
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଥିବା ଜାତୀୟ ନିର୍ବାଚନ କମିଶନଙ୍କ ପାଖରେ ଉଭୟ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି। ନିର୍ବାଚନରେ ପେଟ୍ରୋଲ ପମ୍ପଗୁଡ଼ିକ ମାଧ୍ୟମରେ ବିଜେପି ବହୁ ପରିମାଣର ଅର୍ଥବଳ ଉପଯୋଗ କରିପାରେ ବୋଲି ବିଜେଡି ଅଭିଯୋଗ କରିଥିବାବେଳେ ବିଜେପି ମଧ୍ୟ ‘ବିଜୁ ଯୁବ ବାହିନୀ’ର ଗୁଣ୍ଡାରାଜ୍ ଉପରେ ନଜର ରଖିବା ପାଇଁ ଦାବି କରିଛି।
ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍ ଆଜି ନିର୍ବାଚନ କମିଶନଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପ ଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ଦଳ ଦାବି କରିଛି। ପୂର୍ବରୁ ଉପନିର୍ବାଚନବେଳେ ବିଜେପି ଅନୁରୂପ ଭାବେ ପେଟ୍ରୋଲ ପମ୍ପ ମାଧ୍ୟମରେ ବ୍ୟାପକ ଅର୍ଥ କାରବାର କରିଛି। ତେଣୁ ଆଗାମୀ ନିର୍ବାଚନରେ ପେଟ୍ରୋଲ ପମ୍ପ ଗୁଡ଼ିକ ମାଧ୍ୟମରେ ବିପୁଳ ଅର୍ଥ ଠୁଳ କରାଯାଇ ସେଗୁଡ଼ିକୁ ଭୋଟ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବାର ଆଶଙ୍କା ଥିବାରୁ ଏ ଦିଗରେ ଦୃଷ୍ଟି ଦେବାକୁ କମିଶନଙ୍କୁ ଅନୁରୋଧ କରାଯାଇଛି। ସେହିପରି ବିଜେପୁର ଉପନିର୍ବାଚନବେଳେ ବିଜେପି ଦ୍ୱାରା ଯେଭଳି ବରଗଡ଼ ଜିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି କରାଯାଇଥିଲା ସେ ସମ୍ପର୍କରେ ମଧ୍ୟ ଦଳ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଅନ୍ୟପକ୍ଷରେ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଟିମ୍ ଆଜି ନିର୍ବାଚନ କମିଶନଙ୍କୁ ଭେଟି ବିଜୁ ଯୁବ ବାହିନୀର ଗୁଣ୍ଡାଗିରି ଉପରେ ନଜର ରଖିବାକୁ ଦାବି କରିଛନ୍ତି। ଶାସକ ବିଜେଡି ଏବେ ସରକାରୀ କର୍ମଚାରୀମାନଙ୍କୁ ଦଳୀୟ କାର୍ଯ୍ୟରେ ଉପଯୋଗ କରୁଛି। ବିଜୁ ଯୁବ ବାହିନୀ ମାଧ୍ୟମରେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକୁ କବଜା କରିପାରନ୍ତି ବୋଲି ଦଳ ଆଶଙ୍କା କରୁଛି । ତେଣୁ ବିଜୁ ଯୁବ ବାହିନୀ ଉପରେ କଟକଣା ଜାରି ପାଇଁ ବିଜେପି ଦାବି ଜଣାଇଛି।
ସେହିପରି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ନିର୍ବାଚନ କମିଶନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଦ୍ୱାରା ସରକାରୀ କଳର ବ୍ୟାପକ ଅପବ୍ୟବହାର କରାଯିବାର ଆଶଙ୍କା ରହିଛି। ଉଭୟ ବିଜେଡି ଓ ବିଜେପି ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ଉପଯୋଗ କରିବାର ଆଶଙ୍କା ରହିଛି। ତେଣୁ ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସୁରକ୍ଷା ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି।
ସେହିପରି ସିପିଆଇ ନେତା ନାରାୟଣ ରେଡ୍ଡୀ ମଧ୍ୟ ଇଭିଏମ୍ ପରିବର୍ତ୍ତେ ବ୍ୟାଲଟ ପେପର ବ୍ୟବହାର ଓ ବିଜୁ ଯୁବ ବାହିନୀ ଉପରେ କଟକଣା ଜାରି ପାଇଁ ଦାବି କରିଛନ୍ତି।
ପରେ ନିର୍ବାଚନ କମିଶନଙ୍କ ଟିମ୍ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ଜିଲ୍ଲା ନିର୍ବାଚନ ଅଧିକାରୀ, ପୁଲିସ ଆଇଜି, ଏସପି ଓ ୩ଟି ରାଜସ୍ୱ ଡିଭିଜନର କମିଶନରଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ସେହିପରି ନିର୍ବାଚନ କମିଶନଙ୍କ ଟିମ୍ ମଧ୍ୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ନିର୍ବାଚନ କମିଶନ ଟିମ୍ ଆସନ୍ତାକାଲି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ମୁଖ୍ୟ ସଚିବ, ଗୃହ ସଚିବ, ପୁଲିସ ଡିଜି, ଅର୍ଥ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
from Odisha Reporter http://bit.ly/2EahLIn
No comments:
Post a Comment