
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୨ ମସିହା ବ୍ୟାଚର ଆଇଏଏସ୍ ସୁରେନ୍ଦ୍ର କୁମାର ମୀନାଙ୍କୁ ଆଜି ଅଚାନକ ସୁନ୍ଦରଗଡ଼ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଛି। ରାଉରକେଲା ସ୍ମାର୍ଟ ସିଟି ସିଇଓ ରଶ୍ମିତା ପଣ୍ଡା ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି।
ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ମୀନା ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ତେବେ ୨୦୧୮ ଏପ୍ରିଲ ମାସରେ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ମୀନାଙ୍କୁ ଅଚାନକ ହଟାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ରାଜନୀତିକ କାରଣରୁ ଶ୍ରୀ ମୀନାଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳ ପଦରୁ ହଟାଇ ଦେଇଛନ୍ତି। ବିଜେଡିର କିଛି ସ୍ଥାନୀୟ ନେତାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ସୁନ୍ଦରଗଡ଼ରୁ ହଟାଯାଇ ଓଡ଼ିଶା ଉଠା ଜଳସେଚନ ନିଗମର ଦାୟିତ୍ୱ ଦିଆଯାଇଛି।
ପଞ୍ଚାୟତ ନିର୍ବାଚନ ପରେ ଶ୍ରୀ ମୀନାଙ୍କୁ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା କିନ୍ତୁ ସେଠାରେ ସେ ମାତ୍ର ଏକବର୍ଷ ରହିପାରିଥିଲେ। ଏବେ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଭାବେ ବି ସେ ଏକବର୍ଷ ପୂରଣ କରିପାରିନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ପାଇଁ ନିଯୁକ୍ତି ପାଇଥିବା ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ଚାପରେ ତାଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ହିଁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ରଖାଯିବ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ରଶ୍ମିତା ପଣ୍ଡା ଏବେ ରାଉରକେଲା ସ୍ମାର୍ଟସିଟି ସିଇଓ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ(ଆରଡିଏ) ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।
from Odisha Reporter http://bit.ly/2BHRsYb
No comments:
Post a Comment