
ଡର୍ବାନ: ଦକ୍ଷିଣ ଆଫ୍ରିକାର ଡର୍ବାନରେ ଇତିହାସ ସୃଷ୍ଟି କରିଛି ଭ୍ରମଣକାରୀ ଶ୍ରୀଲଙ୍କା। କୁଶଲ ପେରେରାଙ୍କ ଲଢ଼ୁଆ ଅପରାଜିତ ୧୫୩ ରନ୍ ବଳରେ ଶ୍ରୀଲଙ୍କା ଘରୋଇ ଦକ୍ଷିଣ ଆଫ୍ରିକାକୁ ଅପ୍ରତ୍ୟାଶିତ ଭାବେ ଗୋଟିଏ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ୨ଟିକିଆ ଟେଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି।
ଦକ୍ଷିଣ ଆଫ୍ରିକା ଦେଇଥିବା ୩୦୪ ରନ୍ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୮୩ ରନ୍ କରିଥିଲା। ଆଜି ଦଳ ଆରମ୍ଭରୁ ମଧ୍ୟ ଦୁଇଟି ୱିକେଟ୍ ହରାଇଥିଲା। ୧୧୦ ରନ୍ରେ ୫ ୱିକେଟ୍ ହରାଇ ଭ୍ରମଣକାରୀ ଦଳ ସଙ୍କଟରେ ପଡ଼ିଥିଲା। ତେବେ ୬ଷ୍ଠ ୱିକେଟ୍ ପାଇଁ କୁଶଲ ପେରେରା ଓ ଧନଞ୍ଜୟ ଡି ସିଲଭା ୯୬ ରନ୍ର ଭାଗୀଦାରି କରି ବିଜୟ ଆଶା ଉଜ୍ଜୀବିତ କରିଥିଲେ।
ଏହି ସମୟରେ ଡି ସିଲଭା ୪୮ ରନ୍ କରି ପ୍ୟାଭିଲିୟନ ଫେରି ଯାଇଥିଲେ। କିନ୍ତୁ ପେରେରା ହାର ମାନି ନଥିଲେ। ସେ ୧୪୬ଟି ବଲ୍ ଖେଳି ନିଜ ଟେଷ୍ଟ କ୍ୟାରିୟରର ୨ୟ ଶତକ ହାସଲ କରିଥିଲେ। ଶ୍ରୀଲଙ୍କା ଜିତିବା ପାଇଁ ୫୨ ରନ୍ ଦରକାର କରୁଥିବା ବେଳେ ପେରେରା ଛକା ମାରି ଦଳୀୟ ସ୍କୋରକୁ ୨୫୦ ପାର କରାଇଥିଲେ। ଡି’ସିଲଭା ଦଳୀୟ ସ୍କୋର ୨୦୬ ଥିବା ବେଳେ ଆଉଟ୍ ହୋଇଥିଲେ।
ଏହାପରେ ୨୨୬ ମଧ୍ୟରେ ଦଳର ୯ ଜଣ ବ୍ୟାଟସ୍ମ୍ୟାନ୍ ପ୍ୟାଭିଲିୟନ୍ ଫେରିଯାଇଥିଲେ। ତେବେଶେଷ ୱିକେଟ୍ ପାଇଁ ପେରେରା ବିଶ୍ୱ ଫର୍ଣ୍ଣାଣ୍ଡୋଙ୍କ ସହ ମିଶି ୭୮ ରନ୍ ଯୋଡ଼ିବା ସହ ଶ୍ରୀଲଙ୍କାକୁ ଅପ୍ରତ୍ୟାଶିତ ବିଜୟ ଆଣି ଦେଇଥିଲେ। ବିଶ୍ୱ ୨୭ଟି ବଲ୍ ଖେଳି ୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହି ମ୍ୟାଚ୍ ବିଜୟୀ ଇନିଂସ ପାଇଁ ପେରେରାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି।
ପ୍ରଥମ ଇନିଂସ ରେ ଦକ୍ଷିଣ ଆଫ୍ରିକା ୨୩୫ ରନ୍ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୧୯୧ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୨୫୯ ରନ୍ କରିବାରୁ ଶ୍ରୀଲଙ୍କାକୁ ୩୦୪ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହି ବିଜୟ ଟାର୍ଗେଟକୁ ଶ୍ରୀଲଙ୍କା ୯ ୱିକେଟ୍ ହରାଇ ହାସଲ କରିନେଇଥିଲା।
from Odisha Reporter http://bit.ly/2GMGMLg
No comments:
Post a Comment