
ହାନୋଇ:ଗୁରୁବାର ଭିଏତ୍ନାମ୍ର ହାନୋଇଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ ଉନ୍ଙ୍କ ମଧ୍ୟରେ ଅନୁଷ୍ଠିତ ବହୁ ଚର୍ଚ୍ଚିତ ବୈଠକ କୌଣସି ବୁଝାମଣା କିମ୍ବା ଚୁକ୍ତି ବିନା ସରିଛି। ତଥାପି ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଆଣବିକ ଅସ୍ତ୍ରକୁ ନେଇ ଆଲୋଚନା ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।
ବୈଠକରେ ରାଜିନାମା ନ ହୋଇପାରିବାର କାରଣ ଦର୍ଶାଇ ଟ୍ରମ୍ପ କହିଛନ୍ତି, ଆର୍ଥିକ କଟକଣା ଉଠାଇବାକୁ ନେଇ ସମସ୍ୟା ରହିଲା। ସେମାନେ ଚାହୁଁଥିଲେ ଆମେ ସମସ୍ତ କଟକଣା ଉଠାଇଦେଉ, କିନ୍ତୁ ଆମେ ସେମିତି କଲୁ ନାହିଁ।
ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ବେଳେବେଳେ ଆପଣଙ୍କୁ ଉଠି ଚାଲିଯିବାକୁ ପଡ଼େ, ମୁଁ ସେୟା କଲି।”
ସୂଚନାଯୋଗ୍ୟ ଯେ, ହ୍ୱାଇଟହାଉସ୍ର କାର୍ଯ୍ୟକ୍ରମ ସୂଚୀରେ ଉଭୟ ରାଷ୍ଟ୍ର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି କୁହାଯାଇଥିଲା। କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ।
କେଁ ରଖିଥିଲେ କିମ୍
ଟ୍ରମ୍ପଙ୍କ କହିବା ଅନୁଯାୟୀ, କିମ୍ ପ୍ରସ୍ତାବ ଦେଇଥିଲେ ସେ ତାଙ୍କ ରାଷ୍ଟ୍ରର ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ ଗବେଷଣା ଓ ଉତ୍ପାଦନ ସ୍ଥାନ ୟୋଙ୍ଗବ୍ୟୋନ୍ କମ୍ପ୍ଲେକ୍ସକୁ ଧ୍ୱଂସ କରିଦେବେ। କିନ୍ତୁ ତାହା ବଦଳରେ ଉତ୍ତର କୋରିଆ ଉପରେ ଆମେରିକା ଲଗାଇଥିବା ସମସ୍ତ କଟକଣା ଉଠାଉ।
ଆମେରିକା ପୂର୍ବରୁ ମଧ୍ୟ ଉତ୍ତର କୋରିଆର ପ୍ଲୁଟୋନିୟମ ଏବଂ ୟୁରାନିୟମ୍ ଉତ୍ପାଦନ ଉପରେ ପ୍ରଶ୍ନ ଉଠାଇସାରିଛି। ଅନ୍ୟପକ୍ଷରେ ୟୋଙ୍ଗବ୍ୟୋନ୍ କମ୍ପ୍ଲେକ୍ସ ଉତ୍ତର କୋରିଆରେ ପ୍ଲୁଟୋନିଅମ୍ର ଏକ ମାତ୍ର ଗନ୍ତାଘର ଭାବରେ ପରିଚିତି ହାସଲ କରିଥିଲେ ମଧ୍ୟ ଆହୁରି ୨ଟି ଏଭଳି ଗୋପନୀୟ ସ୍ଥାନ ରହିଥିବା କୁହାଯାଉଛି।
ଟ୍ରମ୍ପ କହିଥିଲେ, ଉତ୍ତର କୋରିଆର ସମସ୍ତ ଆଣବିକ ଘାଟିକୁ ଧ୍ଵଂସ କରିବାକୁ ରାଜି ହେବା ବଦଳରେ କିମ୍ କେବଳ ୟୋଙ୍ଗବ୍ୟୋନ୍ କମ୍ପ୍ଲେକ୍ସ ନଷ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ। ଯେତେବେଳେ ୟୋଙ୍ଗବ୍ୟୋନ୍ କମ୍ପ୍ଲେକ୍ସ ବାଦ୍ ଅନ୍ୟ ଗୋପନୀୟ ଆଣବିକ କେନ୍ଦ୍ରଗୁଡ଼ିକ ବାବଦରେ ତଥ୍ୟ ରଖାଗଲା, କିମ୍ଙ୍କ ଟିମ୍ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବା ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି। ଡିଲ୍ କରିବାର ସ୍ୱତନ୍ତ୍ର ତରିକା ପାଇଁ ପ୍ରସିଦ୍ଧ ଟ୍ରମ୍ପ ଏହି ସମ୍ଭାବ୍ୟ ଡିଲ୍ରୁ ଓହରିଯିବା ତାଙ୍କର ବିଫଳତା ନୁହେଁ ବରଂ ସଫଳତା ବୋଲି ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି।
from Odisha Reporter https://ift.tt/2IIDpaK
No comments:
Post a Comment