
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଶିବିରରେ ଏୟାର ଷ୍ଟ୍ରାଇକ୍ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ସମର୍ଥନରେ ବାହାରି ଭାରତ ଉପରେ ଆଜି କାଉଣ୍ଟର ହମ୍ଲା କରିବାକୁ ଉଦ୍ୟମ କରିବା ପରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି।
ଆଜି ପାକିସ୍ତାନ ବାୟୁସେନା ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିବା ପରେ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ଆକାଶ ମାର୍ଗରେ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଉଦ୍ୟମକୁ ସୁରକ୍ଷାକର୍ମୀମାନେ ଭଣ୍ଡୁର କରି ଦେଇଛନ୍ତି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଗୋଟିଏ ଏଫ୍-୧୬ ଜେଟ୍ ଖସି ପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଭାରତ ଏକ ମିଗ୍-୨୧ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିବା ସହ ଜଣେ ପାଇଲଟଙ୍କୁ ଗିରଫ କରିଛି। ଏସବୁ ଘଟଣାକୁ ନେଇ ଏବେ ଉଭୟ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।
ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ଗତକାଲି ଭାରତ ବାଲାକୋଟ ସ୍ଥିତ ଜୈଶ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏହାର ବଦଲା ନେବାକୁ ଯାଇ ଆଜି ପାକିସ୍ତାନ ସକାଳେ ୩ଟି ଏଫ୍ -୧୬ ଯୁଦ୍ଧ ବିମାନ ପଠାଇଥିଲା। ଏହି ୩ଟି ବିମାନ ଭାରତୀୟ ବାୟୁସୀମା ଅତିକ୍ରମ କରିବା ସହ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭାରତ ପକ୍ଷରୁ ମିଗ୍-୨୧ ଜେଟ୍ ତୁରନ୍ତ ପାକିସ୍ତାନୀ ଜେଟ୍କୁ ଚ୍ୟାଲେଞ୍ଜ କରିବା ସହ ଆକ୍ରମଣ କରିଥିଲେ। ଏଥିରେ ଗୋଟିଏ ଏଫ୍-୧୬ ଜେଟ୍ ଧ୍ୱଂସ ପାଇ ପାକ ଅଧିକୃତ ଲାମ ଉପତ୍ୟକାରେ ଖସି ପଡ଼ିଥିଲା।
ଅନ୍ୟପକ୍ଷରେ ପାକିସ୍ତାନ ଦାବି କରିଛି ଯେ ଭାରତୀୟ ମିଗ୍ ବିମାନ ସୀମା ଅତିକ୍ରମ କରିବାରୁ ଏହାକୁ ଗୁଳି କରି ଖସାଇ ଦିଆଯାଇଛି। ଏଥିସହ ଏଥିରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରିଛି ଏବଂ ତାଙ୍କର ଏକ ଭିଡିଓ ମଧ୍ୟ ଜାରି କରିଛି।
ସେହିପରି ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଛାନିଆ ହୋଇ ପାକିସ୍ତାନ ଦେଶର ସମସ୍ତ ଏୟାରପୋର୍ଟରେ ବିମାନ ଚଳାଚଳ ବନ୍ଦ କରିଦେଇଛି। ଭାରତ ମଧ୍ୟ ପଠାନକୋଟ୍ ଓ ଶ୍ରୀନଗର ସମେତ ୮ଟି ବିମାନବନ୍ଦରକୁ ୩ ମାସ ବନ୍ଦ ରଖିବାକୁ ପ୍ରଥମେ ନିଷ୍ପତ୍ତି ନେଇଥିଲା। କିନ୍ତୁ ସନ୍ଧ୍ୟାରେ ଏହି କଟକଣାକୁ ଉଠାଇ ନିଆଯାଇଛି।
ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନର ଡେପୁଟି ହାଇକମିସନରଙ୍କୁ ଡାକି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି। ତାଙ୍କୁ ତୁରନ୍ତ ଓ ନିରାପଦ ଭାବେ ଛାଡ଼ି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି। ଆହତ ପାଇଲଟଙ୍କ ଭିଡିଓ ଖୋଲାଖୋଲି ଗଣମାଧ୍ୟମରେ ପ୍ରଦର୍ଶନ କରାଯିବାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ପ୍ରତିବାଦ ଜଣାଇଛି। ଏହା ପ୍ରଚଳିତ ଆନ୍ତର୍ଜାତିକ ବିଧିର ଉଲ୍ଲଙ୍ଘନ ବୋଲି ଭାରତ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2Ej2zaz
No comments:
Post a Comment