
ସେଣ୍ଟ ଜର୍ଜ: ଶେଷ ୫ ବଲରେ ଆଦିଲ ରଶିଦଙ୍କ ୪ ୱିକେଟ୍ ଦମରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ୨୯ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ଭ୍ରମଣକାରୀ ଦଳର ୬ ୱିକେଟରେ ୪୧୮ ରନ୍ ଜବାବରେ ୱିଣ୍ଡିଜ୍ ଭେଟେରାନ୍ କ୍ରିସ ଗେଲଙ୍କ ଲଢ଼ୁଆ ୧୬୨ (୯୭ ବଲ, ୧୧ ଚୌକା, ୧୪ ଛକା) ରନ୍ ସତ୍ତ୍ୱେ ୪୮ ଓଭରରେ ୩୮୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କ୍ୟାରିବିୟାନ୍ ମାଟିରେ ଏହା ସବୁଠାରୁ ବଡ଼ ଦିନିକିଆ ସ୍କୋର।
ଆୟୋଜକ ଇଣ୍ଡିଜ ଟିମ୍ ୪୭ତମ ଓଭର ପର୍ଯ୍ୟନ୍ତ ବିଜୟ ଦୌଡ଼ରେ ଥିଲା। କିନ୍ତୁ ରଶିଦ୍ ଘରୋଇ ଦଳର ସେଟ୍ ବ୍ୟାଟ୍ସମ୍ୟାନ୍ କାର୍ଲସ୍ ବ୍ରାଥୱେଟ୍ ଓ ଆସଲେ ନର୍ସଙ୍କ ଯୋଡ଼ିଙ୍କୁ ଭାଙ୍ଗି ମ୍ୟାଚକୁ ଇଂଲଣ୍ଡର ବିଜୟ ସୁନିଶ୍ଚିତ କରିଥିଲେ। ଏହା ପରେ ରଶିଦ୍ ଶେଷ ଦୁଇ ୱିକେଟ୍ ମଧ୍ୟ ନେଇ ୱିଣ୍ଡିଜ୍ ଦଳକୁ ୩୮୯ ରନରେ ସୀମିତ ରଖିପାରି ଥିଲେ। ରଶିଦ୍ ୮୫ ରନ୍ ଦେଇ ୫ ୱିକେଟ୍ ହାସଲ କରିଥିଲେ। ସେହିପରି ଲିଆମ ପ୍ଲଙ୍କେଟ୍ ୬୦ ରନ୍ ଦେଇ ୪ ୱିକେଟ୍ ନେଇଥିଲେ।
ଇଣ୍ଡିଜ୍ ପକ୍ଷରୁ ଗେଲଙ୍କ ବ୍ୟତୀତ ଡାରେନ୍ ବ୍ରାଭୋ (୬୧), ବ୍ରାଥୱେଟ୍ (୫୦), ନର୍ସ (୪୩) ଓ ଅଧିନାୟକ ଜେସନ୍ ହୋଲ୍ଡର୍ (୨୯) ଭଲ ବ୍ୟାଟିଂ କରିଥିଲେ। ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଇଆନ୍ ମୋର୍ଗାନ୍ ଓ ଜୋସ୍ ବଟଲର ଶତକୀୟ ଇନିଂସ୍ ଖେଳିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୨୦୪ ରନର ଭାଗୀଦାରୀ କରିଥିଲେ । ବଟଲର ମାତ୍ର ୭୭ ବଲରେ ୧୩ ଚୌକା ଓ ୧୨ ଛକା ସହ ୧୫୦ ଓ ମୋର୍ଗାନ୍ ୮୮ ବଲରେ ୮ ଚୌକା ଓ ୬ ଛକା ସହ ୧୦୩ ରନ୍ କରିଥିଲେ। ସେହିପରି ଶୀର୍ଷକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଜନ୍ନି ବେୟାରଷ୍ଟୋ (୫୬) ଓ ଆଲେକ୍ସ ହେଲ୍ସ (୮୨) ପ୍ରଥମ ୱିକେଟ୍ ପାଇଁ ଶତକୀୟ ଭାଗୀଦାରୀ କରି ଦଳକୁ ମଜଭୁତ ଆରମ୍ଭ ଦେଇଥିଲେ। ଅବଶ୍ୟ ମଧ୍ୟକ୍ରମରେ ଜୋ ରୁଟ୍ (୫) ଓ ବେନ୍ ଷ୍ଟୋକ୍ସ (୧୧) ସମସ୍ତଙ୍କୁ ନିରାଶ କରିଥିଲେ। ୱିଣ୍ଡିଜ୍ ପକ୍ଷରୁ ବ୍ରାଥୱେଟ୍ ଓ ଓସାନେ ଟମାସ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
from Odisha Reporter https://ift.tt/2SxHbU9
No comments:
Post a Comment