
ଅହମଦାବାଦ: ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହିଛି। ଏଠାରେ ଏକକାଳୀନ ୯୦ ହଜାର ଲୋକ ବସିବାର ବ୍ୟବସ୍ଥା ରହିଛି। ତେବେ ୧୮୫୩ ମସିହାରେ ନିର୍ମାଣ ହୋଇଥିବା ଏହି ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମଠାରୁ ଆହୁରି ବଡ଼ ତଥା ଅଧିକ ଲୋକ ବସିବାର ଏକ ଷ୍ଟାଡିୟମ ଏବେ ନିର୍ମାଣ ହେଉଛି।
ଭାରତ ଏଭଳି ଏକ ଷ୍ଟାଡିୟମ ନିର୍ମାଣ କରୁଛି। ଅହମଦାବାଦ ଅନ୍ତର୍ଗତ ମୋଟେରା ଥିବା ସର୍ଦ୍ଦାର ପଟେଲ କ୍ରିକେଟ ଷ୍ଟାଡିୟମ ଏହି ରେକର୍ଡ କରିବାକୁ ଯାଉଛି। ଷ୍ଟାଡିୟମଟି କିପରି ନୂଆ କରି ନିର୍ମାଣ କରାଯାଉଛି, ତା’ର ଫଟୋ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ର ଉପ ସଭାପତି ପରିମାଲ ନାଥୱାନି ଟ୍ୱିଟ୍ କରିଛନ୍ତି।
ସେ ଏଥିରେ ଲେଖିଛନ୍ତି ଏହି ସ୍ୱପ୍ନର ଷ୍ଟାଡିୟମ ଭାରତର ଗର୍ବ। ଏଥିରେ ଏକକାଳୀନ ୧ ଲକ୍ଷ ୧୦ ହଜାର ଲୋକ ବସି ମ୍ୟାଚ୍ ଦେଖି ପାରିବେ।

ଷ୍ଟାଡିୟମ ପାଇଁ ୨୦୧୮ ଜାନୁଆରୀରେ ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି। ଏହି ଷ୍ଟାଡିୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଗୁଜରାଟ୍ କ୍ରିକେଟ ଆସୋସିଏସନ୍ ସହ ମିଶି ଯୋଜନା କରିଥିଲେ। ଲାରସନ୍ ଆଣ୍ଡ ଟରବୋ ଏହାର ନିର୍ମାଣ କାର୍ଯ୍ୟ କରୁଛି। ଖ୍ୟାତନାମା ଆର୍କିଟେକ୍ଟ କମ୍ପାନୀ ପୋପୁଲ୍ସଙ୍କୁ ଷ୍ଟାଡିୟମର ଡିଜାଇନ୍ ଦାୟିତ୍ୱ ଦିଆଯାଇଛି। ପୋପୁଲ୍ସ ହିଁ ମେଲବର୍ଣ୍ଣ ଷ୍ଟାଡିୟମର ଡିଜାଇନ୍ କରିଥିଲେ। ୬୩ ଏକର ଜମିରେ ଏହି ଷ୍ଟାଡିୟମଟି ନିର୍ମାଣ ହେଉଛି। ଏଥିପାଇଁ ୭ ଶହ କୋଟି ଟଙ୍କା ଖର୍ଚ୍ଚା ହେବ।
ଷ୍ଟାଡିୟମରେ ଡ୍ରେସିଂ ରୁମ୍ ସହ ଏକ ୫୦ଟି ରୁମ୍ ବିଶିଷ୍ଟ କ୍ଲବ ହାଉସ୍ ନିର୍ମାଣ ହେବ। ଏଠାରେ ୭୬ଟି କର୍ପୋରେଟ୍ ବକ୍ସ ରହିବ ଏବଂ ଅତ୍ୟାଧୁନିକ ସୁଇମିଂ ପୁଲର ବ୍ୟବସ୍ଥା ହେବ। ଷ୍ଟାଡିୟମ ଭିତରେ ଏକ ଇନଡୋର କ୍ରିକେଟ୍ ଟ୍ରେନିଂ ଏକାଡେମୀ ରହିବ। ଷ୍ଟାଡିୟମରେ ୩ ହଜାର କାର ଓ ୧୦ ହଜାର ବାଇକ୍ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ରହିବ। ପୂର୍ବରୁ ମୋଟେରା ଷ୍ଟାଡିୟମରେ ୫୪ ହଜାର ଲୋକ ବସିବାର ବ୍ୟବସ୍ଥା ଥିଲା। କିନ୍ତୁ ୨୦୧୬ରେ ଏହାକୁ ଭଙ୍ଗା ଯାଇଥିଲା।
from Odisha Reporter http://bit.ly/2VFle8k
No comments:
Post a Comment