
ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକା ସ୍ପିଡ୍ଷ୍ଟର୍ କ୍ୟାଗିସୋ ରାବଡାଙ୍କୁ ହଟାଇ ଅଷ୍ଟ୍ରେଲୀୟ ଫାଷ୍ଟ୍ ବୋଲର୍ ପ୍ୟାଟ୍ କମିନ୍ସ ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଟେଷ୍ଟ ବୋଲର୍ ମାନ୍ୟତାରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଡର୍ବାନ୍ ଟେଷ୍ଟ୍ରେ ଭ୍ରମଣକାରୀ ଶ୍ରଲଙ୍କା ବିପକ୍ଷରେ ଘରୋଇ ଦଳର ଅପ୍ରତ୍ୟାଶିତ ପରାଜୟ ପରେ ରାବଡାଙ୍କ ମାନ୍ୟତାରେ ଏହି ଅବନତି ଘଟିଛି। ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଏଯାଏ ସେପରି ଉତ୍ସାହଜନକ ରହିନାହିଁ। ରାବଡା ଟେଷ୍ଟ୍ ବୋଲର୍ ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ସୁଇଂ ମାଷ୍ଟର୍ ଜେମ୍ସ୍ ଆଣ୍ଡରସନ୍ ୨ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି।
କିମ୍ବଦନ୍ତୀ ଦ୍ରୁତ ବୋଲର୍ ଗ୍ଲେନ୍ ମ୍ୟାକ୍ଗ୍ରାଥ୍ଙ୍କ ପରେ କମିନ୍ସ ପ୍ରଥମ ଅଷ୍ଟ୍ରେଲୀୟ ଭାବେ ଆଇସିସି ଟେଷ୍ଟ୍ ବୋଲର୍ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଶେଷଥର ପାଇଁ ୨୦୦୬ ଫେବ୍ରୁଆରୀରେ ମ୍ୟାଗ୍ଗ୍ରାଥ୍ ଏହି ଗୌରବ ହାସଲ କରିଥିଲେ। ୨୦୦୯ରେ ବାମହାତୀ ମିଚେଲ୍ ଜନ୍ସନ୍ ଆଇସିସି ରାଙ୍କିଙ୍ଗ୍ର ୨ ନମ୍ବର ସ୍ଥାନରେ ପହଞ୍ଚିଥିଲେ।
ଆଇସିସି ଟେଷ୍ଟ୍ ବୋଲର୍ ତାଲିକାରେ ଭାରତୀୟ ବାମହାତୀ ସ୍ପିନର୍ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ୫ମ ସ୍ଥାନରେ ଥିବାବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦଶମ ସ୍ଥାନରେ ଅଛନ୍ତି। ଜାଡେଜାଙ୍କ ପଛକୁ ଟ୍ରେଣ୍ଟ ବୋଲ୍ଟ, ଜେସନ୍ ହୋଲ୍ଡର ଏବଂ ମହମ୍ମଦ ଆବ୍ବାସ୍ ଭଳି ଅଗ୍ରଣୀ ବୋଲର ଅଛନ୍ତି।
ସେହିପରି ଡର୍ବାନ୍ ଟେଷ୍ଟରେ ଅପରାଜିତ ୧୫୩ ରନ୍ର ଦର୍ଶନୀୟ ଇନିଂସ୍ ଖେଳି ଭ୍ରମଣକାରୀ ଦଳକୁ ଚିତ୍ତାକର୍ଷକ ବିଜୟ ଦେଇଥିବା ଶ୍ରୀଲଙ୍କାର ବାମହାତୀ ବ୍ୟାଟ୍ସମ୍ୟାନ୍ କୁଶଲ୍ ପେରେରା ଏହି ଉଚ୍ଚକୋଟୀର ଇନିଂସ ପାଇଁ ଆଇସିସି ମାନ୍ୟତାର ୫୮ଟି ସ୍ଥାନ ଉପରକୁ ଉଠିଛନ୍ତି। କୁଶଲ୍ ବ୍ୟାଟିଂ ମାନ୍ୟତାର ୯୮ତମ ସ୍ଥାନରୁ ଆସି ୪୦ରେ ପହଞ୍ଚିଛନ୍ତି।
ତେବେ ଟେଷ୍ଟ୍ ବ୍ୟାଟିଂ ମାନ୍ୟତାରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପଛକୁ ୨ ନମ୍ବରରେ କିୱି ଅଧିନାୟକ କେନ ୱିଲିୟମ୍ସନ୍ ଏବଂ ତୃତୀୟ ସ୍ଥାନରେ ଭାରତୀୟ ଦଳର ମିଷ୍ଟର୍ ଡିପେଣ୍ଡେବଲ୍ ଚେତେଶ୍ୱର ପୂଜାରା ଅଛନ୍ତି।
ବଲ୍ ଟ୍ୟାମ୍ପରିଂ କାରଣରୁ ବାସନ୍ଦ ଦଣ୍ଡ ଭୋଗୁଥିବା ଦୁଇ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ ଏବଂ ଡେଭିଡ୍ ୱାର୍ଣ୍ଣର ଯଥାକ୍ରମେ ତାଲିକାର ଚତୁର୍ଥ ଏବଂ ସପ୍ତମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ସ୍ମିଥଙ୍କ ପଛକୁ ଜୋ’ ରୁଟ୍ ଏବଂ ହେନରୀ ନିକୋଲସ ଅଛନ୍ତି।
from Odisha Reporter http://bit.ly/2GNpdLd
No comments:
Post a Comment