
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ସଭାରେ ବିରୋଧୀଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ହେଲେ ମୋଦି ତାଙ୍କ ଭାଷଣରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ନାଁ ଉଲ୍ଲେଖ କରିବାକୁ ଭୁଲିଯାଇଥିଲେ। ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଇଁ ଗଣମାଧ୍ୟମ ଜରିଆରେ କିଛି ଦାବି ରଖିଥିଲେ। ଏ ସମ୍ପର୍କରେ ଜାଣିପାରି ମୋଦି ହୁଏତ ମୋ ନାଁ ଭୁଲି ଯାଇଥିଲେ ବୋଲି କହିଛନ୍ତି ନରସିଂହ।
ସେ କହିଛନ୍ତି-“ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍ ନେହରୁ ଓଡ଼ିଶା ଆସିଥିବା ବେଳେ ହୀରାକୁଦ ଡ୍ୟାମ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଓ ପାରାଦୀପ ବନ୍ଦର ଦେଇଥିଲେ। କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବାରମ୍ୱାର ଓଡ଼ିଶା ଆସୁଛନ୍ତି। ସେ ଓଡ଼ିଶାକୁ କଣ ଦେଇଛନ୍ତି? ୧୫ କିମି ରେଲୱେ ଲାଇନ୍, ପାସ୍ପୋର୍ଟ ଅଫିସ୍ ଓ ମନ୍ଦିରର ରକ୍ଷଣାବେକ୍ଷଣାର ପ୍ରତିଶ୍ରୁତି ଦେଉଛନ୍ତି ମୋଦି। ଏଥିରୁ ପ୍ରମାଣିତ ହେଉଛି, ପ୍ରଧାନମନ୍ତ୍ରୀ କେତେ ଦକ୍ଷ ଓ କିଭଳି ଭାବେ ଲୋକଙ୍କ କଥା ଚିନ୍ତା କରୁଛନ୍ତି?”
ସେ କହିଛନ୍ତି-“ବଲାଙ୍ଗିର ଜିଲ୍ଲାରେ ଜଳସେଚନ ପାଇଁ ମୋଦି କଣ କରିଛନ୍ତି? ତାହା ଆଜି କଲେନି। ଗରିବ ଲୋକଙ୍କ ଜନକଲ୍ୟାଣ ପାଇଁ ମୋଦି କୌଣସି ପଦକ୍ଷେପ ନେଇନାହାନ୍ତି। ଯେତେବେଳେ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ପରବର୍ତ୍ତୀ ସମୟରେ ତାହାକୁ ଭାଙ୍ଗିଛନ୍ତି। ଦେଶରେ ଖାଦ୍ୟ ସୁରକ୍ଷା ଆଇନ୍ କିଏ କରିଥିଲେ? କଂଗ୍ରେସ କ୍ଷମତାରେ ଥିବା ବେଳେ ହୋଇଥିଲା ନା ବିଜେପି କରିଥିଲା। ଏ ସମ୍ପର୍କରେ ଯଦି ପ୍ରଧାନମନ୍ତ୍ରୀ ଜାଣିନାହାନ୍ତି, ତାହାଠାରୁ କ୍ଷୋଭର ବିଷୟ ଆଉ କିଛି ନାହିଁ।”
ଶ୍ରୀ ମିଶ୍ର କହିଛନ୍ତି-“ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗିରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ନୈରାଶ୍ୟଜନକ ଥିଲା। ୨୦୧୯ ସାଧାରଣ ନିର୍ବାଚନ ପାଇଁ ସେ ଭୟଭୀତ ଥିବା ତାଙ୍କ ଚେହେରା ଓ ବକ୍ତବ୍ୟରୁ ଜଣାପଡ଼ୁଥିଲା। ବୋଧହୁଏ ବିପର୍ଯ୍ୟୟର କିଛି ଖବର ତାଙ୍କ ପାଖରେ ପହଞ୍ଚିଛି। ସେଥିପାଇଁ ସେ ବାଉଳା ହୋଇ ଯାହା ପାରୁଛନ୍ତି କହି ପକାଉଛନ୍ତି, ତାହାର ଅର୍ଥ କିଛି ବୁଝା ପଡ଼ୁନାହିଁ।”
ସେ କହିଛନ୍ତି-“ବଲାଙ୍ଗିର ହେଉଛି ରାଜ୍ୟର ସବୁଠାରୁ ଅନୁନ୍ନତ ଜିଲ୍ଲା। ଏହି ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ ଆମେ ଗଣମାଧ୍ୟମରେ ଜରିଆରେ ଦାବି କରିଥିଲୁ। ଏଠାରେ ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନ, ବାଇପାସ୍ ରାସ୍ତା ତିଆରି, କଣ୍ଟାବାଞ୍ଜିରେ ରେଲୱେ ୱାଗନ୍ ଫ୍ୟାକ୍ଟ୍ରି ପରି ବହୁ ଦାବି ରଖିଥିଲୁ। ତାହାର ଗୋଟିଏ ବି ଉତ୍ତର ଦେଲେ ନାହିଁ ମୋଦି। ବୋଧହୁଏ ତାଙ୍କ ପାଖରେ ଖବର ପହଞ୍ଚିଯାଇଥିଲା ଯେ, ବିରୋଧୀ ଦଳ ନେତା କିଛି ଦାବି ରଖିଛନ୍ତି, ସେଥିପାଇଁ ହୁଏତ ସରକାରୀ କାର୍ଯ୍ୟକ୍ରମରେ ମୋତେ ସମ୍ୱୋଧନ କରିବା ପାଇଁ ସେ ଭୁଲି ଯାଇଥିଲେ।”
from Odisha Reporter http://bit.ly/2Fyu3v7
No comments:
Post a Comment