୟସେବା, ପ୍ରଦ୍ୟୁଷଣ ନିୟନ୍ତ୍ରଣ, ସଡ଼କ ନିୟନ୍ତ୍ରଣ, ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ, ଯୋଗାଣ ସେବା ଇତ୍ୟାଦିକୁ ଇଣ୍ଟରନେଟ୍ ମାଧ୍ୟମରେ ସ୍ଵୟଂଚାଳିତ କରାଇବାର ବିଷୟବସ୍ତୁ ବର୍ଣ୍ଣନା ହୋଇଛି।
ଏକବିଂଶ ଶତାବ୍ଦୀର ଏକ ପ୍ରମୁଖ ଉଦ୍ଭାବନ ହେଉଛି ‘ଆଇ.ଓ.ଟି’ ବା ‘ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ’। ଏକ ରିପୋର୍ଟ ଅନୁସାରେ, ଆଗାମୀ ୨୦୨୫ ସୁଦ୍ଧା ବିଶ୍ଵ ଅର୍ଥନୀତିରେ ‘ଆଇ.ଓ.ଟି’ର ଯୋଗଦାନ ପାଖାପାଖି ୧୧ ଟ୍ରିଲିୟନ ଆମେରିକୀୟ ଡଲାର ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ କର୍ମନିଯୁକ୍ତି ମିଳିପାରିବ। ଦିନକୁଦିନ ଏହି ଆଇଓଟିର ଆବଶ୍ୟକତା ଓ ଗୁରୁତ୍ୱ ବଢ଼ୁଥିବା ବେଳେ, ଚଳିତବର୍ଷ ଦେଶ ତଥା ବିଦେଶର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ସହ ଆମ ରାଜ୍ୟର ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ, କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏହି ଆଇଓଟିକୁ ପାଠ୍ୟକ୍ରମରେ ସ୍ଥାନିତ କରାଯାଇଛି।

ମିଳିତ ଜାତିସଂଘର ଏକ ସର୍ଭେ ରିପୋର୍ଟ ଅନୁସାରେ ୨୦୫୦ ମସିହା ସୁଦ୍ଧା ପୃଥିବୀର ସହରାଞ୍ଚଳର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବା ସହ ଦ୍ୱିଗୁଣିତ ହେବାର ସମ୍ଭାବନା ଅଛି। ଯେହେତୁ ଜନସଂଖ୍ୟା ବୃଦ୍ଧି ପାଇବ ତେଣୁ ମାତ୍ରାଧିକ ଜନସଂଖ୍ୟା ଦ୍ୱାରା ଉପୁଜୁଥିବା ସମସ୍ୟା ମଧ୍ୟ ବୃଦ୍ଧିପାଇବ। ଯେମିତିକି ଟ୍ରାଫିକ୍ ସମସ୍ୟା, ପାର୍କିଂ ସମସ୍ୟା, ପ୍ରଦୂଷଣ ସମସ୍ୟା, ପରିବହନ ସମସ୍ୟା, ଅପରାଧ ନିୟନ୍ତ୍ରଣ, ସର୍ବସାଧାରଣ ଶୌଚାଳୟ ଖୋଜି ପାଇବା ସମସ୍ୟା ଇତ୍ୟାଦି। ତେବେ ଏସବୁ ସମସ୍ୟାର ସମାଧାନ ସମ୍ଭବ ଓ ଏହା କେବଳ ‘ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ’ ବା ‘ଆଇଓଟି’ ସାହାଯ୍ୟରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ସାଗର।
from Odisha Reporter http://bit.ly/2Fpmt6J
No comments:
Post a Comment