ଦ୍ୱନ୍ଦ୍ୱରେ ବିଜେଡି, ନିଜେ ଖୋଳିଥିବା ଗାତରେ ନିଜେ ଫସୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଦ୍ୱନ୍ଦ୍ୱରେ ବିଜେଡି, ନିଜେ ଖୋଳିଥିବା ଗାତରେ ନିଜେ ଫସୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଦଳ ସପକ୍ଷରେ ମାହୋଲ୍ ସୃଷ୍ଟି ନିମନ୍ତେ କୌଣସି ସୁଯୋଗକୁ ହାତଛଡ଼ା କରୁନଥିବା ଶାସକ ବିଜେଡି ଏବେ ନିଜ ଜାଲରେ ନିଜେଫସିବାକୁ ଯାଉଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ପାଇଁ ବିଶେଷକରି ମହିଳା କାର୍ଡ ଓ ବିଧାନ ପରିଷଦ ଗଠନ ପ୍ରସଙ୍ଗ ସେତିକି ସମସ୍ୟା ବଢ଼ାଇବାର ଆଶଙ୍କା ଦେଖାଦେଇଛି। ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗତ କିଛିମାସ ଧରି ବିଜେଡି ଚଳାଇଥିବା ଅଭିଯାନ ଏବେ ଦଳ ପାଇଁ ଅଡ଼ୁଆ ବଢ଼ାଇଛି। ସେହିପରି ଟିକେଟରୁ ବଞ୍ଚିତ ହେବାକୁ ଥିବା ଆଶାୟୀଙ୍କୁ ପ୍ରସ୍ତାବିତ ବିଧାନ ପରିଷଦରେ ଥଇଥାନ କରିବା ପାଇଁ ଯେଉଁ ଆଶ୍ୱାସନା ଦିଆଯାଉଛି ତାକୁ ଗ୍ରହଣ କରିବା ମୁଡରେ ନେତାମାନେ ନଥିବା ଜଣାପଡ଼ିଛି। ଦଳର ଏହି ଦୁଇଟି ଯାକ କାର୍ଡ ଫେଲ୍ ମାରୁଥିବାରୁ ଅସନ୍ତୁଷ୍ଟଙ୍କୁ କେଉଁ ମାଧ୍ୟମରେ ସନ୍ତୁଷ୍ଟ କରାଯିବ ଏନେଇ ସେ ଦିଗରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

ବିଜେଡି ସୂତ୍ର ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବ୍ୟ ଦିଗ ଉପରେ ବିଜେଡି ରଣନୀତିକାର ବିଚାରବିମର୍ଶ କରୁଛନ୍ତି। ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ‘ମିଶନ ଶକ୍ତି’ ଅନ୍ତର୍ଗତ ବ୍ୟୟବହୁଳ ବିଶାଳ ମହିଳା ସମାବେଶ ମଧ୍ୟ ହେଉଛି। କିନ୍ତୁ ସଦ୍ୟ ସମାପ୍ତ ସର୍ଭେରେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରିପୋର୍ଟ ଆସିବା ପରେ ବିଜେଡି ଷ୍ଟ୍ରାଟେଜୀମେକର ଏବେ ନିଜର ରଣନୀତି ବଦଳାଇଛନ୍ତି।

୨୦୧୪ ବିଧାନସଭା ନିର୍ବାଚନରେ ଦଳ ୧୫ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିବାବେଳେ ୨୦୦୯ ମସିହାରେ ୮ଜଣଙ୍କୁ ପ୍ରାର୍ଥୀ କରିଥିଲା। ଏବେ ରୀତା ସାହୁଙ୍କୁ ମିଶାଇ ବିଜେଡିର ମୋଟ ୧୧ଜଣ ମହିଳା ସଦସ୍ୟ ବିଧାନସଭାରେ ଅଛନ୍ତି। ଯଦି ଦଳ ନିଜର ପ୍ରସ୍ତାବିତ ୩୩% ସଂରକ୍ଷଣ ନୀତିରେ କାଏମ ରହି ମହିଳା କାର୍ଡ ଖେଳେ, ତା’ହେଲେ ଅତିକମରେ ୪୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିବ। କିନ୍ତୁ ଏତେ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କୁ ଓହ୍ଲାଇଲେ ବାଜି ପଲଟିଯିବାର ଆଶଙ୍କା ଥିବାରୁ ବିଜେଡି ଏବେ ସେଭଳି କୌଣସି ନିଷ୍ପତ୍ତି ନେବା ମୁଡରେ ନଥିବା ଜଣାପଡ଼ିଛି। ତେଣୁ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ସଂକଳ୍ପ ପତ୍ର ଆଣିବା ଓ ଦେଢ଼ ଡଜନରୁ ଅଧିକ ରାଜନୀତିକ ଦଳର ମୁଖ୍ୟଙ୍କୁ ଭେଟି ସେମାନଙ୍କୁ ଏହି ସଂରକ୍ଷଣ ପାଇଁ ପ୍ରବର୍ତ୍ତାଇବା ଏବେ ବିଜେଡିର ଦୋମୁହାଁ ତଥା ଲୋକଦେଖାଣିଆ ମହିଳା ପ୍ରୀତିକୁ ପଦାରେ ପକାଇଛି। ଯେଉଁ ସ୍ଥାନରେ ବିଜେଡି ବିଧାୟକ ଅବା ନେତାମାନେ ବିବାଦୀୟ ହୋଇପଡ଼ିଛନ୍ତି ସେଠାରେ ସେମାନଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାର ରଣନୀତି ସଫଳ ହେବନି ବୋଲି ସର୍ଭେ ରିପୋର୍ଟ ମଧ୍ୟ ଆସିଛି।

ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ସର୍ବାଧିକ ୧୫ରୁ ୨୦ଟି ଆସନରେ ମହିଳା ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ତେଣୁ ମହିଳା ଭୋଟରଙ୍କୁ ତୁଷ୍ଟୀକରଣ ପାଇଁ ବିଜେଡି ଚଳାଇଥିବା ଚାଲ୍ ଏବେ ଦଳ ନିମନ୍ତେ ବୁମେରାଂ ହେବାରେ ଲାଗିଛି।

ସେହିପରି ବିଜେପି ଜାତୀୟ ନେତୃତ୍ୱଙ୍କ ସହ ଉତ୍ତମ ବୁଝାମଣା କରି ରାଜ୍ୟରେ ଶାସନ ଚଳାଉଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ବିଧାନସଭାରେ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବକୁ ଗୃହୀତ କରାଇଥିଲେ ମଧ୍ୟ ତାହା କେନ୍ଦ୍ର କ୍ୟାବିନେଟରେ ଆସିପାରିନି। ନବୀନ ଚାହିଁଥିଲେ ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦାବି ଉପସ୍ଥାପନ କରିପାରିଥାନ୍ତେ ଅବା ବିଧାନ ପରିଷଦ ଗଠନ ବିଲ୍ ଆଣିବା ପାଇଁ ଚାପ ପକାଇ ପାରିଥାନ୍ତେ। କିନ୍ତୁ ଏନେଇ ନବୀନ କୌଣସି ପଦକ୍ଷେପ ନେଲେନି। ଓଲଟା ସେହି ପ୍ରସଙ୍ଗକୁ ୨୦୧୪ ସାଧାରଣ ନିର୍ବାଚନ ଭଳି ଏଥର ବି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛନ୍ତି। ତେଣୁ ବିଧାନ ପରିଷଦ ଗଠନ ହେବ ଓ ସେଥିରେ ଟିକେଟରୁ ବଞ୍ଚିତ ନେତାଙ୍କୁ ଥଇଥାନ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାକୁ ଏବେ ଆଶାୟୀମାନେ ଆଉ ଭରସା କରିପାରୁନାହାନ୍ତି। ୮୦ ପ୍ରତିଶତ ଜିଲ୍ଲାରେ ଏବେ ଦଳର ସମାନ୍ତରାଳ ସଂଗଠନ ଚାଲିଥିବାରୁ ନିର୍ବାଚନ ପାଇଁ ଟିକେଟ ଘୋଷଣା ହେବାପରେ ହିଁ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେବାର ଆଶଙ୍କା ରହିଛି।

ତେଣୁ ଏହି ଦୁଇଟି ଯାକ ପ୍ରସଙ୍ଗରେ ବିଜେଡି ନିଜର ରାଜନୀତିକ ଫାଇଦା ନେବାକୁ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଓଲଟା ଫଳ ଫଳିବାରେ ଲାଗିଛି। ଯାହାକି ବିଜେଡି ରଣନୀତିକାରଙ୍କୁ ଚିନ୍ତାରେ ପକାଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2T15ka4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages