
ନାଗପୁର: ରଣଜୀ ଚାମ୍ପିୟନ ବିଦର୍ଭ ପୁଣିଥରେ ଜଲୱା ଦେଖାଇଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଇରାନୀ କପ୍ ଜିତିବାର ରେକର୍ଡ ବିଦର୍ଭ ନିଜ ନାଁରେ କରିଛି। ଗତଥର ମଧ୍ୟ ବିଦର୍ଭ ରଣଜୀ ଚାମ୍ପିୟନ ହେବା ସହ ଅବଶିଷ୍ଟ ଭାରତକୁ ପରାସ୍ତ କରି ଇରାନୀ କପ୍ ଜିତିଥିଲା।
ଏହି ମ୍ୟାଚ୍ରେ ଅବଶିଷ୍ଟ ଭାରତ ପକ୍ଷରୁ ହନୁମାନ ବିହାରୀ ଦୁଇଟି ଯାକ ଇନିଂସ୍ରେ ଶତକ ହାସଲ କରିଥିଲେ ହେଁ ଦଳ ଦୁଃଖଦ ପରାଜୟ ବରଣ କରିଛି।
ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଚାଲିଥିବା ଇରାନୀ କପ୍ ମ୍ୟାଚରେ ଘରୋଇ ଦଳ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନ୍ ହୋଇଛି। ଅବଶିଷ୍ଟ ଭାରତ ଦେଇଥିବା ୨୮୦ ରନ୍ର ଟାର୍ଗେଟର ପିଛା କରୁଥିବା ବିଦର୍ଭ ଶେଷ ଦିନରେ ୫ ୱିକେଟ୍ ହରାଇ ୨୬୯ ରନ୍ କରି ମ୍ୟାଚ୍ ଡ୍ର’ ରଖିଥିଲା।
ତେବେ ପ୍ରଥମ ଘରୋଇ ଦଳ ପାଇଥିବା ୯୫ ରନ୍ର ଅଗ୍ରଣୀ ଭିତ୍ତିରେ ବିଦର୍ଭକୁ ବିଜୟୀ ଘୋଷଣା କରାଯାଇଥିଲା। ଗତ ସଂସ୍କରଣରେ ମଧ୍ୟ ବିଦର୍ଭ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଇରାନୀ କପ୍ ଟାଇଟଲ୍ ଜିତିଥିଲା। ପ୍ରଥମ ଇନିଂସ୍ରେ ଶତକ ହାସଲ କରିଥିବା ବିଦର୍ଭର ଅକ୍ଷୟ କାରନେୱରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।
୨୮୦ ରନ୍ ଲକ୍ଷ୍ୟର ପିଛା କରୁଥିବା ବିଦର୍ଭ ଗତକାଲି ୧ ୱିକେଟ୍ ହରାଇ ୩୭ ରନ୍ କରିଥିଲା। ଶନିବାର ଦଳର ଦୁଇ ଅପରାଜିତ ବ୍ୟାଟସ୍ମ୍ୟାନ୍ ସଞ୍ଜୟ ରଘୁନାଥ ଓ ଅଥର୍ବ ଟାଇଡେ ଦ୍ୱିତୀୟ ୱିକେଟ୍ ପାଇଁ ୧୧୬ ରନ୍ର ଭାଗୀଦାରି କରିଥିଲେ। ଉଭୟ ରଘୁନାଥ(୪୨) ଓ ଟାଇଡେ(୭୨)ଙ୍କୁ ରାହୁଲ ଚହର ଆଉଟ୍ କରି ଅବଶିଷ୍ଟ ଭାରତକୁ କମବ୍ୟାକ୍ର ସୁଯୋଗ ଦେଇଥିଲେ। ତେବେ ଏହାପରେ ଗଣେଶ ସତୀଶ ଓ ମୋହିତ କାଲେ ଜବରଦସ୍ତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ।
ଦଳୀୟ ସ୍କୋର ୨୨୯ ଥିବା ବେଳେ କାଲେ (୩୭)ଙ୍କୁ ଧର୍ମେନ୍ଦ୍ର ସିଂହ ଜାଡେଜା ପ୍ୟାଭିଲିୟନ୍ ପଠାଇଦେଇଥିଲେ। ଇତି ମଧ୍ୟରେ ସତୀଶ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ମାତ୍ର ୧୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ହନୁମା ବିହାରୀ ଆଉଟ୍ କରିଥିଲେ। ସେ ଆଉଟ୍ ହେବା ବେଳକୁ ବିଦର୍ଭକୁ ବିଜୟ ପାଇଁ ଆଉ ୧୧ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ଦିବସର ଓଭର କୋଟା ଶେଷ ହୋଇଯାଇ ଥିବାରୁ ମ୍ୟାଚ୍କୁ ବନ୍ଦ କରିଦିଆଯାଇଥିଲା ।
ଅବଶିଷ୍ଟ ଭାରତ ପକ୍ଷରୁ ରାହୁଲ ଚହର ୨ଟି, ଅଙ୍କିତ ରାଜପୁତ, ଧର୍ମେନ୍ଦ୍ର ସିଂହ ଜାଡେଜା ଓ ହନୁମା ବିହାରୀ ଗୋଟିଏ ଲେଖାଏ ୱିକେଟ୍ ଦଖଲ କରିଛନ୍ତି।
ଅବଶିଷ୍ଟ ଭାରତ ପ୍ରଥମ ଇନିଂସ୍ରେ ହନୁମା ବିହାରୀ (୧୧୪)ଙ୍କ ଶତକ ସାହାଯ୍ୟରେ ୩୩୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ବିଦର୍ଭ କାରନେୱଲ(୧୦୨)ଙ୍କ ଶତକ ବଳରେ ୪୨୫ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଫଳରେ ଦଳ ୯୫ ରନ୍ରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟ ଇନିଂସ୍ରେ ଅବଶିଷ୍ଟ ଭାରତ ବିହାରୀ (୧୮୦)ଙ୍କ ରେକର୍ଡ ଶତକ ବଳରେ ୩ ୱିକେଟ୍ ହରାଇ ୩୭୪ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା।
from Odisha Reporter http://bit.ly/2IhNyv5
No comments:
Post a Comment