
ମୁମ୍ବାଇ: ମୁମ୍ବାଇରେ ଏକ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ଗୋଟିଏ ୧୪ ମାସର ଶିଶୁ ୪ ମହଲା କୋଠାରୁ ତଳକୁ ଖସି ପଡ଼ିଛି। କିନ୍ତୁ କଥାରେ ଅଛି, ରଖେ ହରି ତ ମାରେ କିଏ। ଗୋଟିଏ ଗଛ ଯୋଗୁ ଶିଶୁଟିର ଜୀବନ ରକ୍ଷା ହୋଇଯାଇଛି। ତଥାପି ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି।
ଗୋଭାଣ୍ଡିଠାରେ ଥିବା ଗୋପି କ୍ରିଷ୍ଣା ବିଲଡିଂର ୪ର୍ଥ ଫ୍ଲୋରରେ ୧୪ ମାସର ଅର୍ଥବ ବାରକାଡେ ତାଙ୍କ ବାପା ମା’ ଓ ଜେଜେ ମା’ଙ୍କ ସହ ରହେ। ଗୁରୁବାର ସେ ଘର ମଧ୍ୟରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ଅର୍ଥବ ଗ୍ରିଲ ଲାଗିନଥିବା ଏକ ଝରକା ବାହାରକୁ ଚାଲିଯାଇଥିଲା ଓ ୪ର୍ଥ ମହଲାରୁ ସିଧା ତଳକୁ ଖସି ପଡ଼ିଥିଲା।
ତେବେ ତାଙ୍କ ଘରକୁ ଲାଗି ଏକ ଗଛ ଥିବାରୁ ଅର୍ଥବ ତଳେ ପଡ଼ିବା ଆଗରୁ ପ୍ରଥମେ ସେହି ଗଛର ବିଭିନ୍ନ ଡାଳରେ ମାଡ଼ ହୋଇଥିଲା। ଫଳରେ ତା ଦେହରେ ଆଘାତ ଲାଗିଥିଲେ ହେଁ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥିଲା।
ପୁଅ ତଳକୁ ଖସିପଡ଼ିଥିବା ଜାଣିବା ମାତ୍ରେ ଅର୍ଥବଙ୍କ ବାପା ମା’ ଶିଢ଼ି ବାଟେ ତଳକୁ ଆସି ପୁଅକୁ ଉଦ୍ଧାର କରିଥିଲେ। ସେ ଜୀବିତ ଥିଲେ ହେଁ ତା’ ଓଠ, ଗୋଡ଼ ଏବଂ ଲିଭର୍ରେ ଗଭୀର ଆଘାତ ଲାଗିଛି। ଶିଶୁଟିକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ସେ ଏବେ ଆଇସିୟୁରେ ଅଛି। ତା’ ଲିଭର୍ରେ ଆଘାତ ଲାଗିଥିବାରୁ ତାଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2SBiIyd
No comments:
Post a Comment