
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବି ଏହି ଝଡ଼ ଥମିବାର ନା ନେଉନାହିଁ। ଚାପରେ ପଡ଼ି ମହାରଥୀ ଇସ୍ତଫା ଦେଲେ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିବା ସହ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ୍ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି ସିବିଆଇ ତଦନ୍ତ କରାଯିବା ସହ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଛି।
ଗତକାଲି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ମହାରଥୀ କହିଥିଲେ, “ଚାପରେ ନୁହେଁ, ନିଜ ଆଡୁ ଇସ୍ତଫା ଦେଇଛି। ମୁଁ ବିଜୁ ଜନତା ଦଳର ଜଣେ ସଚ୍ଚୋଟ କର୍ମୀ। ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ଦଳ ଉପରେ ଚାପ ନପଡୁ, ତେଣୁ ନିଜ ଆଡୁ ଇସ୍ତଫା ଦେଲି।”
ହେଲେ ଯେଉଁ ଚାପରୁ ଦଳ ଓ ସରକାରକୁ ବଞ୍ଚାଇବାକୁ ସେ ଇସ୍ତଫା ଦେଲେ, ଏବେ ତାହା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। କୁହାଯାଉଛି ନବୀନଙ୍କ ଭାବମୂର୍ତ୍ତି ତଥା ମହିଳା ଭୋଟବ୍ୟାଙ୍କ୍ ପ୍ରଭାବିତ ହେବା, ବିରୋଧୀ କଂଗ୍ରେସ୍ ଓ ବିଜେପିର ଘନଘନ ଆକ୍ରମଣ ଏବଂ ଖୋଦ୍ ପ୍ରଧାନମନ୍ତ୍ରୀ ପିପିଲି ପୀଡ଼ିତାଙ୍କ ପ୍ରସଙ୍ଗ ଉଠାଇବା ପରେ ମହାରଥୀଙ୍କୁ ପଦ ହରାଇବାକୁ ପଡ଼ିଲା।
ହେଲେ ବିରୋଧୀ ଏବେ ବି ସନ୍ତୁଷ୍ଟ ନାହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି କଂଗ୍ରେସ। ଶାସକ ଦଳ ପ୍ରରୋଚନାରେ ସାକ୍ଷୀ ଖଞ୍ଜା ଯାଇଥିବା ଅଭିଯୋଗ ଆଣିବା ପରେ ପି.କେ. ମହାନ୍ତି କମିଶନ୍ ରିପୋର୍ଟକୁ ସାର୍ବଜନୀନ କରିବା, ମାମଲାର ସାନି ତଦନ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି ଦଳ। ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, “ପ୍ରଥମେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଜଷ୍ଟିସ୍ ପି.କେ. ମହାନ୍ତି କମିଶନ୍ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରନ୍ତୁ ଓ ତାଙ୍କ ସୁପାରିସ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।”
ବିଜେପି ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ, ନିଜର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ନବୀନ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ପ୍ରକୃତରେ ଚାହୁଁଛନ୍ତି, ପିପିଲି ପୀଡ଼ିତା ନ୍ୟାୟ ପାଉ, ତେବେ ହାତକାଟି ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ। ଓଡ଼ିଶାବାସୀ ଓ ରାଜ୍ୟର ମହିଳାଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିବା ବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରକାର କଂଗ୍ରେସକୁ ତା’ର ଇତିହାସ ଖୋଲିବ କହି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆଲୋ ସଖୀ, ଆପଣା ମହତ ଆପେ ରଖି। କଂଗ୍ରେସ ନିଜ ମହତ ରଖୁ। ଯଦି ନ୍ୟୁନ୍ ସ୍ତରକୁ ଯାଇ ଏପରି ବାକ୍ବିତଣ୍ଡା କରେ, ତେବେ ତାଙ୍କ ଇତିହାସର ଚିଠା ବିଜେଡି ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣଙ୍କ ପାଖରେ ରଖିବ।”
ସେପଟେ ମହାରଥୀ ବିଦା ହେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପାୱାର କରିଡରରେ ଚର୍ଚ୍ଚା ହେଉଛି। ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ପରେ ଅନ୍ୟ କାହାକୁ ସାମିଲ କରିନଥିଲେ ନବୀନ। ଏବେ ମହାରଥୀ ଯିବା ପରେ ଆଉ ଏକ ପଦ ଖାଲି ପଡ଼ିଛି। ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଗୋଟିଏ ପଦ ଖାଲି ରଖିଥିଲେ ନବୀନ। ତେଣୁ ସେ ଦୃଷ୍ଟିରୁ ବର୍ତ୍ତମାନ ୩ଟି ମନ୍ତ୍ରୀ ପଦ ଖାଲି ରହିଛି। ମହାରଥୀ ବିଦା ହେବା ପରେ ପୁରୀ ଜିଲ୍ଲାରୁ କାହାକୁ ମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ କୌଣସି ମନ୍ତ୍ରୀ ନଥିବାରୁ ସେଠାରୁ ମନ୍ତ୍ରୀ କରାଯାଇ ଦଳୀୟ ସଙ୍ଗଠନକୁ ମଜଭୁତ କରିବାକୁ ବାର୍ତ୍ତା ଦେବା ପାଇଁ ଦଳ ବିଚାର କରୁଥିବା ଶୁଣିବାକୁ ମିଳୁଛି।
ତେବେ ମହାରଥୀ ବିଦା ହେବା ପରେ ବି ବିଜେପି ଓ କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ ନବୀନ ସରକାରକୁ କେତେ ଅଡୁଆରେ ପକାଇପାରିବ ଓ ଆସନ୍ତା ନିର୍ବାଚନରେ କିଭଳି ପ୍ରଭାବ ପକାଇବ, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
from Odisha Reporter http://bit.ly/2TyKzPo
No comments:
Post a Comment