କାହା ପ୍ରୋତ୍ସାହନରେ ଚାଲିଛି ବିଜେଡିରେ ସମାନ୍ତରାଳ ସଂଗଠନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

କାହା ପ୍ରୋତ୍ସାହନରେ ଚାଲିଛି ବିଜେଡିରେ ସମାନ୍ତରାଳ ସଂଗଠନ?

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାସୀନ ବିଜେଡିରେ ଏବେ ଅଧିକାଂଶ ଜିଲ୍ଲାରେ ସମାନ୍ତରାଳ ସଂଗଠନ ମୁଣ୍ଡ ଟେକିବାରେ ଲାଗିଛି। ସାଂଗଠନିକ ବ୍ୟାପାରରେ ଦଳର ବରିଷ୍ଠ ଓ ପ୍ରଭାବଶାଳୀ ନେତାମାନଙ୍କ ଭୂମିକାକୁ ଉଦ୍ଦେଶ୍ୟମୂଳକ ଭାବେ ଗୌଣ କରାଯାଇ ଏହି ସମାନ୍ତରାଳ ସଂଗଠନର ଅଂଶବିଶେଷ ପାଲଟିଥିବା ନେତାମାନଙ୍କୁ ଅଗ୍ରାଧିକାର ମିଳୁଥିବା ଜଣାପଡ଼ିଛି। ନିର୍ବାଚନୀ ବର୍ଷରେ ଦଳ ଭିତରେ ପତିଆରା ପ୍ରଦର୍ଶନକୁ ନେଇ ବଢ଼ୁଥିବା ଏହି ଛକାପଞ୍ଝା ଏବେ ବିଜେଡି ପାଇଁ ବୁମେରାଂ ପାଲଟିବାକୁ ଯାଉଛି। ଆଉ ଏହା ୧୯୯୫ ମସିହାର ରାଜ୍ୟ ନିର୍ବାଚନର ରାଜନୀତିକ ଦୃଶ୍ୟପଟ୍ଟର ଇତିହାସକୁ ପୁନରାବୃତ୍ତି କରିବାର ଆଶଙ୍କା ଦେଖାଦେଇଛି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା(ଦ୍ୱିତୀୟ କ୍ଷମତାକେନ୍ଦ୍ର)ଙ୍କୁ ଆୟୁଧ କରି ଦଳର ଗୋଟିଏ ଗୋଷ୍ଠୀ ଏବେ ଅଧିକ ସକ୍ରିୟ ହୋଇପଡ଼ିଛି। ଏହି ଗୋଷ୍ଠୀ ହିଁ ଅର୍ଥବଳ ଓ କ୍ଷମତା ବଳ ମାଧ୍ୟମରେ ବିଜେଡି ସଂଗଠନକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସଂଗଠନକୁ ସମାନ୍ତରାଳ ଭାବେ ଚଳାଇବା ପାଇଁ ପଞ୍ଚାୟତ ନିର୍ବାଚନ ପରଠୁ ଆରମ୍ଭ ହୋଇଥିବା ଅଭିଯାନର ପ୍ରକୃତ ରୂପରେଖ ଏବେ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଯେଉଁମାନେ ଏହି ସମାନ୍ତରାଳ ସଂଗଠନର ଅଂଶ ପାଲଟିଛନ୍ତି ସେମାନଙ୍କୁ ଏବେ ବିଜେଡି ସଂଗଠନର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯିବା ସହ ଆର୍ଥିକ ଫାଇଦା ଦେବା କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ଦଳରେ ଏଭଳି ସମାନ୍ତରାଳ ସଂଗଠନକୁ ମୁଣ୍ଡ ଟେକିବା ଓ ପ୍ରୋତ୍ସାହନ ଦେଉଛି କିଏ ଓ କିଭଳି ଏବେ ଦିନକୁ ଦିନ ପ୍ରଭାବଶାଳୀ ହୋଇ କାୟାବିସ୍ତାର କରୁଛି? କୋରାପୁଟ, ମାଲକାନଗିରି, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, କଳାହାଣ୍ଡି, ବଲାଙ୍ଗିର,ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର ଓ ନୟାଗଡ଼ ଆଦି ଜିଲ୍ଲାରେ ଏଭଳି ସମାନ୍ତରାଳ ସଂଗଠନ ଏବେ ଅଧିକ ସକ୍ରିୟ ହୋଇଛି।

ବିଜେଡି ରଣନୀତି ସହ ଜଡ଼ିତ ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେଡି ସଭାପତି ଗତ ପ୍ରାୟ ଦେଢ଼ବର୍ଷ ହେବ ଦଳୀୟ ନେତାମାନଙ୍କୁ କ୍ୱଚିତ୍ ଭେଟୁଛନ୍ତି। ଉଭୟ ସାଂଗଠନିକ ଓ ସରକାରୀ କାର୍ଯ୍ୟ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଉପରେ ନ୍ୟସ୍ତ ହୋଇଛି। କାର୍ଯ୍ୟବ୍ୟସ୍ତତା ଓ କାର୍ଯ୍ୟର ଚାପ କାରଣରୁ ‘ଦ୍ୱିତୀୟ କ୍ଷମତାକେନ୍ଦ୍ର’ ନିଜର ଟିମ୍ ମଧ୍ୟରେ ବିଭିନ୍ନ ଦାୟିତ୍ୱକୁ ବାଣ୍ଟି ଦେଇଛନ୍ତି। ଆଉ ଚାରିକାନ୍ଥ ମଧ୍ୟରେ ରହି ରାଜନୀତିକ ଗୋଟିଚାଳନା କରିବାର ବାଧ୍ୟବାଧକତା ଓ ଏହି ଟିମ୍ ଉପରେ ମାତ୍ରାଧିକ ନିର୍ଭରଶୀଳତା ହିଁ ବିଜେଡିରେ ଏଭଳି ଏକ ସମାନ୍ତରାଳ ସଂଗଠନକୁ ଜନ୍ମ ଦେଇଛି। ବିରୋଧୀ ଦଳକୁ ଦୁର୍ବଳ କରିବା ଓ ଜିଲ୍ଲାଗୁଡ଼ିକରେ ସାଂଗଠନିକ ପ୍ରଭାବ ଥିବା ବିଜେଡି ନେତାଙ୍କୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବା ପାଇଁ ଯେଉଁ ଷ୍ଟ୍ରାଟେଜୀ ପ୍ରସ୍ତୁତ ହେଉଛି ତାକୁ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଟିମ୍ ହିଁ ନିଜସ୍ୱ ଫାଇଦା ନିମନ୍ତେ ଉପଯୋଗ କରୁଛି। ଏପରିକି ଏହି ଟିମର ଏଭଳି ଅର୍ନ୍ତଘାତୀ କାର୍ଯ୍ୟ ଯେଭଳି ଦଳର ମୁଖିଆ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ କାନରେ ନପଡ଼ିବ ସେଥିପାଇଁ ବି ଯଥାସମ୍ଭବ ପ୍ରୟାସ ହୋଇଛି।

ରାଜନୀତିକ କାର୍ଯ୍ୟ ପାଇଁ ଦ୍ୱିତୀୟ କ୍ଷମତାକେନ୍ଦ୍ର ଓ ତାଙ୍କ ଟିମ୍ ଯେଉଁ ଜଣେ ଯୁବନେତା(ଦଳର ସାଧାରଣ ସମ୍ପାଦକ)ଙ୍କୁ ଭରସା କରୁଛନ୍ତି ସେ ତା’ର ପ୍ରଚୁର ଫାଇଦା ଉଠାଇବାରେ ଲାଗିଛନ୍ତି। ବିଭିନ୍ନ କମ୍ପାନୀଠୁ ଦଳ ପାଇଁ ଚାନ୍ଦା ସଂଗ୍ରହ ଦାୟିତ୍ୱ ମଧ୍ୟ ଦଳର ସାଧାରଣ ସମ୍ପାଦକ ଥିବା ସେହି ଯୁବନେତାଙ୍କ ଉପରେ ରହିଛି। ସେ କେତେ ପାଣ୍ଠି ଆଣୁଛନ୍ତି ଓ କେତେ ଦଳ ପାଇଁ ଖର୍ଚ୍ଚ ହେଉଛି ତାହାର ଯାଞ୍ଚ କୌଣସି ସ୍ତରରେ କରାଯାଉନିି। ବିରୋଧୀ ଦଳର ନେତାଙ୍କ ସହ ଡିଲ୍ , ଦଳୀୟ ପାଣ୍ଠି ସଂଗ୍ରହ ଓ ବିଜେଡି ଉତ୍ତରାଧିକାରୀଙ୍କ ସଫଳ ଏଣ୍ଟ୍ରି ଆଦି ଭଳି ଅତ୍ୟନ୍ତ ଗୋପନୀୟ ମିଶନରେ ସେ ମିଡିଲମ୍ୟାନ୍ ଭଳି କାର୍ଯ୍ୟ କରୁଥିବାରୁ ତା’ର ଭରପୂର ଫାଇଦା ଉଠାଉଥିବା ଜଣାପଡ଼ିଛି। ସେ ଦଳର ଜିଲ୍ଲା କମିଟିଗୁଡ଼ିକରେ ନିଜର ଲୋକମାନଙ୍କୁ ରଖିଥିବାବେଳେ ଏବେ ରାଜ୍ୟ କମିଟିରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ କିଛି ନେତାଙ୍କୁ ସ୍ଥାନିତ କରିଛନ୍ତି। ଏପରିକି ସେ ନିଜକୁ ‘ସୁପର ଚିଫ୍ ମିନିଷ୍ଟର’ ଭାବେ ଉପସ୍ଥାପିତ କରିବାକୁ ପଛାଉନାହାନ୍ତି। କେବଳ ସେତିକି ନୁହେଁ ତାଙ୍କର ଏଭଳି ଅର୍ନ୍ତଘାତୀ କାର୍ଯ୍ୟକୁ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କୁ ଅବଗତ କରିବାର ସାମର୍ଥ୍ୟ ଥିବା କିଛି ପ୍ରଭାବଶାଳୀ ନେତାଙ୍କୁ ବିଭିନ୍ନ ଉପାୟରେ ଅପମାନିତ ଓ ବଦନାମ କରିବାରେ ଏହି ଯୁବନେତାଙ୍କ ଚାଲ୍ ମଧ୍ୟ ସଫଳ ହୋଇଛି।

ବିଜେଡି ନେତୃତ୍ୱ ଯଦି ଚାରିକାନ୍ଥ ଭିତରୁ ବାହାରି ସାଂଗଠନିକ ସ୍ଥିତିର ବାସ୍ତବତାକୁ ହୃଦୟଙ୍ଗମ ନକରିବେ ତା’ହେଲେ ସାଧାରଣ ନିର୍ବାଚନ ପରେପରେ ଏହି ଅନ୍ତଃକନ୍ଦଳ ହିଁ ଦଳକୁ ବିଭାଜନ ଆଡ଼କୁ ନେଇଯିବ ବୋଲି ଆଶଙ୍କା କରାଯାଉଛି।



from Odisha Reporter http://bit.ly/2WJfP0z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages