ରବିବାର ନିର୍ଣ୍ଣାୟକ ଟି-୨୦: ନ୍ୟୁଜିଲ୍ୟାଣ୍ଡ ମାଟିରେ ନୂଆ ଇତିହାସ ଲେଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ରବିବାର ନିର୍ଣ୍ଣାୟକ ଟି-୨୦: ନ୍ୟୁଜିଲ୍ୟାଣ୍ଡ ମାଟିରେ ନୂଆ ଇତିହାସ ଲେଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ମାଟିରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍‌ ଜିତି ଇତିହାସ ରଚିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ସିରିଜ୍‌ର ନିର୍ଣ୍ଣାୟକ ଲଢ଼େଇ ପାଇଁ ହ୍ୟାମିଲଟନ୍‌ର ସେଡନ୍‌ ପାର୍କ ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ଆତ୍ମବିଶ୍ୱାସଭରା ରୋହିତ ସେନା ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ପରାସ୍ତ କରି ପ୍ରଥମଥର ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଛି।

ପୂର୍ବରୁ ଭାରତ କେବେ ହେଲେ ବି ନ୍ୟୁଜିଲ୍ୟାଣ୍ଡ ମାଟିରେ ଟି-୨୦ ସିରିଜ୍‌ ଜିତିନାହିଁ। ଯଦି ଆସନ୍ତାକାଲି ଟିମ୍‌ ଇଣ୍ଡିଆ ମ୍ୟାଚ୍‌କୁ ଜିତି ନିଏ, ତ’ହେଲେ ରୋହିତ ସେନାଙ୍କ ନାଁ ସବୁଦିନ ପାଇଁ ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆଠାରୁ ୪-୧ରେ ଦିନିକିଆ ସିରିଜ୍‌ ହାରିଥିବା କେନ୍‌ ୱିଲିମସନ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଆସନ୍ତାକାଲି ମ୍ୟାଚ୍‌ ସହ ସିରିଜ୍‌ ଜିତି ବଦଲା ନେବାକୁ ଲକ୍ଷ୍ୟ ରଖିବ।

ଗତ ୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆ ଏକାଧିକ ରେକର୍ଡ ରଚିଛି। ପ୍ରଥମେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ସେହିପରି ଦୀର୍ଘ ୧୦ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଏବେ ଆଉ ଏକ ଇତିହାସ ବା ରେକର୍ଡ ସୃଷ୍ଟି କରିବାଠାରୁ ଟିମ୍‌ ଇଣ୍ଡିଆ ଗୋଟିଏ ପାଦ ଦୂରରେ ରହିଛି।

ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ ୧-୧ରେ ବରାବର ରହିଛି। ପ୍ରଥମ ଟି-୨୦କୁ ନ୍ୟୁଜିଲ୍ୟାଣ୍ଡ ୮୦ ରନ୍‌ରେ ଜିତିଥିବା ବେଳେ ଟିମ୍‌ ଇଣ୍ଡିଆ ଅକଲ୍ୟାଣ୍ଡରେ ଜବରଦସ୍ତ କମ୍‌ବ୍ୟାକ୍‌ କରି ୭ ୱିକେଟ୍‌ରେ ଦ୍ୱିତୀୟ ଟି-୨୦କୁ ଜିତିଛି। ଆସନ୍ତାକାଲି ହ୍ୟାମିଲଟନ୍‌ରେ ଭାରତୀୟ ସମୟ ୧୨.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

ପ୍ରଥମ ଟି-୨୦ର ଚୂଡ଼ାନ୍ତ ଏକାଦଶ ତାଲିକାକୁ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍‌ରେ ପରିବର୍ତ୍ତନ କରି ନଥିଲା। ଦ୍ୱିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆର ବିଜୟ ହୋଇଥିବାରୁ ତୃତୀୟ ମ୍ୟାଚ୍‌ରେ ମଧ୍ୟ ୱିନିଂ କମ୍ବିନେଶନ ସହ ମଇଦାନକୁ ଓହ୍ଲାଇବାର ସମ୍ଭାବନା ସର୍ବାଧିକ। ତେବେ ଯଦି କେହି ଆହତ ହୁଅନ୍ତି, ତା’ହେଲେ ଶେଷ ମୁହୂର୍ତ୍ତରେ କିଛି ପରିବର୍ତ୍ତନ ହୋଇପାରେ।

ପ୍ରଥମ ମ୍ୟାଚ୍‌ରେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନ୍‌ ବିଫଳ ହୋଇଥିଲେ। ତେବେ ଦ୍ୱିତୀୟ ଟି-୨୦ରେ ଉଭୟ ଭଲ ଫର୍ମକୁ ଫେରିଥିବାର ସଙ୍କେତ ଦେଇଛନ୍ତି। ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଦଳକୁ ମାନସିକସ୍ତରରେ ଦୃଢ଼ କରିଛି। ସେହିପରି ପ୍ରଥମ ମ୍ୟାଚ୍‌ରେ ୪ ନଂରେ ବ୍ୟାଟିଂ କରିଥିବା

ରିଷଭ ପନ୍ତ ଦ୍ୱିତୀୟ ମ୍ୟାଚ୍‌ରେ ୩ ନଂରେ ବ୍ୟାଟିଂ କରିବାକୁ ଆସି ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିବା ସଙ୍ଗେସଙ୍ଗେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତେଣୁ ଆସନ୍ତାକାଲି ପନ୍ତ ୩ ନଂରେ ଓ ବିଜୟ ଶଙ୍କର ୪ ନଂରେ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ୫ମ ସ୍ଥାନରେ ନିର୍ଭରଯୋଗ୍ୟ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ କରିବାକୁ ଆସିବେ।

୬ଷ୍ଠ ସ୍ଥାନରେ ଦୀନେଶ କାର୍ତ୍ତିକ, ୭ମରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ୮ମ ସ୍ଥାନରେ କୃନାଲ ପାଣ୍ଡ୍ୟା ରହିଛନ୍ତି। ଭାରତ ଅଲରାଉଣ୍ଡର ପାଣ୍ଡ୍ୟା ଭ୍ରାତାଙ୍କ ସମେତ ୮ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ନେଇ ମଇଦାନକୁ ଓହ୍ଲାଇବା ଏକ ପ୍ରକାରର ନିଶ୍ଚିତ।

ପ୍ରଥମ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ବାମହାତୀ ଦ୍ରୁତ ବୋଲର ଖଲୀଲ ଅହମ୍ମଦ ଦ୍ୱିତୀୟ ମ୍ୟାଚ୍‌ରେ ଶାଣିତ ବୋଲିଂ କରିଛନ୍ତି। ଖଲୀଲଙ୍କ ଘାତକ ବୋଲିଂ କେବଳ ତାଙ୍କର ମନୋବଳକୁ ବୃଦ୍ଧି କରିନାହିଁ ବରଂ ଟିମ୍‌ ମ୍ୟାନେଜମେଣ୍ଟକୁ ମଧ୍ୟ ଆଶ୍ୱସ୍ତ କରିଛି।

ଅଭିଜ୍ଞ ଭୁବନେଶ୍ୱର କୁମାର ଓ ୟୁଜଭେନ୍ଦର ଚହଲ ନିଜର ଦାୟିତ୍ୱ ଦୁଇଟି ଯାକ ମ୍ୟାଚ୍‌ରେ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି। ତେଣୁ ଟିମ୍‌ ଇଣ୍ଡିଆ ବେଶ ଶକ୍ତିଶାଳୀ ରହିଛି। ଦ୍ୱିତୀୟ ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ସମ୍ମାନ ପାଇଥିବା କୃନାଲ ପାଣ୍ଡ୍ୟାଙ୍କ ଉପରେ ଆସନ୍ତାକାଲି ସମସ୍ତଙ୍କର ନଜର ରହିବ।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍‌। ତେବେ କିୱି ଟିମ୍‌ ତା’ର ମଧ୍ୟକ୍ରମର ବ୍ୟାଟିଂ ଲାଇନ୍‌ ଅପ୍‌କୁ ନେଇ ସାମାନ୍ୟ ଚିନ୍ତାରେ ରହିଛି। ଡାରିଲ ମିଚେଲ୍‌ ଦୁଇଟି ଯାକ ମ୍ୟାଚ୍‌ରେ ନିଜର ଯାଦୁ ଦେଖାଇ ପାରିନାହାନ୍ତି।

ଅଭିଜ୍ଞ ରସ୍‌ ଟେଲର ରନ୍‌ କରୁଥିଲେ ହେଁ ଟି-୨୦ ଭଳି ଛୋଟିଆ ଫର୍ମାଟରେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାରେ ବିଫଳ ହେଉଛନ୍ତି। ତେଣୁ ଦଳ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚାହିଁଲେ ବେଞ୍ଚରେ ବସାଇ ପାରିବ। ଅନ୍ୟଥା ଦଳରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ଏମ୍‌ଏସ୍‌ ଧୋନି(ୱି),କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲୀଲ ଅହମ୍ମଦ, ଶୁଭମନ ଗିଲ, ବିଜୟ ଶଙ୍କର ଓ ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ ଟିମ୍‌: କେନ୍‌ ୱିଲିମସନ(ଅଧିନାୟକ),ଡଗ୍‌ ବ୍ରେସୱେଲ,କଲିନ ଡି ଗ୍ରାଣ୍ଡହୋମ,ଲୁକି ଫରଗୁସନ,ସ୍କଟ କୁଙ୍ଗିଲେଜିନ, କଲିନ୍‌ ମନରୋ,ଡି ମିଚେଲ, ମିଚେଲ ସାଣ୍ଟନର,ଟିମ୍‌ ସେଫର୍ଟ,ଈଶ ଶୋଢ଼ି,ଟିମ ସାଉଦି, ରସ ଟେଲର, ବାଲାଇର ଟିକନେଟ ଓ ଜିମ୍ମି ନୀଶମ।



from Odisha Reporter http://bit.ly/2GiHz7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages