
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଲକାତା ପୁଲିସ୍ କମିଶନରଙ୍କ ଘରେ ସିବିଆଇ ଅଧିକାରୀଙ୍କ ପ୍ରବେଶକୁ ବିଜେଡି ନିନ୍ଦା କରିଛି। ଲୋକସଭାରେ ବିବୃତି ରଖି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହାକୁ ନିନ୍ଦା କରିଛନ୍ତି।
ଶ୍ରୀ ମହତାବ କହିଛନ୍ତି, “ସିବିଆଇର ତଦନ୍ତ କରିବା ଯୁକ୍ତିଯୁକ୍ତ, ହେଲେ ଯେଉଁ ଢଙ୍ଗରେ ରାଜୀବ କୁମାରଙ୍କ ଘରେ ପୁଣି ୪୦ ଜଣ ଅଧିକାରୀ ପ୍ରବେଶ କଲେ, ତାହା ଆଦୌ ଗ୍ରହଣୀୟ ନୁହଁ। ଗତ କିଛିବର୍ଷ ହେଲା ସିବିଆଇ ଯେଉଁ ଢଙ୍ଗରେ କାମ କରୁଛି, ତାକୁ ନେଇ ସଂସ୍ଥାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି। ତା’ ଛଡ଼ା ଗତ ସନ୍ଧ୍ୟାରେ ସିବିଆଇ ଯାହା କରିଛି, ତାହା ବୃତ୍ତିଗତ ଆଚରଣର ପରିଚୟ ନୁହଁ।”
ସେ ଆହୁରି କହିଛନ୍ତି,“ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଘଟିଛି। କିଛି ବ୍ୟକ୍ତିଙ୍କର ସ୍ୱାର୍ଥ ସାଧନ ପାଇଁ ସିବିଆଇ କାମ କରୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଜଣେ ବିଚାରପତିଙ୍କ ଘରେ ସିବିଆଇ ପଶିଥିଲା। ଏଣୁ କାଲି ଯାହା ଘଟିଲା, ସିବିଆଇର କିଛିବର୍ଷର ଆଚରଣର ପ୍ରତିଫଳନ।”
ସିବିଆଇ ରାଜନୀତିକ ଦଳ ବା ସରକାରଙ୍କ ଅସ୍ତ୍ର ଭାବେ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ କହିଛନ୍ତି, “ସିବିଆଇର ବିଶ୍ୱସନୀୟତା ଏବେ ସର୍ବନିମ୍ନ ସ୍ତରରେ ରହିଛି। ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଆଦୌ ଗ୍ରହଣୀୟ ନୁହେଁ। କେନ୍ଦ୍ର ଶୀଘ୍ର ହସ୍ତକ୍ଷେପ କରୁ। ଆମେ ଚାହୁଁଛୁ ଏହାର ସମାଧାନ ରାସ୍ତା ଶୀଘ୍ର ବାହାରୁ।”
from Odisha Reporter http://bit.ly/2S50vwy
No comments:
Post a Comment