
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍ଲାର ପ୍ରତିଶୋଧ ନେବା ପାଇଁ ଦେଶର ୩୬% ଲୋକ ପାକିସ୍ତାନ ସହ ଯୁଦ୍ଧ ହେବା ଚାହୁଁଛନ୍ତି। ଏଥିସହ ଆତଙ୍କବାଦୀ ଓ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଅଧିକ ସକ୍ଷମ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍ ପୋଲ ସର୍ଭେରୁ ଜଣାପଡ଼ିଛି।
ପୁଲୱାମା ଆତଙ୍କବାଦୀ ହମ୍ଲା ପରେ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳିଥିଲା। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସହ ଯୁଦ୍ଧ କରାଯିବା ଦରକାର କି ବୋଲି ପ୍ରଶ୍ନ ନେଇ ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ(ପିଏସ୍ଇ) ପାଇଁ ୨୯ଟି ରାଜ୍ୟରେ ସର୍ଭେ କରାଯାଇଥିଲା।
ଏହି ସର୍ଭେରେ ଦେଶର ୪୯% ଲୋକ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ମୋଦି ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ମତଦେଇଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ କରିବା କ୍ଷେତ୍ରରେ ରାହୁଲ ଗାନ୍ଧିଙ୍କୁ ୧୫%, ମନମୋହନ ସିଂହଙ୍କୁ ୩%, ଯୋଗୀ ଆଦିତ୍ୟନାଥକୁ ୧%, ପ୍ରିୟଙ୍କା ଗାନ୍ଧିଙ୍କୁ ୧%, ମମତା ବାନାର୍ଜୀଙ୍କୁ ୧%, ମାୟାବତୀଙ୍କୁ ୧%, ଅଖିଲେଶ ଯାଦବଙ୍କୁ ମାତ୍ର ୧% ଲୋକ ସକ୍ଷମ ବୋଲି ଚିନ୍ତା କରିଛନ୍ତି।
ଅନ୍ୟପକ୍ଷରେ ମୋଦି ସରକାରଙ୍କ ପାକିସ୍ତାନ ଓ କଶ୍ମୀର ପଲିସି ୟୁପିଏ ସରକାରଙ୍କ ଠାରୁ ଭଲ ବୋଲି ୭୪% ଲୋକ ମତ ଦେଇଛନ୍ତି। ୟୁପିଏ ପଲିସିକୁ ୨୨% ଲୋକ ପସନ୍ଦ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀଙ୍କ ପଲିସିକୁ ମାତ୍ର ୧୨% ଲୋକ ଭଲ ବୋଲି କହିଛନ୍ତି।
ସର୍ଭେରେ ଯୋଗ ଦେଇଥିବା ଅଧିକାଂଶ ଲୋକ ସର୍ଜିକାଲ ଷ୍ଟ୍ରାଇକ ବଦଳରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସହ ଯୁଦ୍ଧ କରିବାର ବିକଳ୍ପକୁ ଅଧିକ ପସନ୍ଦ କରିଛନ୍ତି। ୩୬% ଲୋକ ପାକିସ୍ତାନ ସହ ପୂରା ଦମରେ ଯୁଦ୍ଧ କରିବାକୁ କହିଥିବା ବେଳେ ୨୩% ଲୋକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ମତ ଦେଇଛନ୍ତି।
ପୁନଶ୍ଚ ଆମେରିକା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ବିରୋଧରେ ଯେଉଁଭଳି ଅପରେସନ୍ କରିଥିଲା, ସେହିଭଳି ଭାରତ ମଧ୍ୟ ମାସୁଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ୧୮% ଲୋକ ମତ ଦେଇଛନ୍ତି। ୧୫% ଲୋକ କୂଟନୀତି ଓ ଆର୍ଥିକ କ୍ଷେତ୍ରରେ ପାକିସ୍ତାନକୁ ଏକଘରିକିଆ କରିବାକୁ କହିଛନ୍ତି।
from Odisha Reporter https://ift.tt/2NkGmNq
No comments:
Post a Comment