
ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ୫୦ ରନ୍ର ଇନିଂସ୍ ଖେଳିଥିବା ରୋହିତ ଶର୍ମା ଏବେ କ୍ରିକେଟର ଏହି ଛୋଟିଆ ଫର୍ମାଟରେ ବିଶ୍ୱର ସର୍ବାଧିକ ରନ୍ହାସଲକାରୀ ଖେଳାଳି ହୋଇଛନ୍ତି। ଏହା ରୋହିତଙ୍କ ଟି-୨୦ରେ ୧୬ତମ ଅର୍ଦ୍ଧଶତକ।
ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମଥର ପାଇଁ ତା’ରି ମାଟିରେ ହରାଇଥିବା ରେକର୍ଡ ମଧ୍ୟ କାମଚଳା ଅଧିନାୟକ ଭାବେ ରୋହିତ ଶର୍ମା ନିଜ ନାଁରେ କରିଛନ୍ତି। ଏହି ବିଜୟ ସହ ରୋହିତ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍ କୋହଲିଙ୍କ ମ୍ୟାଚ୍ ବିଜୟ ସଂଖ୍ୟା ସହ ସମକକ୍ଷ ମଧ୍ୟ ହୋଇଛନ୍ତି।
ବିରାଟ୍ ଆଜି ଯାଏ ଅଧିନାୟକ ଭାବେ ୧୨ଟି ଟି-୨୦ ମ୍ୟାଚ୍ ଜିତିଥିବା ବେଳେ ରୋହିତ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ବିରାଟ୍ ଭାରତ ପାଇଁ ୨୦ଟି ଟି-୨୦ରେ ଅଧିନାୟକତ୍ୱ କରିଥିବା ବେଳେ ରୋହିତ ୧୨ଟି ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇଛନ୍ତି।
ତେବେ ରୋହିତ ଓ ବିରାଟ୍ଙ୍କ ମଧ୍ୟରେ ଶ୍ରେଷ୍ଠ ଟି-୨୦ ବ୍ୟାଟସ୍ମ୍ୟାନ୍ କିଏ? ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ। ଏହି ପ୍ରଶ୍ନର ଉତ୍ତର ଏବେ ଟିମ୍ ଇଣ୍ଡିଆର ଟର୍ବୋନେଟର ହରଭଜନ ସିଂହ ବା ଭଜି ଦେଇଛନ୍ତି।
ସେ କହିଛନ୍ତି, “ଏହା ବହୁତ କଠିନ ପ୍ରଶ୍ନ। ଉଭୟ ରୋହିତ ଓ ବିରାଟ୍ ଶ୍ରେଷ୍ଠ ଖେଳାଳି। ଉଭୟ ମ୍ୟାଚ୍ ୱିନର। ସେମାନଙ୍କ ରେକର୍ଡ ହିଁ ସେମାନଙ୍କ ଦକ୍ଷତାର ପରିଚୟ ଦେଉଛି। ରୋହିତ ଶର୍ମା ଅଧିକ ଦକ୍ଷ ଖେଳାଳି ହୋଇଥିବା ବେଳେ ବିରାଟ୍ ଜଣେ କଠିନ ପରିଶ୍ରମୀ କ୍ରିକେଟର। ରୋହିତଙ୍କ ପରି ବିରାଟ ଟାଲେଣ୍ଟେଡ ହୋଇ ନପାରନ୍ତି, ହେଲେ ସେ ବେଶ ପରିଶ୍ରମୀ ଓ ତାଙ୍କ ପାଖରେ ଥିବା ଜୋଶ ଯୋଗୁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ତେଣୁ କିଏ ଶ୍ରେଷ୍ଠ ବ୍ୟାଟସ୍ମ୍ୟାନ୍ ମୁଁ ତା’ର ଉତ୍ତର ଦେଇ ପାରିବି ନାହିଁ। ଉଭୟ ଖେଳାଳି ଭାରତର। ତେଣୁ ଏହାର ଉତ୍ତର ଦେବା କଷ୍ଟକର।”
from Odisha Reporter http://bit.ly/2SqUjPW
No comments:
Post a Comment