
ନୂଆଦିଲ୍ଲୀ: ଦିଲ୍ଲୀର କାରୋଲବାଗ୍ ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ଘଟିଥିବା ଅଗ୍ନିକାଣ୍ଡରେ ୧୭ ଜୀବନ ଯାଇଥିବାବେଳେ ଏବେ ଏହାର ଏକ ସାଂଘାତିକ ଦିଗ ସାମ୍ନାକୁ ଆସିଛି। ଏଭଳି ବିପତ୍ତି ସମୟରେ ଏମର୍ଜେନ୍ସି ଏକ୍ଜିଟ୍ ବା ଜରୁରୀକାଳୀନ ପ୍ରସ୍ଥାନ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ପ୍ରତିଦିନ ରାତିରେ ଏହାର ଏମର୍ଜେନ୍ସି ଏକ୍ଜିଟ୍ ବନ୍ଦ କରାଯାଉଥିଲା ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେଜେ ଆଲ୍ଫୋନ୍ସ କହିଛନ୍ତି।
ଏହି ହୋଟେଲର ଶୀର୍ଷ ଦୁଇ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ୧୭ ଜଣଙ୍କ ମଧ୍ୟରୁ ପ୍ରାୟ ୧୪ ଜଣ ବିଷାକ୍ତ ଧୂଆଁ ଭିତରେ ରୁନ୍ଧି ହୋଇଯିବା କାରଣରୁ ମୃତ୍ୟୁବରଣ କରିଥିଲେ। ଅନ୍ୟ ପକ୍ଷରେ ୩ ଜଣ ଧୂଆଁରୁ ବଞ୍ଚିବାପାଇଁ ତଳକୁ ଡେଇଁପଡ଼ିବାରୁ ପ୍ରାଣ ହରାଇଥିବା ଜଣାଯାଇଛି।
ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଆଲ୍ଫୋନ୍ସ କହିଥିଲେ, ଆମେ ଏମର୍ଜେନ୍ସି ଏକ୍ଜିଟ୍ ଦେଖିଲୁ, ଏହା ସମ୍ପୂର୍ଣ୍ଣ ବେଆଇନ। ଏହା ସଂକୀର୍ଣ୍ଣ, ବ୍ୟବସ୍ଥିତ ନୁହେଁ ଏବଂ ରାତିରେ ବନ୍ଦ ହୋଇଯାଏ। ଆମ ପାଖରେ ଥିବା ସୂଚନା ଅନୁଯାୟୀ ରାତିରେ ଏହି ସବୁ ଗେଟ୍ ବନ୍ଦ ହୋଇଯାଏ ଏବଂ ସିକ୍ୟୁରିଟି ଗାର୍ଡ ଜଗି ରହିଥାନ୍ତି। କିନ୍ତୁ ଆମେ ଜାଣିନୁ ଅଗ୍ନିକାଣ୍ଡ ସମୟରେ କେହି ଗାର୍ଡ ଥିଲେ କି ନାହିଁ।
ଅର୍ପିତ ପ୍ୟାଲେସ୍ ନାମକ ଏହି ହୋଟେଲରେ ଏହି ଅଗ୍ନିକାଣ୍ଡ କାରଣରୁ ୩୫ ଜଣ ଆହତ ମଧ୍ୟ ହୋଇଥିବା ଜଣାଯାଇଛି। ଜଣେ ୪୩ ବର୍ଷର ମହିଳାଙ୍କ ଶରୀରର ୪୫ ପ୍ରତିଶତ ପୋଡ଼ିଯାଇଥିବା ଶ୍ରୀ ଆଲଫୋନ୍ସ ଜଣାଇଛନ୍ତି। ଶର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ରୁମ୍ ଭିତରେ କାଠରେ ନିର୍ମିତ ଚଟାଣ ସମେତ ଅନ୍ୟାନ୍ୟ ସାଜସଜ୍ଜା ହୋଇଥିବାରୁ ନିଆଁ ସହଜରେ ବ୍ୟାପିଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିକଟବର୍ତ୍ତୀ ହୋଟେଲ ଗୁଡ଼ିକରେ ଅନୁରୂପ ନିୟମ ଉଲ୍ଲଂଘନ ହୋଇଛି କି ନା ସେନେଇ ମଧ୍ୟ ତଦନ୍ତ କରାଯିବ।
from Odisha Reporter http://bit.ly/2SwQ1qh
No comments:
Post a Comment