
ସିଡ୍ନୀ: ୪ର୍ଥ ଟେଷ୍ଟର ତୃତୀୟ ଦିନ ଆରମ୍ଭରୁ ଲଞ୍ଚ୍ ପର୍ଯ୍ୟନ୍ତ ଜବରଦସ୍ତ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଏବେ ଅଡ଼ୁଆରେ ପଡ଼ିଛି। ଲଞ୍ଚ୍ ପରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍ଅପ୍କୁ ଦୋହଲାଇ ଦେବାରେ ସକ୍ଷମ ହୋଇଛନ୍ତି।
ତୃତୀୟ ଦିନର ଚା’ ପାନ ବିରତି ସୁଦ୍ଧା ଘରୋଇ କଙ୍ଗାରୁ ଟିମ୍ ୫ ୱିକେଟ୍ ହରାଇ ୧୯୮ ରନ୍ କରିଛି। ପିଟର୍ ହ୍ୟାଣ୍ଡସ୍କମ୍ବ ୨୧ ରନ୍ କରିଥିବା ବେଳେ ଅଧିନାୟକ ଟିମ୍ ପେନ୍ ୫ ରନ୍ କରି ଅପରାଜିତ ରହିଛନ୍ତି। ଏବେ ବି ଅଷ୍ଟ୍ରେଲିଆ ଭାରତର ପ୍ରଥମ ଇନିଂସ୍ ସ୍କୋରଠାରୁ ୪୨୪ ରନ୍ ପଛରେ ରହିଛି।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଗୋଟିଏ ୱିକେଟ୍ ନେଇଛନ୍ତି।

ଗତକାଲି ଅଷ୍ଟ୍ରେଲିଆ ୨୪ ରନ୍ କରିଥିବା ବେଳେ ଆଜି ଦୁଇ ଅପରାଜିତ ବ୍ୟାଟସ୍ମ୍ୟାନ୍ ମାରକସ୍ ହ୍ୟାରିସ ଏବଂ ଉସମାନ ଖ୍ୱାଜା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୭୨ ରନ୍ ଯୋଡ଼ିବା ପରେ ଖ୍ୱାଜା ପ୍ରଥମ ଅଷ୍ଟ୍ରେଲିଆ ବ୍ୟାଟସ୍ମ୍ୟାନ୍ ଭାବେ ୨୭ ରନ୍ କୁଲଦୀପ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ।
ଏହାପରେ ହ୍ୟାରିସ୍ ଏବଂ ମାରନୁସ ଲବୁସାନ ଜବରଦସ୍ତ ବ୍ୟାଟିଂ କରି ଲଞ୍ଚ୍ ପର୍ଯ୍ୟନ୍ତ ଭାରତକୁ ଆଉ କୌଣସି କ୍ଷତି ଘଟାଇବାର ସୁଯୋଗ ଦେଇ ନଥିଲେ। ଇତି ମଧ୍ୟରେ ହ୍ୟାରିସ୍ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଲଞ୍ଚ ବେଳକୁ କଙ୍ଗାରୁ ଟିମ୍ ଗୋଟିଏ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା। ତେବେ ଲଞ୍ଚ୍ ପରେ ରଣନୀତି ବଦଳାଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ନିଜର ଅସଲ ଜଲୱା ଦେଖାଇଥିଲା। ଅଷ୍ଟ୍ରେଲିଆ ସ୍କୋର ୧୨୮ ଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଏକ ଘାତକ ବଲ୍କୁ ବୁଝି ନପାରି ହ୍ୟାରିସ୍ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଆଉଟ୍ ହେବା ପୂର୍ବରୁ ହ୍ୟାରିସ୍ ୭୯ ରନ୍ର ଇନିଂସ୍ ଖେଳିଥିଲେ।
ଏହାପରେ ଜାଡେଜା ଆଉଟ୍ ଅଫ୍ ଫର୍ମରେ ଥିବା ଶନ୍ ମାର୍ଶ(୮)ଙ୍କୁ ଉପ ଅଧିନାୟକ ରାହଣେଙ୍କ ହ୍ୟାତ୍ରେ କ୍ୟାଚ୍ କରାଇ ନିଜର ଦ୍ୱିତୀୟ ୱିକେଟ୍ ଦଖଲ କରିଥିଲେ। ଏହି ସମୟରେ କଙ୍ଗାରୁ ଟିମ୍ର ସ୍କୋର ୧୪୪ ରହିଥିଲା।

ତେବେ ସବୁଠାରୁ ବଡ଼ ଝଟ୍କା ଦେଇଥିଲେ ମହମ୍ମଦ ଶାମି। ସେ ଜବରଦସ୍ତ ବ୍ୟାଟିଂ କରୁଥିବା ଲବୁସାନ(୩୮)ଙ୍କୁ ରାହଣେଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଅଷ୍ଟ୍ରେଲିଆକୁ ୪ର୍ଥ ଝଟ୍କା ଦେଇଥିଲେ। ଲଗାତାର ୩ଟି ଝଟ୍କା ପାଇ କଙ୍ଗାରୁ ଟିମ୍ ବ୍ୟାକ୍ଫୁଟ୍କୁ ଚାଲି ଯାଇଥିଲା।
ଏହାପରେ ପିଟର ହ୍ୟାଣ୍ଡସ୍କମ୍ବ ଓ ଟ୍ରାଭିସ୍ ହେଡ୍ ଦଳୀୟ ସ୍କୋରକୁ ୧୫୨ରୁ ୧୯୨ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। କିନ୍ତୁ କୁଲଦୀପ ଯାଦବ ୨୦ ରନ୍ କରି ବ୍ୟାଟିଂ କରୁଥିବା ହେଡ୍ଙ୍କୁ ଚା’ ପାନ୍ ବିରତିର ୧୦ ମିନିଟ୍ ଆଗରୁ ଆଉଟ୍ କରି ବିପର୍ଯ୍ୟୟ ଘଟାଇଥିଲେ।

୭ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ୬ଷ୍ଠ ୱିକେଟ୍ ପାଇଁ ହ୍ୟାଣ୍ଡସ୍କମ୍ୱଙ୍କ ସହ ମିଶି ଚା’ ପାନ ବିରତି ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ।
ଭାରତ ତା’ର ପ୍ରଥମ ଇନିଂସ୍ରେ ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଏବେ ଭାରତ ୪ଟିକିଆ ସିରିଜ୍ରେ ୨-୧ରେ ଆଗରେ ରହିଛି।

from Odisha Reporter http://bit.ly/2Rf4p5S
No comments:
Post a Comment