
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜନୀତିରେ ପ୍ରଭାବଶାଳୀ ବୋଲାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଗଡ଼ରେ ଫାଟ ସୃଷ୍ଟି ହୋଇଛି। ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଆଲୋକ ବେହେରା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ଶ୍ରୀ ବେହେରା ଓ ତାଙ୍କ ଶତାଧିକ ସମର୍ଥକ କଂଗ୍ରେସରେ ସାମିଲ ହୋଇଛନ୍ତି। ଶ୍ରୀ ବେହେରା କଂଗ୍ରେସରେ ଯୋଗଦେବା ଦ୍ୱାରା ଦଳର ସ୍ଥିତି ଜିଲ୍ଲାରେ ସୁଦୃଢ଼ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯାଜପୁର ନିର୍ବାଚନମଣ୍ଡଳୀ ବିଶେଷକରି ପୌରପାଳିକା ଅଞ୍ଚଳରେ ଶ୍ରୀ ବେହେରାଙ୍କ ବିପୁଳ ଜନସମର୍ଥନ ରହିଛି।
ଶ୍ରୀ ବେହେରା ଦୀର୍ଘଦିନ ଧରି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ସହଯୋଗୀ ଭାବେ କାମ କରିଥିଲେ। ମାତ୍ର ବିଧାୟକଙ୍କ ସ୍ୱେଚ୍ଛାଚାରୀ ନୀତି ପ୍ରତିବାଦରେ ସେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେହିପରି ଶ୍ରୀ ଖୁଣ୍ଟିଆ କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ପ୍ରତିଷ୍ଠିତ ହେଲେ ଯାଜପୁର ସହିତ ନିଶ୍ଚିତ ଭାବେ ରେଳସଂଯୋଗ କରାଯିବ। ଭୁବନେଶ୍ୱର, କଟକ, ଯାଜପୁରରୋଡ଼, ବାଲେଶ୍ୱର, ଭଦ୍ରକ
ଆଦି ରେଳଷ୍ଟେସନକୁ ବିଶିଷ୍ଟ ଜନନାୟକଙ୍କ ନାମରେ ନାମିତ କରିବାକୁ ଶ୍ରୀ ଖୁଣ୍ଟିଆ ଆହ୍ୱାନ ଦେଇଥିଲେ।
ଏହି ମିଶ୍ରଣ ପର୍ବରେ ପିସିସି ଉପସଭାପତି ତଥା ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ପିସିସି ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ପିସିସି ମୁଖପାତ୍ର ହିମାଂଶୁ ଲେଙ୍କା, ପଦ୍ମାକର ଗୁରୁଙ୍କ ସମେତ ଯାଜପୁର ଜିଲ୍ଲା କଂଗ୍ରେସର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
from Odisha Reporter http://bit.ly/2DSdb1b
No comments:
Post a Comment