
କୁଚିଣ୍ଡା/ସୋର(ଦେବେନ୍ଦ୍ର ବେହେରା/ଶଶୀକାନ୍ତ ବେହେରା): ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ଯାହାଫଳରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା ମେଡିକାଲ। ବାହ୍ୟ ପରିପାଟୀ ଓ ଚକାଚକ ସାଇନ ବୋର୍ଡକୁ ଦେଖିଲେ ଲାଗୁଛି, ରୋଗୀସେବା ସେହି ମାନର ହେଉଥିବ। ହେଲେ ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ଏଠି ଡାକ୍ତରଙ୍କ ଅଭାବ ସମସ୍ୟା ରହିଛି। ୧୭ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫ ଜଣ। ଶିଶୁରୋଗ, ନିଶ୍ଚେତକ, ପ୍ୟାଥୋଲଜି ବିଭାଗରେ ଆଦୌ ଡାକ୍ତର ନାହାନ୍ତି।
ସେହିଭଳି ଭେଷଜ, ସ୍ତ୍ରୀ ରୋଗ, ଚକ୍ଷୁ ଓ ଶଲ୍ୟ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ସାଧାରଣ ଲୋକେ ହୀନସ୍ତା ହେଉଛନ୍ତି। ଏପଟେ ଡାକ୍ତର ଓ ଟେକ୍ନିସିଆନଙ୍କ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ବ୍ୟବହାରରେ ନ ଆସି ଖତ ଖାଉଛି। ଫଳରେ ଖର୍ଚ୍ଚାନ୍ତ ହୋଇ ବୁର୍ଲା କିମ୍ବା ସମ୍ବଲପୁର ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ।
ଇଏତ ଗଲା ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଚିତ୍ର। ଉତ୍ତର ଓଡ଼ିଶାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ମୋଟ ୭ ଜଣ ଡାକ୍ତର ରହିବା କଥା। ହେଲେ ସେବା ଯୋଗାଉଛନ୍ତି ନୂଆ ନିଯୁକ୍ତି ପାଇଥିବା ୨ ଡାକ୍ତର। ଏଠାରେ ୩୦ ଶଯ୍ୟା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ୬-୭ଟି ଭଙ୍ଗା ଦଦରା ବେଡ୍ରେ ରୋଗୀଙ୍କୁ ଶୋଇବାକୁ ପଡ଼ୁଛି।
ସେପଟେ ସୋର ବ୍ଲକ ଅନନ୍ତପୁର ଗୋଷ୍ଠୀ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା। ଏଠାରେ ମାତ୍ର ୪ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ତେଣୁ ଖର୍ଚ୍ଚାନ୍ତ ହୋଇ ରୋଗୀମାନେ ବାଧ୍ୟ ହୋଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଯାଉଛନ୍ତି।
from Odisha Reporter https://ift.tt/2TjiZ8i
No comments:
Post a Comment