କାଳିଆ-ବଳିଆରେ ଲୋକଙ୍କୁ ଭୁଲାଇପାରିବେନି ସରକାର: ପଞ୍ଚାନନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

କାଳିଆ-ବଳିଆରେ ଲୋକଙ୍କୁ ଭୁଲାଇପାରିବେନି ସରକାର: ପଞ୍ଚାନନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ ବର୍ଷ ଭିତରେ କୃଷି ଓ କୃଷକକୁ ଭୁଲି ଯାଇଥିବା ନବୀନ ପଟ୍ଟନାୟକ ସରକାର କାଳିଆ-ବଳିଆରେ ଲୋକଙ୍କୁ ଭୁଲାଇପାରିବେ ନାହିଁ। ଓଡିଶାର ଚାଷୀକୂଳ ଭୁବନେଶ୍ୱରରେ ପୋଲିସ ମାଡ଼କୁ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି। ଆଗାମୀ ଦିନରେ ସେମାନେ ନବୀନବାବୁଙ୍କୁ ଜବାବ ଦେବେ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ କହିଛନ୍ତି ଯେ, ନବୀନ ସରକାରଙ୍କ କାଳିଆ ଯୋଜନାର ନିର୍ଦ୍ଦିଷ୍ଟ ଭାବରେ କୌଣସି ନୀତି ନିୟମ ନାହିଁ। ଭାଗଚାଷୀ କିଏ, କୃଷି ଶ୍ରମିକ କିଏ, ନାମମାତ୍ର ଚାଷୀ କିଏ ସରକାରଙ୍କ ପାଖରେ ରେକର୍ଡ଼ ନଥିବାବେଳେ ଧୂଆ ମୂଳା-ଅଧୂଆ ମୂଳା ସବୁକୁ ସମାନ କରି ସରକାର ଓଡିଶାର ଜନଗଣଙ୍କ ଟିକସକୁ ଯେଭଳି ଭାବରେ ଶାଗମାଛ ପରି ବାଣ୍ଟିବାକୁ ଲାଗିଛନ୍ତି, ଆଗାମୀ ଦିନରେ ପ୍ରକୃତ ଚାଷୀମାନେ ତା’ର ଜବାବ ଦେବେ।

ସେହିପରି ଗତକାଲିର କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ କାନୁନଗୋ କହିଲେ ଯେ ଏହା ଏକ ନିର୍ବାଚନୀ ବଜେଟ୍, ଏହା ପୂର୍ଣ୍ଣାଙ୍ଗ ବଜେଟ୍ ନୁହେଁ। ନିର୍ବାଚନ ଆଗକୁ ଥିବାବେଳେ ଭାରତବର୍ଷର ଜନଗଣଙ୍କୁ ଲଲିପପ୍ ଦେଖାଇବା ପାଇଁ ଏହା ଅଭିପ୍ରେତ। ଆୟକର ସୀମା ୫ ଲକ୍ଷ ବୃଦ୍ଧି କରି ମଧ୍ୟବିତ୍ତଙ୍କୁ ଖୁସି କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଚେଷ୍ଟା କରିଛନ୍ତି ପରୋକ୍ଷରେ ଏହା ମଧ୍ୟ ଏକ ଜୁମଲା। ପ୍ରଧାନମନ୍ତ୍ରୀ ଦେଇଥିବା ବର୍ଷକୁ ଦୁଇ କୋଟି ନିଯୁକ୍ତିର ପ୍ରତିଶ୍ରୁତି ପାଣିର ଗାର ହୋଇଗଲା। ବଜେଟରେ ମୋଦି ସରକାର ଯୁବକମାନଙ୍କୁ ସଂପୂର୍ଣ୍ଣ ଭୁଲିଗଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କୃଷିଋଣ ଛାଡ଼ ଘୋଷଣା ଭୟରେ କୃଷକମାନଙ୍କ ପାଇଁ ମୋଦି ସରକାର ଯାହା କରିଛନ୍ତି ଆଗାମୀ ଦିନରେ ଏହାର ତର୍ଜମା କରାଯିବ। ୪ ବର୍ଷ ମଧ୍ୟରେ କୃଷି ଓ କୃଷକକୁ ଭୁଲି ଯାଇଥିବା ସରକାର ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଏଭଳି ଏକ ବଜେଟ୍ ଉପସ୍ଥାପନ କରି ବାହାବା ନେବାକୁ ଯେଉଁ ଚେଷ୍ଟା କରିଛନ୍ତି ତାହା ତାଙ୍କ ପାଇଁ ଆଗାମୀ ଦିନରେ କାଳ ହେବ ବୋଲି ସେ କହିଥିଲେ।

ଏହାସହିତ ସେ କାହିଁକି କଂଗ୍ରେସରେ ସାମିଲ ହେଲେ ସେ ସମ୍ପର୍କରେ ଆଲୋକପାତ କରି ଶ୍ରୀ କାନୁନଗୋ ଛାତ୍ର କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ଥିଲେ ବୋଲି କହିଥିଲେ। ଗୁଣ୍ଡୁଚି ମୂଷା ଭଳି ସେତୁବନ୍ଧରେ ମାଟି ପକାଇବା କାର୍ଯ୍ୟ କରିବା ପାଇଁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ଜୀବନକାଳ ଭିତରେ ଗୋଟିଏ ରୋବଟ ନେତୃତ୍ୱ ପାଖରେ କାର୍ଯ୍ୟ କରିବା ଓ ମଣିଷକୁ ଭଲ ପାଉଥିବା ଜଣେ ମଣିଷ ପାଖରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ସେ ପାଥେୟ କରି କାର୍ଯ୍ୟ କରିବେ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ଏହାପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କଂଗ୍ରେସ ଭବନ ଠାରେ ଶ୍ରୀ କାନୁନଗୋଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ପରେ ଶ୍ରୀ କାନୁନଗୋ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଥିବା ମହାତ୍ମା ଗାନ୍ଧୀ ଓ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।



from Odisha Reporter http://bit.ly/2BqG6bd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages