
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା(ସିବିଆଇ) ମୁଖ୍ୟ କିଏ ହେବ, ତାକୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ଆଜି ସନ୍ଧ୍ୟାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। କାରଣ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍ କମିଟିର ବୈଠକ ରହିଛି।
ଏହି ବୈଠକରେ ସିବିଆଇ ମୁଖ୍ୟ ପଦ ପାଇଁ ନାଁ ଚୂଡ଼ାନ୍ତ ହେବ। ଗତକାଲି ମଧ୍ୟ ହାଇପାୱାର ସିଲେକ୍ସନ୍ କମିଟି ବସିଥିଲା। ତେବେ ସିବିଆଇ ମୁଖ୍ୟ କିଏ ହେବେ, ସେକଥା ସ୍ଥିର ହୋଇପାରି ନଥିଲା।
ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ରହିଛନ୍ତି।
ଆଜିର ବୈଠକରେ ୫ ଜଣ ବରିଷ୍ଠ ଆଇପିଏସ୍ଙ୍କୁ ମଧ୍ୟରୁ କମିଟି ଜଣଙ୍କ ନାଁରେ ମୋହର ମାରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ୫ ଜଣ ବରିଷ୍ଠ ଆଇପିଏସ୍ମାନେ ୧୯୮୩ ,୧୯୮୪ ଓ ୧୯୮୫ ବ୍ୟାଚ୍ର। କମିଟି ଗତକାଲି ୩୦ ଜଣଙ୍କ ନାଁକୁ ନେଇ ମାନସମନ୍ଥନ କରିଥିଲା। ତେବେ ୩୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଛି।
ସେମାନେ ହେଲେ ପୂର୍ବତନ ମଧ୍ୟପ୍ରଦେଶ ଡିଜିପି ଆର୍କେ ଶୁକ୍ଳା(୧୯୮୩),ସିଆରପିଏଫ୍ ମୁଖ୍ୟ ଆରଆର ଭଟ୍ଟନାଗର(୧୯୮୪, ୟୁପି), ଏନ୍ଏସ୍ଜି ମୁଖ୍ୟ ସୁଦୀପ ଲଖଟାକିଆ(୧୯୮୪, ୟୁପି), ଏନ୍ଆଇସିଏଫ୍ଏସ୍ ନିର୍ଦ୍ଦେଶକ ଜାଭେଦ ଅହମ୍ମଦ(୧୯୮୫, ୟୁପି) ଓ ବିପି ଆର ଆଣ୍ଡ ଡି ମୁଖ୍ୟ ଏପି ମାହେଶ୍ୱର(୧୯୮୪,ୟୁପି) ରହିଛନ୍ତି। ତେବେ ବରିଷ୍ଠତା ଦୃଷ୍ଟିରୁ ଆର୍କେ ଶୁକ୍ଳା ସବୁଠୁ ଆଗରେ ରହିଛନ୍ତି।
କମିଟି ନାଁ ଚୂଡ଼ାନ୍ତ କରିବା ପରେ ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜରିଆରେ ସିବିଆଇ ମୁଖ୍ୟଙ୍କ ନାଁ ସାର୍ବଜନୀନ କରାଯିବ।
from Odisha Reporter http://bit.ly/2D4nKMR
No comments:
Post a Comment