
କଟକ(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଜମିରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଜଙ୍ଗଲ ସଂରକ୍ଷଣ ଆଇନ୍ ଉଲ୍ଲଂଘନ କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ୍ ଅନ୍ତର୍ଗତ ମଣିକୁଣ୍ଡ ଗାଁରେ ନିର୍ମାଣାଧୀନ ଏଭଳି ପ୍ରକଳ୍ପକୁ ନେଇ ଖପ୍ପା ହୋଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜଣାଇବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି। ୨ ସପ୍ତାହରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଡିସେମ୍ବର ୮ ତାରିଖରେ ୨୪୧ କୋଟି ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଣିକୁଣ୍ଡା ମୌଜାରେ ଏକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରାୟ ୧୫.୪୩ ଏକର ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ଏହି ପ୍ରକଳ୍ପ କାମ ଚାଲିଛି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତତ୍ତ୍ୱାବଧାନରେ ଘରୋଇ ଠିକା ସଂସ୍ଥା ଏଲ୍ ଆଣ୍ଡ ଟି କମ୍ପାନୀ ନିର୍ମାଣ କାମ କରୁଛି।
ହେଲେ ନିୟମ କହୁଛି, ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ୍-୧୯୮୦ ଅନୁସାରେ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯିବା କଥା। ମାତ୍ର ସେମିତି କିଛି କରାଯାଇନଥିବା ସୂଚନା ଅଧିକାର କର୍ମୀ ସମ୍ପଦ ସ୍ୱାଇଁ ଓ ଆଳୟ ସାମନ୍ତରାୟ ଅଭିଯୋଗ କରି ଏନ୍ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଞ୍ଚଳ ଆର୍ଡିସି ଓ କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଓ କଟକ ଡିଏଫ୍ଓଙ୍କୁ ପକ୍ଷଭୁକ୍ତ କରାଯାଇଛି।
ମାମଲାର ଶୁଣାଣି କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ ୨ ସପ୍ତାହରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2tyBMlK
No comments:
Post a Comment