
ନୂଆଦିଲ୍ଲୀ: କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ୨୦୧୯ ବିଶ୍ୱକପ୍ ଆସନ୍ତା ମେ’ ୩୦ରୁ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତ ମଧ୍ୟ ଏହି ଦୌଡ଼ରେ ପଛରେ ନାହିଁ। ଇଂଲଣ୍ଡ ମାଟିରେ ଏଥର ବିଶ୍ୱକପ୍ ହେବ। ତେଣୁ ପରିବେଶକୁ ଦେଖି ବିସିସିଆଇ ଖେଳାଳି ଚୟନ କରିବା ଆରମ୍ଭ କରିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଖେଳାଳିଙ୍କ ପ୍ରଦର୍ଶନ ଦେଖି ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଚୟନ କରିବ ବୋଲି ଜଣାପଡ଼ିଛି।
ଏହି ବିଶ୍ୱକପ୍ ଦୌଡ଼ରେ ରିଷଭ ପନ୍ତ, ବିଜୟ ଶଙ୍କର ଓ ଟେଷ୍ଟ ଟିମ୍ର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ମଧ୍ୟ ରହିଛନ୍ତି। ରାହଣେ ଦିନିକିଆ ଟିମ୍ରୁ ବାରମ୍ବାର ବାଦ ପଡ଼ୁଥିଲେ ହେଁ ତାଙ୍କୁ ଦରକାର ପଡ଼ିଲେ ବିଶ୍ୱକପ୍ ଟିମ୍ରେ ସାମିଲ କରାଯାଇ ପାରେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମକେ ପ୍ରସାଦ ସଙ୍କେତ ଦେଇଛନ୍ତି।
ସେ କହିଛନ୍ତି, “ ବିଶ୍ୱକପ୍ ପାଇଁ ଟିମ୍ ଚୟନ ବେଳେ ଦ୍ୱିତୀୟ ୱିକେଟ୍ କିପର ଭାବେ ରିଷଭ ପନ୍ତ, ଅଲରାଉଣ୍ଡର ଭାବେ ବିଜୟ ଶଙ୍କର ଓ ବ୍ୟାଟସ୍ମ୍ୟାନ୍ ଭାବେ ରାହଣେଙ୍କ ନାଁକୁ ମଧ୍ୟ ବିଚାରକୁ ନିଆଯିବ। ଏବେ ବି ଏହି ୩ ଜଣ ଖେଳାଳି ବିଶ୍ୱକପ୍ ଦୌଡ଼ରେ ରହିଛନ୍ତି।
ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିବାକୁ ଆଇସିସି ଯେଉଁ ତାରିଖ ଧାର୍ଯ୍ୟ କରିଛି, ତା’ର ଯଥେଷ୍ଟ ପୂର୍ବରୁ ଭାରତୀୟ ସ୍କ୍ୱାଡ ଘୋଷଣା ହେବ। ତେଣୁ ଏବେ ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି।
ଆଇପିଏଲ୍ ସମୟରେ ମଧ୍ୟ ଖେଳାଳିଙ୍କ ଫିଟନେସ ଓ ପ୍ରଦର୍ଶନକୁ ବିଚାର କରାଯିବ। ଏବେ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ୧୫ ତାରିଖରେ ଭାରତୀୟ ଦଳ ଘୋଷଣା ହେବ। ଏଥିରେ ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ସବୁ ତଥ୍ୟକୁ ବିଚାରକୁ ନେଇ ଚୂଡ଼ାନ୍ତ ୧୫ ଜଣଙ୍କ ନାଁ ଘୋଷଣା ହେବ। ପନ୍ତ ହେଉଛନ୍ତି ୱିକେଟ୍ କିପର ବ୍ୟାଟସ୍ମ୍ୟାନ।
ସେହିପରି ବିଜୟ ଶଙ୍କରଙ୍କୁ ମଧ୍ୟ ଜଣେ ବ୍ୟାଟସ୍ମ୍ୟାନ୍ ବ୍ୟତୀତ ଜଣେ ଅଲରାଉଣ୍ଡର ଭାବେ ବିଚାର କରାଯାଉଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ବିଜୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେଣୁ ସେ ବିଶ୍ୱକପ୍ ଟିମ୍ରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।”
ରାହଣେ ଏବେ ଇରାନୀ କପ୍ ଖେଳୁଛନ୍ତି। ଏଥିସହ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ମ୍ୟାଚ୍ଗୁଡ଼ିକରୁ ହିଁ ରାହଣେଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପନ୍ତଙ୍କ ବ୍ୟତୀତ ଦ୍ୱିତୀୟ ୱିକେଟ୍ କିପର ଭାବେ ଦୀନେଶ କାର୍ତ୍ତିକ ମଧ୍ୟ ରହିଛନ୍ତି। ତେଣୁ ଟିମ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡ୍ ଚୟନ କରିବା କାଠିକର ପାଠ ହେବ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।
from Odisha Reporter http://bit.ly/2Brn2th
No comments:
Post a Comment