
ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ମାଟିରେ ପୂର୍ବରୁ କୌଣସି ଭାରତୀୟ ଟିମ୍ ଟି-୨୦ରେ ଯାହା କରିପାରି ନଥିଲା, ଆଜି ରୋହିତ ସେନା ତା’ କରି ଦେଖାଇଛି। ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୭ ୱିକେଟ୍ରେ ହରାଇ ନୂଆ ଇତିହାସ ସୃଷ୍ଟି କରିଛି। ଏହି ବିଜୟ ସହ ୩ଟିକିଆ ଟି-୨୦ ସିରିଜ୍କୁ ୧-୧ ସ୍ଥିତିରେ ମଧ୍ୟ ବରାବର କରିଛି ଟିମ୍ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍ କରିଥିବା ବେଳେ ଟିମ୍ ଇଣ୍ତିଆ ୭ଟି ବଲ ପୂର୍ବରୁ ୧୬୨ ରନ୍ କରି ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୧ ରନ୍ ଦରକାର ଥିବାବେଳେ ରିଷଭ ପନ୍ତ ୪ ରନ୍ ମାରି ଭାରତ ପାଇଁ ବିଜୟର ମୁଣ୍ଡି ମାରିଥିଲେ।
୪ ଓଭର୍ରେ ୩ଟି ୱିକେଟ୍ ନେଇ ମାତ୍ର ୨୮ ରନ୍ ଦେଇଥିବା କୃନାଲ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚନା କରାଯାଇଛି।
ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡ ୧୫୯ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧୱନ ଜବରଦସ୍ତ ଆରମ୍ଭ କରିଥିଲେ। ଶିଖ୍ର ଧୱନ୍ଙ୍କ ଅପେକ୍ଷା ରୋହିତ ଅଧିକ ବିସ୍ଫୋରକ ରୂପ ଦେଖାଇ ୨୯ଟି ବଲ୍ରେ ୫୦ ରନ୍ ହାସଲ କରିଥିଲେ।
ତେବେ ବଡ଼ ଶଟ୍ ଖେଳିବା ଆଶାରେ ରୋହିତ ଈଶ ଶୋଢ଼ିଙ୍କ ପ୍ରଥମ ଶିକାର ବନିଥିଲେ। ଏହାପରେ ୩୦ ରନ୍ କରିଥିବା ଧୱନଙ୍କୁ ଲୁକି ଫରଗୁସନ୍ ଆଉଟ୍ କରି ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟ୍କୁ ଠେଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରମୋସନ ପାଇ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ତାରକା ରିଷଭ ପନ୍ତ କିୱି ଟିମ୍ର ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ। ତାଙ୍କୁ ପ୍ରଥମେ ବିଜୟ ଶଙ୍କର ଓ ଶେଷ ପର୍ଯ୍ୟନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭରପୂର ସହଯୋଗ କରିଥିଲେ।
ବିଜୟ ୮ଟି ବଲ୍ରେ ୧୪ ରନ୍ କରିଥିବା ବେଳେ ଡାରିଲ ମିଚେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ବିଜୟ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୧୮ ରହିଥିଲା। ୪ର୍ଥ ୱିକେଟ୍ ପାଇଁ ଧୋନି ଓ ପନ୍ତ ୪୪ ରନ୍ ହାସଲ କରି ଭାରତକୁ ବିଜୟମଣ୍ଡିତ କରିଥିଲେ। ପନ୍ତ ଶେଷ ପର୍ଯ୍ୟନ୍ତ ୨୮ଟି ବଲ୍ରେ ୪୦ ଓ ଧୋନି ୧୭ଟି ବଲ୍ରେ ୨୦ ରନ୍ କରି ଅପରାଜିତ ରହିଥିଲେ।
ଏହାପୂର୍ବରୁ ଟସ୍ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ କଲିନ୍ ଡି ଗ୍ରାଣ୍ଡହୋମଙ୍କ ବିସ୍ଫୋରକ ୨୮ଟି ବଲ୍ରେ ୫୦ ରନ୍ ବଳରେ ୮ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା।
ଭାରତ ପକ୍ଷରୁ କୃନାଲ ପାଣ୍ଡ୍ୟା ସର୍ବଧିକ ୩ଟି ୱିକେଟ୍ ନେଇଥିବା ବେଳେ ଖଲୀଲ ଅହମ୍ମଦ ୨ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
from Odisha Reporter http://bit.ly/2GxljpK
No comments:
Post a Comment