
ନୂଆଦିଲ୍ଲୀ: ପୁଣିଥରେ ଘୁଞ୍ଚିଛି ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି। ଆସନ୍ତା ଜାନୁଆରୀ ୨୯ ଅର୍ଥାତ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହେବାର ଥିଲା। ଏଥିପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଶୁକ୍ରବାର ନୂଆ ଖଣ୍ଡପୀଠ ମଧ୍ୟ ଗଠନ କରିଥିଲେ।
ହେଲେ ଏହି ଖଣ୍ଡପୀଠରେ ଥିବା ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ ମଙ୍ଗଳବାର ଉପସ୍ଥିତ ରହିବେ ନାହିଁ। ତେଣୁ ଏହି ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଛି। ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ମାମଲାର ଶୁଣାଣି କେବେ ହେବ, ସେ ସମ୍ପର୍କରେ ବିଜ୍ଞପ୍ତିରେ କୌଣସି ସୂଚନା ଦିଆଯାଇ ନାହିଁ।
ଜାନୁଆରୀ ୧୦ରେ ମାମଲାର ଶୁଣାଣି ବେଳେ ଖଣ୍ଡପୀଠର ସଦସ୍ୟ ଥିବା ଜଷ୍ଟିସ୍ ୟୁୟୁ ଲଳିତ ଏଥିରୁ ଓହରି ଯାଇଥିଲେ। ଫଳରେ ଶୁଣାଣି ନୂଆ ଖଣ୍ଡପୀଠରେ ଆସନ୍ତା ୨୯ରେ ହେବ ବୋଲି ସିଜେଆଇ ଜଷ୍ଟିସ୍ ଗୋଗୋଇ କହିଥିଲେ।
ଏଥିପାଇଁ ଶୁକ୍ରବାର ୫ ଜଣିଆ ନୂଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଥିଲା। ଯେଉଁଥିରେ ଜଷ୍ଟିସ୍ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏସ୍ ଅବଦୁଲ ନଜିର ଓ ଜଷ୍ଟିସ୍ ଏସ୍ଏ ବୋବଡେ ସଦସ୍ୟ ରହିଥିଲେ।
from Odisha Reporter http://bit.ly/2WlP9TC
No comments:
Post a Comment