
ଭଞ୍ଜନଗର/ବାସୁଦେବପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଚାଷୀଙ୍କ କଷ୍ଟ ଉପାର୍ଜିତ ବର୍ଷକର ଧାନ ଫସଲ ଜଳି ପାଉଁଶ ହୋଇଯାଇଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାମୁଣ୍ଡି ଗାଁର ଅଜୟ ମଲ୍ଲ ଓ ଲମ୍ବୋଦର ସ୍ୱାଇଁଙ୍କ ଧାନ ଖଳାରେ ଥିବା ବେଳେ ପୋଡ଼ି ଯାଇଛି। ରାତି ପ୍ରାୟ ଗୋଟାଏ ବେଳେ ଧାନଗଦାରେ ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଏହାକୁ ଲିଭାଇବାକୁ ଦମକଳ ବାହିନୀକୁ ଡାକିବା ସହିତ ନିଜ ତରଫରୁ ଉଦ୍ୟମ କରିଥିଲେ। କିନ୍ତୁ ଦମକଳ ଆସିବା ବେଳକୁ ଅଧିକାଂଶ ଧାନ ପୋଡ଼ି ପାଉଁଶ ହୋଇ ଯାଇଥିଲା।
ଆକ୍ରୋଶମୂଳକ ଭାବେ କେହି ଏହି ନିଆଁ ଲଗାଇ ଥିବା ସନ୍ଦେହ କରାଯାଉଛି। ଏନେଇ ଥାନାରେ ଏତଲା ଦିଆଯାଇଛି।
ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ତହସିଲଦାର କହିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବାର ଆଶ୍ୱାସନା ଦେଇଛନ୍ତି।
୮ ଏକର ଜମିରେ ଧାନ ପୋଡି ପାଉଁଶ
ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁରର ଲକ୍ଷ୍ମୀଦାସପୁର ପଞ୍ଚାୟତ ଫକୀରପୁର ଗାଁରେ ଅଗ୍ନିକାଣ୍ଡ ଘଟି ୮ ଏକର ଜମିରେ ହୋଇଥିବା ଧାନ ପୋଡି ପାଉଁଶ ହୋଇଯାଇଛି। ଏହାସହ ଧାନ ଖଳାରେ ଥିବା ଏକ ଟ୍ରାକ୍ଟର ଏବଂ ଧାନପିଟା ମେସିନ ପୋଡ଼ିଯାଇଛି।
ଆଜି ଗାଁର ମନୋରଞ୍ଜନ ଦାସ ଟ୍ରାକ୍ଟର ସହ ଧାନପିଟା ମେସିନ ଆଣି ଧାନ ବେଙ୍ଗଳା କରୁଥିଲେ। କୌଣସି କାରଣରୁ ଟ୍ରାକ୍ଟରରେ ନିଆଁ ଲାଗି ଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଧାନଗଦାକୁ ବ୍ୟାପିଯାଇଥିଲା। ଫଳରେ ପ୍ରାୟ ୧୫୦ କୁଇଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ୍ୱ କରିଥିଲେ।
from Odisha Reporter http://bit.ly/2sCELc9
No comments:
Post a Comment