
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ‘କାଳିଆ’ ପାଇଁ ରାତି ଅଧରେ ରାସ୍ତାରେ ଗୋଟିଏ ଆମ୍ୱୁଲାନ୍ସ ଅଟକି ରହିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ! ଦୀର୍ଘ ୪ ଘଣ୍ଟା ପରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରେ ଟ୍ରାଫିକ ସ୍ଵାଭାବିକ ହୋଇଥିଲା। ଆଉ ତା’ପରେ ଆମ୍ୱୁଲାନ୍ସ ଗୁରୁତର ରୋଗୀଙ୍କୁ ଧରି ମେଡ଼ିକାଲ୍ ଅଭିମୁଖେ ଯାଇଥିଲା। ଗତକାଲି ରାତିରେ ଏମିତି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।
ଆଜି ବରଗଡ଼ ଜିଲ୍ଲାରେ ‘କାଳିଆ’ ଯୋଜନା ସମାବେଶ ହୋଇଥିଲା। ଏହି ସମାବେଶରେ ଯୋଗଦେବା ପାଇଁ ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲାରୁ କର୍ମୀମାନଙ୍କୁ ବସ୍ରେ ବରଗଡ଼ ଅଣାଯାଉଥିଲା। ତେବେ ବଲାଙ୍ଗିର ବାଇପାସ୍ ନିର୍ମାଣ ହେଇନଥିବାରୁ ରାତି ୧ଟା ପରେ ୨୬ ନମ୍ୱର ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଦୂରଦୂରାନ୍ତରୁ ଆସୁଥିବା ଗାଡ଼ି ଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲା।
ଗୁରୁବାର ରାତି ୩ ଟାରେ କଳାହାଣ୍ଡି ଜିଲ୍ଲା ଟେପ୍ସା ଗାଁର ହରି ମାଝୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଟିଟିଲାଗଡ଼ରୁ ବଲାଙ୍ଗିର ହସ୍ପିଟାଲ୍ ନେଉଥିଲେ। ତେବେ ଆମ୍ବୁଲାନ୍ସଟି ବଲାଙ୍ଗିରଠୁ ୧୦ କିଲୋମିଟର ପୂର୍ବରୁ ମଠଖାଇ ମନ୍ଦିର ନିକଟରେ ଟ୍ରାଫିକ ଜାମ୍ ଯୋଗୁ ଆଉ ଆଗକୁ ଯାଇପାରିନଥିଲା। ଆମ୍ୱୁଲାନ୍ସ ସାଇରନ୍ ବଜାଉଥିଲେ ମଧ୍ୟ କାହା କାନରେ ପଡ଼ିନଥିଲା।
ଟ୍ରାଫିକ୍ ଜାମ ଦେଖି ଆମ୍ବୁଲାନ୍ସ କର୍ମଚାରୀ ନିଜ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଭିଡ଼ ଭିତରୁ ବାହାର କରାଇଥିଲେ। ଚାରିଘଣ୍ଟା ବିଳମ୍ବରେ ବଲାଙ୍ଗିର ହସ୍ପିଟାଲ୍ରେ ପହଞ୍ଚିଥିଲେ ଗୁରୁତର ରୋଗୀ।
from Odisha Reporter https://ift.tt/2GCsEFh
No comments:
Post a Comment