
ଓଡ଼ିଆରେ ମଖନ୍ମରା କାଚ କଥାଟିଏ ଅଛି। ଏକ୍ଜାକ୍ଟଲି ଢ଼ଗଟା ମନେପଡୁନି, କିନ୍ତୁ ଧାଡ଼ିଟା ଏମିତି- ‘କ୍ଷୀର ଯଦି ପିଇବାକୁ ମନ, ଘରେ ରଖିବୁ ଗାଈ, ସଭାରେ ଯଦି ଜିତିବାକୁ ଇଚ୍ଛା, ସାଙ୍ଗରେ ଥିବ ଭାଇ।’ ଏବେ ଓଡ଼ିଶା ରାଜନୀତିରେ ସବୁଠୁ ଚର୍ଚ୍ଚିତ ଭ୍ରାତା ‘ସୌମ୍ୟ-ନିରଞ୍ଜନ’ଙ୍କ କ୍ଷେତ୍ରରେ କିନ୍ତୁ ଏହି ଢଗଟି ଓଲଟା ସାବ୍ୟସ୍ତ ହୋଇଛି। ଆପଣ ଭାବୁଥିବେ କେମିତି? ପଢ଼ନ୍ତୁ।
‘ସମ୍ବାଦ’ ଜନକ ବାବୁ ସୌମ୍ୟରଂଜନ ଏବେ ସେଫ୍ ଜୋନ୍ରେ ଅଛନ୍ତି। ରାଜନୈତିକ ଜୀବନର ଶେଷଆଡ଼କୁ ସେ ଗୋଟେ ଦୁଧିଆଳି ଦଳରେ ମିଶି ଯାଇଛନ୍ତି। ତେଣୁ ତାଙ୍କର ଏଥର ଆଉ ହାରିବା ଚିନ୍ତା ନାହିଁ। ଯୋଉଠି ଠିଆ ହେଲେବି ‘ବିଧାୟକ-ଗାମୁଛା’ ବେକରେ ପଡ଼ିବା ନିଶ୍ଚିତ।
ସେପଟେ ଓଡ଼ିଶା ରାଜନୀତି ଯଦି ଗୋଟାଏ ରିଆଲିଟି ଶୋ’ ହୁଏ, ତେବେ ବାବୁ ସୌମ୍ୟରଂଜନଙ୍କ ଜ୍ୟେଷ୍ଠଭ୍ରାତା, ବାବୁ ନିରଞ୍ଜନ, ଏବେ ଡେଞ୍ଜର୍ ଜୋନ୍କୁ ଚାଲି ଯାଇଛନ୍ତି। ତାଙ୍କ ମୁଣ୍ଡରେ ଏବେ ପିସିସି ବୋଝ। ଆପଣ ଦେଖିବେ, ଦିନେ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ, କିନ୍ତୁ ଓଡ଼ିଶା ପିସିସି ଦ୍ୱନ୍ଦ୍ୱ ଛିଡ଼ିବ ନାହିଁ। ନେଭର୍। ନୋ ୱେ। ସେଇମିତି ଏକ ଅବୁଝା ଡଙ୍ଗାର ନାଉରୀ ହେଲେ ବାବୁ ନିରଞ୍ଜନ। ତେଣୁ ତାଙ୍କ ପାଇଁ ଦିନରାତି ସମାନ।
ଅସଲ କଥାକୁ ଆସିବା। ଆଗକୁ ତ ଇଲେକ୍ସନ। ଚିଟ୍ଫଣ୍ଡରେ ଲସ୍ ଖାଇଥିବା ଲୋକେ ଏଇ ସମୟରେ ଆନ୍ଦୋଳନରେ ବସିଗଲେ। ଯେମିତି ସେମାନେ ଆସିକି ଭୁବନେଶ୍ୱରରେ ଟେଣ୍ଟ ମାରିଲେ, ଏଥିରୁ କ୍ରେଡିଟ୍ ନେବାକୁ ପହଞ୍ଚିଗଲେ ବିରୋଧୀ ନେତାଏ। ଏଥିରେ ସର୍ବାଗ୍ରେ ରହିଲେ ‘ପିସିସି ପଟ୍ଟନାୟକ’ ଅର୍ଥାତ୍ ବାବୁ ନିରଞ୍ଜନ। ନିଜ ଟିମ୍ ଧରି ବାବୁ ପହଞ୍ଚିଗଲେ ଧାରଣାସ୍ଥଳରେ। ସରକାର ବିରୋଧରେ ଗପିବାକୁ ସୁବିଧା ହେଲା।
କିନ୍ତୁ ଏ ଖବରଟା ଥାର୍ଡଫ୍ଲୋର୍ରେ ପହଞ୍ଚିବା ପରେ ଡକରା ପଡିଲା ବାବୁ ସୌମ୍ୟରଂଜନଙ୍କୁ। ‘ଶଙ୍ଖ’ ଧରିବା ଆଗରୁ ବାବୁ ସୌମ୍ୟରଂଜନ ହିଁ ଲାଗିପାତି ଏଇ ଚିଟ୍ଫଣ୍ଡ ଲୋକଙ୍କୁ ଏକାଠି କରିଥିଲେ। ଏବେ ତାହା ଅଡୁଆ ସୃଷ୍ଟି କରିଛି। ନିଆଁରେ ପୁଣି ଘିଅ ଢାଳୁଛନ୍ତି ସୌମ୍ୟଙ୍କ ଭାଇ ବାବୁ ନିରଞ୍ଜନ। ତେଣୁ ସୌମ୍ୟଙ୍କ ମଧ୍ୟସ୍ଥତାରେ ଲାଗିପାତି ଆନ୍ଦୋଳନକାରୀଙ୍କୁ ଭରସା ଦେଇ ସନ୍ତୁଷ୍ଟ କରିଦେଲେ ସରକାର। ଆନ୍ଦୋଳନ ଭଣ୍ଡୁର ହେଇଗଲା।
ତେଣୁ ଏହା ମାଧ୍ୟମରେ ନିରଞ୍ଜନ ଯେଉଁ ଫାଇଦା ନେବାକୁ ଯୋଜନା ପାଞ୍ଚିଥିଲେ, ସବୁ ଫସରଫାଟି ଗଲା। ବଡ଼ଭାଇ ‘ପୁତୁଲ’ଙ୍କର ସବୁ ଅଙ୍କ ଭୁଲ୍ ହେଇଗଲା ସାନଭାଇ ‘ବାବୁଲା’ ଓରଫ୍ ସୌମ୍ୟରଂଜନଙ୍କ ପାଇଁ। ଏବେ ବଡ଼ଭାଇ ପୁତୁଲଙ୍କୁ ‘ନବୀନ-ମାର୍କା-ଡାଏଲଗ୍’ ମାରୁଛନ୍ତି ସାନଭାଇ ବାବୁଲା। ପଚାରୁଛନ୍ତି- ‘ଭାଇ ! ଆପଣ ଏଥିରେ ଖୁସି ତ?’ ଉତ୍ତରରେ ବଡ଼ଭାଇ ପୁତୁଲୁ କହୁଛନ୍ତି- ‘ତୁ ଏ କ’ଣ କଲୁରେ ବାବୁଲା?’
from Odisha Reporter https://ift.tt/2U0nRAD
No comments:
Post a Comment