
ସାହରନ୍ପୁର: ଉତ୍ତରାଖଣ୍ଡର ହରିଦ୍ୱାର ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ୭୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟ ୧୧ଟି ମୃତଦେହର ବର୍ତ୍ତମାନ ପୋଷ୍ଟମର୍ଟମ ଚାଲୁଛି ଏବଂ ରିପୋର୍ଟ ଆସିବା ପରେ ଯାଇ ସେମାନଙ୍କ ମୃତ୍ୟୁ ପାଇଁ ବିଷାକ୍ତ ଆଲକୋହଲ୍ ଦାୟୀ କି ନା, ତାହା ଜଣାପଡ଼ିବ।
ଉତ୍ତରାଖଣ୍ଡର ଏଡିଜି ଅଶୋକ କୁମାରଙ୍କ କହିବା ଅନୁଯାୟୀ, ଉତ୍ତରାଖଣ୍ଡର ବାଲୁପୁର ଏବଂ ଏହାର ପଡ଼ୋଶୀ ଜିଲ୍ଲାର ୨୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ସାହରନ୍ପୁର ଜିଲ୍ଲାର ୪୬ ଜଣ ଏହି ସ୍ଥାନରେ ମଦ୍ୟପାନ କରିଥିବା କାରଣରୁ ପ୍ରାଣ ହରାଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩୫ ଜଣ ସାହରନ୍ପୁରରେ ହିଁ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୧୧ ଜଣଙ୍କର ମୀରଟ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଉତ୍ତରାଖଣ୍ଡର ୨୦ ଜଣ ବ୍ୟକ୍ତି ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡର ବାଲୁପୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତ୍ରୟୋଦଶ ଦିବସ କ୍ରିୟାକର୍ମ ପାଇଁ ଆସିଥିବା ସମ୍ପର୍କୀୟମାନେ ଏହି ବିଷାକ୍ତ ମଦ ପିଇଥିଲେ। ଏପରିକି ସାହରନ୍ପୁରର ପିଣ୍ଟୁ ନାମକ ଜଣେ ଯୁବକ ସେହି ମଦର ୩୦ଟି ପାଉଚ୍ ଆଣି ଗାଁରେ ବିକି ଥିବାରୁ ଏହି ମୃତ୍ୟୁ ରାକ୍ଷସ ଉତ୍ତରାଖଣ୍ଡ ଯାଇନଥିବା ବ୍ୟକ୍ତିଙ୍କୁ ମଧ୍ୟ ଗ୍ରାସ କରିଥିଲା।
ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଥିବାବେଳେ ତଦନ୍ତ ଚାଲୁ ରହିଛି। ଉତ୍ତରାଖଣ୍ଡ ରାଜ୍ୟ ସରକାର ଏହି ଘଟଣା ପାଇଁ ଦାୟୀ ରହିଥିବା ୧୩ ଅବକାରୀ ବିଭାଗ ଅଧିକାରୀ ଏବଂ ୪ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରିଥିବାବେଳେ ଉତ୍ତରପ୍ରଦେଶ ସରକାର ୧୦ ଜଣ ପୁଲିସଙ୍କ ନିଲମ୍ବିତ କରିଛନ୍ତି।
ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ କ୍ଷତିପୂରଣ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସଙ୍ଗେସଙ୍ଗେ ନକଲି ମଦ ବିକ୍ରି ଉପରେ କଟକଣା ଜାରି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2BrB2Ds
No comments:
Post a Comment