
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରେ ଟିମ୍ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନ ଖେଳି ନ ପାରନ୍ତି। ଉଭୟଙ୍କୁ ବିଶ୍ୱକପ୍ ଦୃଷ୍ଟିରୁ ବିଶ୍ରାମ ଦେବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି। ସେହିପରି ଟିମ୍ ଇଣ୍ଡିଆ କୋଚ ରବି ଶାସ୍ତ୍ରୀ ମଧ୍ୟ ପରୋକ୍ଷରେ ରୋହିତ ଓ ଧୱନ ବିଶ୍ରାମ ନେବା ଦରକାର ବୋଲି ମତ ଦେଇଛନ୍ତି।
ରବି ଶାସ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, “ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ଆମେ କିଛି ପରିବର୍ତ୍ତନ କରିବୁ। ଏ ବିଷୟରେ ଆମେ ଚୟନକର୍ତ୍ତାଙ୍କ ସହ ଆଲୋଚନା କରିଛୁ। ଆମେ କିଛି ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରୁଛୁ। ଏବେ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦରକାର। ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଯଶପ୍ରୀତ ବୁମ୍ରା ବ୍ୟାକ୍ କରିଥିବାରୁ ଏହା ଆମ ପାଇଁ ଖୁସି ଖବର।
ଆମେ ଭୁବନେଶ୍ୱର କୁମାରଙ୍କ ଉପରେ ମଧ୍ୟ ନଜର ରଖିଛୁ। ଦରକାର ପଡ଼ିଲେ, ତାଙ୍କୁ ମଧ୍ୟ ବିଶ୍ରାମ ଦିଆଯିବ। କେବଳ ବୋଲର ନୁହନ୍ତି, ବ୍ୟାଟସ୍ମ୍ୟାନମାନଙ୍କୁ ମଧ୍ୟ ବିଶ୍ରାମ ଜରୁରୀ। ରୋହିତ ଶର୍ମା ଓ ଶିଖର ଧୱନ ଲଗାତର ଖେଳି ଆସୁଛନ୍ତି। ତେଣୁ ଆଗାମୀ ମ୍ୟାଚ୍ ଗୁଡ଼ିକରେ ଅନ୍ୟମାନଙ୍କୁ ସୁଯୋଗ ଦେବାକୁ ଆମେ ଚିନ୍ତା କରୁଛୁ। କାହାକୁ ପରୀକ୍ଷା କରିବା ପାଇଁ ଏହା ଆମ ପାଖରେ ଶେଷ ସୁଯୋଗ।
ଯେଉଁମାନେ ବିଶ୍ୱକପ୍ର ଚୂଡ଼ାନ୍ତ ଏକାଦଶରେ ନାହାନ୍ତି, ସେମାନଙ୍କୁ ଏହି ସମୟରେ ଅଭ୍ୟାସର ସୁଯୋଗ ମିଳିପାରିବ। ଯଦି ସେମାନେ ଭଲ ପ୍ରଦର୍ଶନ କଲେ, ତା’ହେଲେ ବିଶ୍ୱକପ୍ରେ ଏହା ଆମକୁ ଫାଇଦା ଦେବ।”
from Odisha Reporter http://bit.ly/2MOjOo0
No comments:
Post a Comment