ବିଜେଡି ପାଇଁ ଅଡ଼ୁଆ ବଢ଼ାଇଲା ‘କାଳିଆ’ ଓ ସ୍ମାର୍ଟ ଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ବିଜେଡି ପାଇଁ ଅଡ଼ୁଆ ବଢ଼ାଇଲା ‘କାଳିଆ’ ଓ ସ୍ମାର୍ଟ ଫୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ବିଜେଡି ଏବେ ହରଡ଼ଘଣାରେ ପଡ଼ିଛି। ‘କାଳିଆ’ ସହାୟତା ଓ ‘ମୋବାଇଲ ଫୋନ୍’ ବାଣ୍ଟି ନିଜର ଭୋଟବ୍ୟାଙ୍କ ବୃଦ୍ଧି କରିବାକୁ ବିଜେଡିର ରଣନୀତି ଫେଲ୍ ମାରିଛି। ଏହା ଭୋଟ୍ ବ୍ୟାଙ୍କ ବଢ଼ାଇବା ପରିବର୍ତ୍ତେ ଦଳର ବିଧାୟକ ଓ ଆଗଧାଡ଼ିର ନେତାଙ୍କୁ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର କରାଇଛି। କାଳିଆ ସହାୟତା ଓ ମୋବାଇଲ ଫୋନ ପାଇବାରୁ ବଞ୍ଚିତ ହେଉଥିବା ହିତାଧିକାରୀ ଏବଂ ଦଳୀୟ କର୍ମୀମାନେ ଏବେ ଗାଁ ଗହିଳରେ ଖୋଲାଖୋଲି ବିଜେଡି ବିରୋଧରେ ସ୍ୱର ଉଠାଇବା ସହ ଭୋଟବେଳେ ଉଚିତ୍ ଜବାବ ଦେବାକୁ ସଜବାଜ ହେଲେଣି।

ରାଜ୍ୟରେ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତରବରିଆ ଭାବେ ‘କାଳିଆ’ ଯୋଜନା ଘୋଷଣା କରିଥିଲେ। ନିର୍ବାଚନୀ ବର୍ଷରେ ଏହି ଯୋଜନାର ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଓ ମାନଦଣ୍ଡକୁ ସରକାର କୋହଳ କରିବା ପରେ ଲକ୍ଷ ଲକ୍ଷ ଆବେଦନ ସରକାରଙ୍କ ନିଦ ହଜାଇ ଦେଇଥିଲା। ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୩ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ସହାୟତା(୫ହଜାର ଟଙ୍କା) ଦେଇ ସରକାର ଚୁପ୍ ବସିବାକୁ ବାଧ୍ୟ ହୋଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇଥିଲେ ମଧ୍ୟ ସହାୟତା ଦେବାକୁ ସରକାର ସାହସ କରିପାରିନାହାନ୍ତି ଓ ଏପ୍ରିଲ ୧ତାରିଖରେ ଏହା ଦେବେ ବୋଲି ଘୋଷଣା କରିଛନ୍ତି। ଯଦିଓ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହି ସହାୟତା ଦେବା ସରକାରଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି ସମସ୍ତେ ଜାଣନ୍ତି। ଏପଟେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରାୟ ୧୩ଲକ୍ଷ ଚାଷୀ ‘କାଳିଆ’ ସହାୟତା ପାଇଛନ୍ତି ସେଥିରେ ମନ୍ତ୍ରୀ,ବିଧାୟକଙ୍କଠୁ ଆରମ୍ଭ କରି ସରକାରୀ କର୍ମଚାରୀ ବି ରହିଛନ୍ତି। ଏପରିକି ଗୋଟିଏ ଲେଖାଏ ପରିବାରକୁ ୨ରୁ ୩ଜଣଙ୍କୁ ମଧ୍ୟ ଏହି ସହାୟତା ମିଳିଛି।

ଲକ୍ଷ ଲକ୍ଷ ପ୍ରକୃତ ଚାଷୀ ଏହି ସହାୟତା ପାଇ ପାରିନଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ ଚିହ୍ନଟ ହୋଇଛି। ଏଥିରେ ୧୩ଲକ୍ଷ ଚାଷୀ ଓ ୫ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି। ତେବେ ‘କାଳିଆ’ ଯୋଜନାର ସହାୟତାକୁ ଅଯୋଗ୍ୟ ହିତାଧିକାରୀମାନେ ନେଉଥିବାର ଅଧିକାଂଶ ସ୍ଥାନରୁ ସୂଚନା ପାଇବା ପରେ ସରକାର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ଜାରି ପାଇଁ ସାହସ କରିପାରିନାହାନ୍ତି। ଅନ୍ୟପକ୍ଷରେ ଯେଉଁ ଅସଲି ତଥା ଗରିବ ଚାଷୀମାନେ ସହାୟତା ପାଇନାହାନ୍ତି ସେମାନେ ଏବେ ବିଜେଡି ସରକାର ଉପରେ କ୍ଷୁବ୍ଧ। ଆଉ ଏବେ ସଂଗଠନକୁ ସଜାଡ଼ିବା ପାଇଁ ଗାଁରୁ ଗାଁକୁ ଯାଉଥିବା ବିଜେଡି ନେତାମାନଙ୍କୁ ଏହି ଗରିବ ଚାଷୀମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି।

ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ବେକାର ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ସରକାରୀ ବିରୋଧୀ କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଯୁବ ଭୋଟର ହାତଛଡ଼ା ହେବା ଭୟ ବିଜେଡିକୁ ଘାରିଥିଲା। ଯେଉଁଥିପାଇଁ ‘ବିଜୁ ଯୁବ ବାହିନୀ’ ଅଧୀନରେ ଥିବା ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲା। ରାଜ୍ୟର ଦାଗୀ ଖଣି କମ୍ପାନୀଗୁଡ଼ିକଠୁ ‘ସିଏସଆର ପାଣ୍ଠି’ ଆଦାୟ କରିବା ଆଳରେ ବିଜେଡି ନିଜର ନିର୍ବାଚନୀ ଚାନ୍ଦା ଆଦାୟ କରିଛି। ସେଥିପାଇଁ ୨ଟି ଖଣି କମ୍ପାନୀଠୁ ୧୫୦କୋଟି ଟଙ୍କା ଅଣାଯାଇଛି। ଆଉ ସେହି ଅର୍ଥରେ ନିର୍ବାଚନମଣ୍ଡଳୀ ପିଛା ପ୍ରାୟ ୫ହଜାର ମୋବାଇଲ୍ ଫୋନ୍ ବଣ୍ଟନ କରାଯିବାର ପ୍ରକ୍ରିୟା ଜାରି ରହିଛି।

ତେବେ ବିଜୁ ଯୁବ ବାହିନୀର ସଦସ୍ୟ ନଥିବା ଯୁବବର୍ଗ,ଏପରିକି ଅଧିକାଂଶ ଦଳୀୟ କର୍ମୀ ଏହି ମୋବାଇଲ ଫୋନ୍ ପାଉନଥିବାରୁ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଲାଣି। ସେମାନେ ଖୋଲାଖୋଲି ଭାବେ ଏଥିପାଇଁ ଦଳର ବିଧାୟକ ଓ ନେତାଙ୍କୁ କଡ଼ା ଭାଷାରେ ଜବାବ ଦେବା ଆରମ୍ଭ କଲେଣି। ଏହି ମୋବାଇଲ ଫୋନ୍ ବାଣ୍ଟିବାର ନକାରାତ୍ମକ ପ୍ରଭାବ ତୃଣମୂଳସ୍ତରରେ ପଡ଼ୁଛି ବୋଲି ନେତାମାନେ ଆସି ତୃତୀୟ ମହଲାରେ ଜଣାଇସାରିଲେଣି। ମାତ୍ର ଯେତିକି ମୋବାଇଲ୍ ଫୋନ୍ କିଣା ହୋଇଛି ସେସବୁକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବାଣ୍ଟିବା ଉପରେ ତୃତୀୟ ମହଲା ଗୁରୁତ୍ୱ ଦେଉଛି। କିନ୍ତୁ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ତେଣୁ ଏହି ଦୁଇଟି ସ୍କିମରୁ ରାଜନୀତିକ ଫାଇଦା ନେବାକୁ ଚାହିଁ ବସିଥିବା ବିଜେଡି ପାଇଁ ଏବେ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି।



from Odisha Reporter https://ift.tt/2BZTyD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages