
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନୋରଞ୍ଜନର ମାଧ୍ୟମ ହେଉଛି ଯାତ୍ରା। ଏହା ହେଉଛି ଓଡ଼ିଶାର ଲୋକସଂସ୍କୃତିରୁ ଗୋଟିଏ। କିନ୍ତୁ ସିନେମା ପରି ଏହାଉପରେ ବି ଲାଗିଛି ଅଶ୍ଲୀଳତାର କଳାଦାଗ। ଶହ ଶହ ଦର୍ଶକଙ୍କ ଆଗରେ ମଂଚ ଉପରେ ଖୋଲାଖୋଲି ହେଉଛି ଅଶ୍ଲୀଳ ନୃତ୍ୟ। ଯାତ୍ରାମହାକୁମ୍ଭ ଖଣ୍ଡଗିରିରେ ନାଟକ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଷ୍ଟେଜ୍ରେ ଜଣେ ତୃନ୍ୟାଙ୍ଗନା ଅଶ୍ଲୀଳ ନୃତ୍ୟ ପରିବେଷଣ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ଏହାକୁ ନେଇ ସଂସ୍କୃତିପ୍ରେମୀ ଓ ଯାତ୍ରାପ୍ରେମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛି। ଅଶ୍ଳୀଳ ନୃତ୍ୟ ସଂପର୍କରେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ, କମିଶନରେଟ୍ ପୁଲିସ ଯାତ୍ରା ଆୟୋଜକଙ୍କ ଉପରେ ନାଲିଆଖି ଦେଖାଇବା ଆରମ୍ଭ କରିଛି।
ଭୁବନେଶ୍ୱରର ଖଣ୍ଡଗିରିରେ ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ଯାତ୍ରା ମହାକୁମ୍ଭ। ଏଥିରେ ପର୍ଯ୍ୟାୟକ୍ରମେ ଅପେରା ପରିବେଷଣ କରୁଛନ୍ତି ରାଜ୍ୟର ନାମିଦାମି ଯାତ୍ରା ଅନୁଷ୍ଠାନ। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜକମାନେ ବାହାରୁ ଆମଦାନୀ କରୁଛନ୍ତି ନୃତ୍ୟାଙ୍ଗାନା। କିଏ ମୁମ୍ୱାଇରୁ ଡ୍ୟାନ୍ସର ଆଣୁଛନ୍ତି ତ ଆଉ କିଏ ଛତିଶଗଡ଼ ଓ ଭୋଜ୍ପୁରୀ ହଟ୍ ଆଇଟ୍ମ ଡ୍ୟାନସରଙ୍କୁ ଆଣୁଛନ୍ତି। ଆଉ କିଏ ନେପାଳି ସୁନ୍ଦରୀ ତ ଆଉ କିଏ ଋଷୀୟ ସୁନ୍ଦରୀଙ୍କୁ ଆଣି ପେଣ୍ଡାଲ୍ରେ ଜଲୱା ଦେଖାଉଛନ୍ତି। ଆଖି ଝଲ୍ସା ଲାଇଟ୍ରେ ଆଖି ବନ୍ଦ ହୋଇଗଲା ଭଳି ନୃତ୍ୟ ପରିବେଷଣ କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି। ସର୍ବସମ୍ମୁଖରେ ଷ୍ଟେଜ୍ ଉପରେ ନୃତ୍ୟାଙ୍ଗନାମାନେ ଅସୌଜନ୍ୟ ନୃତ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଛି।

ଏକ ନିର୍ଦ୍ଦିଷ୍ଟ ଯାତ୍ରାପାର୍ଟି ଷ୍ଟେଜ୍ରେ ରାନୀ ନାମ୍ନୀ ଜଣେ ଛତିଶଗଡ଼ି ଅଭିନେତ୍ରୀ ନଗ୍ନନୃତ୍ୟ ପରିବେଷଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏପରିକି ଗତକାଲି ସେ ଦର୍ଶକଙ୍କ ଗ୍ୟାଲେରୀକୁ ଆସି ଜଣେ ବ୍ୟକ୍ତିଙ୍କ କାନକୁ କାମୁଡ଼ି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାକୁ ନେଇ ଜଲିଉଡ୍ରେ ଝଡ଼ ସୃଷ୍ଟି ହୋଇଛି। ‘କଳିଙ୍ଗ ସେନା’ ସଂଗଠନର କର୍ମକର୍ତ୍ତା ଆଜି ଖଣ୍ଡଗିରି ଯାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଉ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ କରି ଖଣ୍ଡଗିରି ଥାନାରେ ଏତଲା ଦେବା ସହ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ପୁଲିସ କମିଶନର ଚରମବାଣୀ ଶୁଣାଇବା ସହ ଯାତ୍ରାପାର୍ଟି ଗୁଡ଼ିକୁ ତାଗିଦ୍ କରିଛନ୍ତି।
‘କଳିଙ୍ଗ ସେନା’ର ସଭାପତି ହେମନ୍ତ ରଥ କହିଛନ୍ତି- “ବେପାର ପାଇଁ ଉଲଗ୍ନ ନାଚ କରିବା ଗ୍ରହଣୀୟ ନୁହେଁ। ଯେଉଁମାନେ ଏପରି ମନୋବୃତ୍ତି ନେଇ ଆସୁଛନ୍ତି, ସେମାନେ ତୁରନ୍ତ ତାହା ପରିହାର କରନ୍ତୁ। ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ। ଉଲଗ୍ନ ନାଚକୁ ଆମେ ବିରୋଧ କରୁଛୁ। ଆୟୋଜନଙ୍କୁ ତୁରନ୍ତ ଗିରଫ କରାଯାଉ।”
ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି- “ଯାତ୍ରାରେ ଏପରି ଅଶ୍ଲୀଳ ନୃତ୍ୟ ପରିବେଷଣ ନକରିବା ପାଇଁ ମାଲିକମାନଙ୍କୁ ଅବଗତ କରାଯିବ। ଏହାସତ୍ତ୍ୱେ ଯଦି ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯାଏ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଯାତ୍ରାରେ ଅଭିନେତ୍ରୀମାନଙ୍କ ଏଭଳି ନୃତ୍ୟ ଦେଖିବାକୁ ଗୋଟିଏ ପଟେ ଦର୍ଶକ ରାତି ଅନିଦ୍ରା ହେଉଥିବା ବେଳେ, ପାର୍ଟି ମାଲିକ ଓ ଆୟୋଜକମାନେ ମଧ୍ୟ ମାଲାମାଲ୍ ହେଉଛନ୍ତି। ପ୍ରତିବଦଳରେ ଅନ୍ୟ କଳାକାରଙ୍କ ଅପେକ୍ଷା ସଂପୃକ୍ତ ନୃତ୍ୟାଙ୍ଗନାମାନେ ମୋଟା ପାଉଣା ମଧ୍ୟ ପାଉଛନ୍ତି। ରାନୀ ନାମ୍ନୀ ଯେଉଁ ନୃତ୍ୟାଙ୍ଗନାଙ୍କ ନାଁରେ ଅଶ୍ଳୀଳ ନୃତ୍ୟ ପରିବେଷଣର ଅଭିଯୋଗ ଆସିଛି, ସେ ମଧ୍ୟ ପ୍ରତିକ୍ରିୟା ରଖି ରୋକଠୋକ୍ ଜବାବ ଦେଇଛନ୍ତି। ସେ କହିଛନ୍ତି- “କେଉଁ ଢ଼ଙ୍ଗରେ ନୃତ୍ୟ ପରିବେଷଣ କରାଯିବ, ସେନେଇ ଜିଲ୍ଲାପାଳଙ୍କଠାରୁ ଚିଠି ଆଣନ୍ତୁ। ତା’ପରେ ଯାଇ ମୁଁ ନୃତ୍ୟ ପରିବେଷଣ କରିବି।”
ଅପରପକ୍ଷରେ କିଛି ଯାତ୍ରା କଳାକାର ମଧ୍ୟ ଏ ବାବଦରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଯାତ୍ରା ଅଭିନେତା ସୁରେଶ ପଣ୍ଡା କହିଛନ୍ତି- ‘ଯାତ୍ରାରେ ଟିକିଏ ଅଶ୍ଳୀଳତା ନିଶ୍ଚୟ ରହେ। କିନ୍ତୁ ତାହା ସୀମା ଭିତରେ ରହିବା ଉଚିତ।’
from Odisha Reporter https://ift.tt/2NuDq0F
No comments:
Post a Comment