
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶା ପ୍ରତି ଅଣଦେଖା ଓ ଅବହେଳା କରାଯାଇଛି। ଏହାର ଏକ ବଡ଼ ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ମୁମ୍ବାଇରେ ଲୋକାର୍ପିତ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ସଂଗ୍ରହାଳୟରେ ୨୫ଟି ଆଞ୍ଚଳିକ ଭାଷାର ଫିଲ୍ମକୁ ସ୍ଥାନ ମିଳିଥିବା ବେଳେ ଗୋଟିଏ ହେଲେ ଓଡ଼ିଆ ଫିଲ୍ମର ପୋଷ୍ଟର କିମ୍ୱା କଳାକାରଙ୍କ ଫଟୋ ସ୍ଥାନ ପାଇନି। ଏହାକୁ ନେଇ କଳାକାର ତଥା ସ୍ୱାଭିମାନୀ ଓଡ଼ିଆଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ମୁମ୍ବାଇ ପେଡାର ରୋଡ୍ରେ ଶୋଭା ପାଉଛି ସଦ୍ୟ ଲୋକାର୍ପିତ ତଥା ଜାତୀୟ ସ୍ତରରେ ପ୍ରଥମ ଚଳଚ୍ଚିତ୍ର ସ୍ମାରକୀ ‘ଭାରତୀୟ ସିନେମା ସଂଗ୍ରହାଳୟ’। ଏହି ବିଶାଳ କୋଠାରେ ଜୀବନ୍ୟାସ ପାଇଛି ଭାରତୀୟ ଚଳଚ୍ଚିତ୍ର ଇତିହାସର ଇତିବୃତ୍ତ। ଭାରତୀୟ ଚଳଚ୍ଚିତ୍ରର ଇତିହାସ, ପରମ୍ପରା, ସ୍ମୃତି ଓ ଗୌରବମୟ ଗାଥାକୁ ଉଜ୍ଜୀବିତ କରିବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପ୍ରତିଷ୍ଠା ହୋଇଛି ଏହି ଭବ୍ୟ ଅନୁଷ୍ଠାନ। ଏଥିରେ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ବିଭିନ୍ନ ଭାଷାର ବହୁ କାଳଜୟୀ ସିନେମା ଓ ସିନେମା ସହ ଜଡ଼ିତ ବହୁ ମହାନ ବ୍ୟକ୍ତିତ୍ୱ, ଭିଜୁଆଲ ଗ୍ୟାଲେରି ଓ ଫଟୋଚିତ୍ର ସ୍ଥାନ ପାଇଛି। ଏଠାରେ ଦେଶର ୨୫ଟି ଭାଷାର ଫିଲ୍ମ ସମ୍ପର୍କରେ ତଥ୍ୟ ରହିଛି। ହେଲେ ଓଡ଼ିଆ ଫିଲ୍ମ କି କଳାକାରଙ୍କ ସମ୍ପର୍କରେ କିଛି ବି ତଥ୍ୟ ସ୍ଥାନ ଦିଆଯାଇନି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ।
ଏହି ସଂଗ୍ରହାଳୟରେ ୧୯୩୬ ପରଠୁ ଏଯାବତ ନିର୍ମିତ ସମସ୍ତ ଭାରତୀୟ ସିନେମା ସମ୍ପର୍କରେ ଭିନ୍ନ ଭିନ୍ନ ତଥ୍ୟ ସାଇତା ଯାଇଛି। ତେବେ ଓଡ଼ିଆ ଫିଲ୍ମର ଇତିହାସ କି ବର୍ତ୍ତମାନ ସମ୍ପର୍କରେ ପଦୁଟିଏ ମଧ୍ୟ ତଥ୍ୟ ନଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡ଼ିଆ ସିନେପ୍ରେମୀ। ୧୯୩୬ରେ ନିର୍ମିତ ପ୍ରଥମ ଓଡ଼ିଆ ଫିଲ୍ମ ‘ସୀତା ବିବାହ’ ହେଉ କି ୧୯୬୬ର ‘ମାଟିର ମଣିଷ’ ବା କାଳଜୟୀ ଫିଲ୍ମ ‘ମାୟା ମିରିଗ’ କିମ୍ୱା ଅନ୍ୟ କୌଣସି ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମକୁ ସଂଗ୍ରହାଳୟରେ ସ୍ଥାନ ମିଳିନି।
ସେପଟେ ଏଭଳି ଜାତୀୟ ପ୍ରତିଷ୍ଠାନରେ ଓଡ଼ିଆ ଫିଲ୍ମକୁ କେଉଁ ପରିସ୍ଥିତିରେ ସାମିଲ କରାଗଲାନି ତାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।
from Odisha Reporter http://bit.ly/2S9hApp
No comments:
Post a Comment