
ମୁମ୍ୱାଇ: ବଲିଉଡ୍ରେ ‘ଇଣ୍ଡିଆନ୍ ମଦର୍’ ଭାବେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ହେଉଛନ୍ତି ନିରୂପା ରାୟ। ଚମତ୍କାର ଅଭିନୟ ହିଁ ତାଙ୍କୁ ବଲିଉଡ୍ରେ ଏହି ନାଁ ଦେଇଛି।
ଆଜି ହେଉଛି ନିରୂପାଙ୍କ ଜନ୍ମଦିନ। ୪ ଜାନୁଆରୀ ୧୯୩୧ରେ ଜନ୍ମ ହୋଇଥିବା ନିରୂପା ଅଳ୍ପ ବୟସରୁ ହିଁ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରୁ ସେ ସିନେମାରେ ଲିଡ୍ ଅଭିନେତ୍ରୀ ଭାବେ କାମ କରିବା ଆରମ୍ଭ କରିଥିଲେ। ୧୯୪୬ରେ ସେ ବଲିଉଡ୍ରେ ପାଦ ରଖିଥିଲେ ଏବଂ ଲମ୍ୱା ସମୟ ଧରି ଅଭିନେତ୍ରୀ ଭାବରେ କାମ କରିଥିଲେ। ପାଖାପାଖି ୨୫୦ ଫିଲ୍ମରେ ନିରୂପାଙ୍କ ନିଖୁଣ ଅଭିନୟ ଆପଣ ଦେଖିଥିବେ।
ନିରୂପାଙ୍କ ଜନ୍ମ ଏକ ଗୁଜରାଟୀ ପରିବାରରେ ହୋଇଥିଲା। ପିଲାବେଳେ ତାଙ୍କର ନାମ କୋକିଲା କିଶୋରଚନ୍ଦ୍ର ବଲସାରା ଥିଲା। ୧୫ ବର୍ଷ ବୟସରେ ସେ କମଲ୍ ରାୟଙ୍କୁ ବିବାହ କରି ହୋଇଥିଲେ ନିରୂପା ରୟ। ବିବାହ ପରେ ସେ ମୁମ୍ୱାଇ ଚାଲି ଆସିଥିଲେ। ଯୋଗେଶ ଓ କିରନ୍ ତାଙ୍କର ଦୁଇ ସନ୍ତାନ।
୧୯୪୬ ମସିହାରେ ନିରୂପାଙ୍କ ସ୍ୱାମୀ ଏକ ଗୁଜରାଟୀ ଖବରକାଗଜରେ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ଏକ ଫିଲ୍ମ ପାଇଁ ଅଭିନେତ୍ରୀର ଆବଶ୍ୟକତା ରହିଥିଲା। ଏହାପରେ ତାଙ୍କ ସ୍ୱାମୀ ନିରୂପାଙ୍କ ପ୍ରୋଫାଇଲ୍ ପଠାଇଥିଲେ। ଏହାପରେ ସେହି ବିଜ୍ଞାପନରୁ ହିଁ ନିରୂପା ଅଭିନୟ ଦୁନିଆରେ ପାଦ ଥାପିଥିଲେ।
ସେହି ବର୍ଷ ନିରୂପାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ମୁକ୍ତିଲାଭ କରିଥିଲା। ଫିଲ୍ମର ନାମ ଥିଲା ‘ଅମର ରାଜ’ ଏବଂ ଏହାର ହିରୋ ଥିଲେ ତ୍ରିଲୋକ କପୁର୍। ତ୍ରିଲୋକ କପୁର୍ଙ୍କ ସହିତ ନିରୂପାଙ୍କ ଯୋଡ଼ି ସବୁ ସମୟରେ ହିଟ୍ ରହିଥିଲା। ଦୁହେଁ ଏକା ସହିତ ୧୮ଟି ଫିଲ୍ମରେ କାମ କରିଛନ୍ତି। କ୍ୟାରିୟର୍ ଆରମ୍ଭରେ ନିରୂପା ଅନେକ ଫିଲ୍ମରେ ଦେବୀଙ୍କର ରୋଲ୍ ପ୍ଲେ କରିଥିଲେ।
ତାଙ୍କର ଅଭିନୟରେ ଏତେ ନିଖୁଣ ଥିଲା ଯେ, ସେହି ସମୟରେ ଲୋକେ ତାଙ୍କୁ ସତରେ ଦେବୀ ବୋଲି ଭାବି ଘରକୁ ଡାକି ପାଦ ଛୁଇଁ ପୂଜା କରୁଥିଲେ।
ଅମିତାଭ ବଚ୍ଚନଙ୍କର ଅନେକ ଫିଲ୍ମରେ ନିରୂପା ତାଙ୍କର ମା’ ଭାବରେ ରୋଲ୍ ପ୍ଲେ କରିଛନ୍ତି। ୨୦୦୪ରେ ତାଙ୍କୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।
୨୦୦୧ରେ ନିରୂପାଙ୍କ ବୋହୂ ଉନା ରାୟ ତାଙ୍କ ଉପରେ ଯୌତୁକ ମାଗୁଥିବା ଆରୋପ ଲଗାଇଥିଲେ। ଏହି ଅଭିଯୋଗରେ ନିରୂପା ଗିରଫ ହୋଇଥିଲେ। ତାଙ୍କ ସହିତ ସ୍ୱାମୀ କମଲ୍ ରାୟ୍ ଓ ପୁଅ କିରନ୍ ରାୟ ମଧ୍ୟ ଜେଲ୍ ଯାଇଥିଲେ। ଏହାପରେ ୧୩ ଅକ୍ଟୋବର ୨୦୦୪ରେ ହୃଦ୍ଘାତରେ ନିରୂପାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
from Odisha Reporter http://bit.ly/2VvxdVT
No comments:
Post a Comment