
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମ୍ଲା ପରେ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳିବା ଆରମ୍ଭ ହୋଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ୪୦ ବୀର ଯବାନଙ୍କ ଜୀବନ ନେଇଥିବାରୁ ଇସ୍ଲାମାବାଦ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାରିଆଡ଼ୁ ଦାବି ଉଠିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଜରୁରୀ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟୀ (ସିସିଏସ୍) ବୈଠକ ଡକାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ୍ ବୈଠକରେ ୩ ସେନାର ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକରେ ଆତଙ୍କବାଦୀ ହମ୍ଲାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସେନା ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ ବୋଲି କହିଛନ୍ତି। ତେବେ ଯବାନଙ୍କ ବଳିଦାନର ବଦଲା କେବେ ଏବଂ କେମିତି ନିଆଯିବ, ସେକଥା ଭାରତ ସରକାର ନୁହନ୍ତି ବରଂ ସେନା ହିଁ ସ୍ଥିର କରିବ। ଏଥିପାଇଁ ଆଜି ସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରକାରର ଅନୁମତି ଦେଇଛନ୍ତି।
ଆଜି ଉତ୍ତର ପ୍ରଦେଶରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଛନ୍ତି, “ପୁଲୱାମା ଆକ୍ରମଣ ପରେ ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଇଛି। ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କ ମୃତ୍ୟୁର ବଦଲା ନେବାକୁ ଏବେ ୧୩୦ କୋଟି ଲୋକ ଚାହୁଁଛନ୍ତି।
ମୁଁ ଏଠି ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଦେଶ ପାଇଁ ଯବାନମାନେ ଦେଇଥିବା ବଳିଦାନ ବେକାର ଯିବନାହିଁ। ଏବେ ଭାରତ ସରକାର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପାଇଁ ସମୟ, ସ୍ଥାନ ଓ ତରିକା ନିଜ ଇଚ୍ଛା ଅନୁସାରେ କରିବାକୁ ଅନୁମତି ଦେଇଛନ୍ତି। ଏବେ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ନିସ୍ତାର ନାହିଁ।”
ପୁଲୱାମା ହମ୍ଲା ପରେ ମୋଦି ତାଙ୍କର ସମସ୍ତ ଦଳୀୟ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ହେଲେ ସେ ସମସ୍ତ ସରକାରୀ କାମ ପୂର୍ବ ସୂଚୀ ଅନୁଯାୟୀ କରିବେ ବୋଲି କହିଛନ୍ତି।
from Odisha Reporter http://bit.ly/2WZn2tH
No comments:
Post a Comment