
ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍ଲା ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ସଦସ୍ୟମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଦିଲ୍ଲୀରୁ କଶ୍ମୀର ଯାଏ, ହିନ୍ଦୁସ୍ତାନର ପ୍ରତିଟି କୋଣରେ ହିଂସାର ବାତାବରଣ ସୃଷ୍ଟି କରିବାକୁ ସଂଗଠନର ମୁଖ୍ୟ ମାସୁଦ ଆଝାର ତା’ର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହି ଯୋଜନାକୁ ସଫଳ କରିବାକୁ ମାସୁଦ ଜମ୍ମୁ-କଶ୍ମୀରର ଯୁବକମାନଙ୍କୁ ଭାରତ ବିରୋଧରେ ଉସକାଇବାକୁ ଚେଷ୍ଟା ମଧ୍ୟ କରିଥିଲା।
ଏସଂକ୍ରାନ୍ତ ଏକ ଅଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଭାରତ ମୋଷ୍ଟ ୱାଣ୍ଟେଡ୍ ମାସୁଦ କଶ୍ମୀର ଯୁବକମାନଙ୍କୁ କେମିତି ଭାରତ ବିରୋଧରେ ଉସକାଇବାକୁ ଚେଷ୍ଟା କରୁଛି, ତା’ର ପ୍ରମାଣ ରହିଛି। ଏଥିରେ ମାସୁଦ କହୁଛି ଯେ “ କଶ୍ମୀର ଯୁବଗୋଷ୍ଠୀଙ୍କ ପାଇଁ କ’ଣ ମୋ ପୁତୁରା ଉସମାନ ର ବଳିଦାନ ଏକାଠି କରିବାକୁ ଯଥେଷ୍ଟ ନୁହେଁ? ଭାରତ ଆପଣମାନଙ୍କୁ ଦୁଇଟି ବିକଳ୍ପ ଦେଇଛି।
ଆପଣମାନେ ଗୁଲାମଗିରି କରି ପ୍ରାଣ ହରାନ୍ତୁ କିମ୍ବା ଭାରତର ଅତ୍ୟାଚାରରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାନ୍ତୁ। କିନ୍ତୁ ଆପଣମାନେ ଏହି ଦୁଇଟି ଯାକ ବିକଳ୍ପକୁ ଭାରତ ମୁହଁକୁ ଫୋପାଡ଼ି ଦିଅନ୍ତୁ। ଆପଣମାନେ ସମ୍ମାନ ଓ ବଳିଦାନର ରାସ୍ତା ଆପଣାନ୍ତୁ।” ମାସୁଦର ଏହି ସଦ୍ୟ ଅଡିଓ କ୍ଲିପ୍ ଦିଲ୍ଲୀ ପୁଲିସ୍ ଓ ଭାରତୀୟ ଗୁଇନ୍ଦା ସଂସ୍ଥା ହାତରେ ଲାଗିଛି।
ଜାନୁଆରୀ ୨୪ରେ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ ଓ ଗୁଇନ୍ଦା ବିଭାଗ ମିଳିତ ଭାବେ ଏଠାରୁ ଜୈଶ ଆତଙ୍କୀ ଅବଦୁଲ ଲତିଫ ଗନିକୁ ଗିରଫ କରିଥିଲେ। ଏହାପରେ ଲତିଫକୁ ପଚରାଉଚରା କରିବା ପରେ ଜମ୍ମୁ-କଶ୍ମୀରରୁ ହିଲାଲ ଅହମ୍ମଦ ଭଟ୍ଟକୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଦୁଇ ଜଣଙ୍କୁ ଗିରଫ କରିବା ପରେ ଦିଲ୍ଲୀ ଉପରେ ହେବାକୁ ଥିବା ବଡ଼ ଆକ୍ରମଣର ପର୍ଦ୍ଦାଫାସ ହୋଇଥିଲା।
ମାସୁଦ ଅଡିଓ ଟେପ୍ରେ ଯେଉଁ ଉସ୍ମାନ କଥା କହୁଛି, ସେ ହେଉଛି ତା’ ନିଜ ପୁତୁରା। ସେ ଜୈଶର ଟପ୍ ସ୍ନାଇପର। ତାକୁ ସୁରକ୍ଷାକର୍ମୀମାନେ ୨୦୧୮ରେ ନିପାତ କରିଦେଇ ଥିଲେ। ଏହାପରେ ହିଁ ମାସୁଦ ଏହାର ବଦଲା ନେବାକୁ ଚେଷ୍ଟା କରିଥିଲା। ଏହି ପ୍ରତିଶୋଧକୁ ବାସ୍ତବ ରୂପ ଦେବା ପାଇଁ ମାସୁଦ ବାରମ୍ବାର ତା ପୁତୁରା ଉସ୍ମାନର ନାଁ ନେଇ କଶ୍ମୀର ଯୁବକମାନଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରି ଆସିଛି।
from Odisha Reporter http://bit.ly/2TWbplh
No comments:
Post a Comment