
ନୂଆପଡ଼ା (ମାୟାଧର ସରାଫ୍): ରାଜ୍ୟର ପ୍ରବେଶ ଦ୍ୱାର ନୂଆପଡ଼ା । ରାଜ୍ୟର ଶେଷ ସୀମାରେ ଅବସ୍ଥିତ, ତଥାପି ନୂଆପଡ଼ା ବିଧାନସଭା ଆସନ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କଳାହାଣ୍ଡି ଲୋକସଭା ମଣ୍ଡଳ ଅଧୀନରେ ରହିଛିଏହି ବିଧାନସଭା ଆସନ। ୨୦୧୯ ନିର୍ବାଚନ ପାଇଁ ଏଠାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ଏହି ବିଧାନସଭା ମଣ୍ଡଳୀରେ ରହିଛି ୩୦୧ ମତଦାନ କେନ୍ଦ୍ର। ସବୁଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ସାରିଲେଣି। କହିବାକୁ ଗଲେ ଏଠିକାର ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଗଲାଣି।

ରାଜେନୈତିକ ସ୍ଥିତି
ନୂଆପଡ଼ା ବିଧାନ ସଭା ଆସନରୁ କଂଗ୍ରେସ ୬ଥର, ଜନତା ଦଳ ଓ ବିଜୁ ଜନତା ଦଳ ୫ ଥର, ସ୍ୱାଧୀନ ପ୍ରାର୍ଥୀ ୨ ଥର ଓ ଭାରତୀୟ ଜନତା ପାର୍ଟି ୨ ଥର ନିର୍ବାଚନରେ ବିଜୟୀ ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଥରେ ବିଜୟୀ ହୋଇଛନ୍ତି। ୨୦୧୪ ନିର୍ବାଚନର ମଇଦାନରେ ସର୍ବମୋଟ ୧୦ ଜଣ ପ୍ରାର୍ଥୀ ଥିଲେ। ତେବେ ଭାରତୀୟ ଜନତା ପାର୍ଟିର ବସନ୍ତ ପଣ୍ତା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳର ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ୯୬୧୦ ଭୋଟରେ ହରାଇ ବିଜୟୀ ହୋଇ ଥିଲେ। ହେଲେ ଏଥର ଏଠାରେ ରାଜେନୈତିକ ପାଣିପାଗ ବଦଳି ଯାଇଛି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା ଏଥର ନୂଆପଡ଼ା ଆସନରୁ ଛିଡ଼ା ହେଉନାହାନ୍ତି। ତାଙ୍କ ସ୍ଥାନରେ ହୋମସିଂ ମାଝୀଙ୍କୁ ଦଳୀୟ ଟିକେଟ ଦିଆ ଯାଇଛି। ଏହାକୁ ନେଇ ବିଜେପିରେ ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷେ ଟିକଟ ଆଶାୟୀ ଥିବା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଯଦୁମଣି ପାଣିଗ୍ରାହୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେଣୁ ବିଜେପିର ଏହି ଗୋଷ୍ଠୀକନ୍ଦଳ ଦଳକୁ ବିପର୍ଯ୍ୟୟ ଆଡ଼କୁ ନେବ ଏଥିରେ ସନ୍ଦେହ ନାହିଁ। ଅନ୍ୟପକ୍ଷରେ ଏହି ଗୋଷ୍ଠୀକନ୍ଦଳ ଶାସକ ଦଳକୁ ସୁହାଇବ ବୋଲି ଆଶା କରା ଯାଉଛି। ନିର୍ବାଚନ ମଣ୍ତଳୀର ସମସ୍ୟା
ନୂଆପଡା ନିର୍ବାଚନ ମଣ୍ତଳୀରେ ନା ଅଛି ଖଣି ନା ଅଛି ବଡ଼ ବଡ଼ କଂପାନୀ । ଲୋକଙ୍କ ରୋଜଗାରର ସମ୍ବଳ କହିଲେ ଜଙ୍ଗଲ ଜାତ ଦ୍ରବ୍ୟ । ଲୋକେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକି ପେଟ ପୋଷନ୍ତି। ଅନେକଙ୍କୁ ଏଠି କାମଧନ୍ଧା ପାଇଁ ଦାଦନ ହେବାକୁ ପଡ଼େ। ଏଠାରେ ସବୁଠାରୁ ବଡ଼ ସମସ୍ୟା ହେଲା ପାନୀୟ ଜଳର ଅଭାବ। ଅଧିକାଂଶ ଗାଁରେ ଫ୍ଲୋରାଇଡ ଯୁକ୍ତ ପାନୀୟ ଜଳ ମିଳେ। ଜଳସେଚନର ସେମିତି ବ୍ୟବସ୍ଥା ନାହିଁ । ୧୯ ବର୍ଷ ହେଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି। ସରକାରୀ କଲେଜ ନ ଥିବା ବେଳେ ଉଚ୍ଚ ଶିକ୍ଷା କି ବୈଷୟିକ ଶିକ୍ଷାର ବ୍ୟବସ୍ଥା ମଧ୍ୟ ଏଠାରେ ନାହିଁ ।

ବିଜେପି: ନୂଆପଡ଼ା ବିଧାୟକ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା ବିଧାନସଭା ଛାଡି ଲୋକସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କଲା ପରେ ନୂଆପଡ଼ା ଆସନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କର୍ମୀଙ୍କ ଆଶା ଥିଲା ପ୍ରସନ୍ନ ପାଢୀ କିମ୍ୱା ଯଦୁମଣୀ ପାଣିଗ୍ରାହୀ ହିଁ ଦଳୀୟ ଟିକେଟର ହକଦାର ହେବେ । ଦୁଇ ଜଣଙ୍କ ମଧ୍ୟରୁ ଯିଏ ପାଇଥିଲେ ବିଜେପି ନିଶ୍ଚିତ ଭାବେ ଜିତିଥାନ୍ତା ବୋଲି ଆଶା କରାଯାଉ ଥିଲା। ହେଲେ ଏ ଦୁଇଜଣଙ୍କୁ ବାଦ ଦିଆଯାଇ ହୋମସିଂ ମାଝୀଙ୍କୁ ଟିକେଟ ଦିଆଯିବା ପରେ ସବୁ ଅଙ୍କ ଗଡ଼ବଡ଼ ହୋଇଗଲା । କର୍ମୀ ହୋମ ସିଂଙ୍କ ପ୍ରାର୍ଥିତ୍ୱକୁ ସହଜରେ ଗ୍ରହଣ ନ କରିପାରି ନାହାନ୍ତି। ଅନ୍ୟପକ୍ଷେ ଯଦୁମଣୀ ପାଣିଗ୍ରାହୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ନୂଆପଡ଼ା ଆସନ ହାତେଇବା ଏବେ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ବିଜେଡ଼ି: ବିଜେଡିର ପୋଖତ ଖେଳାଳି ରାଜେନ୍ଦ୍ର ପ୍ରସାଦ ଢୋଲକିଆ । ସେ ପୂର୍ବତନ ବିଧାୟକ ଏବଂ ଏବେ ଜିଲ୍ଲା ବିଜେଡି ସଭାପତି ଅଛନ୍ତି । ନୂଆପଡ଼ା ଆସନ ପାଇଁ ବିଜେଡି ତାଙ୍କୁ ଏଥର ମଧ୍ୟ ପ୍ରାର୍ଥୀ କରିଛି। ବିଜେପିର ପ୍ରାର୍ଥୀ ଘୋଷଣା ପରେ ରାଜେନ୍ଦ୍ରଙ୍କ ବିଜୟକୁ ନେଇ ଦଳ ବେଶ ଆଶାବାଦୀ।
କଂଗ୍ରେସ: କଂଗ୍ରେସର ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ । ଗତ ନିର୍ବାଚନରେ ବି ଦଳୀୟ ପ୍ରାର୍ଥୀ ଥିଲେ । ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଜାତି ଭୋଟ ଉପରେ ତାଙ୍କର ଆଶା । ପୁଣି କିଛି ବର୍ଷ ହେବ ଜିଲ୍ଲାରେ ସଂଗଠନକୁ ବେଶ ମଜବୁତ କରିଛନ୍ତି । ସେ ମଧ୍ୟ ନିର୍ବାଚନ ରେସରେ ପଛରେ ନୁହନ୍ତି ।
from Odisha Reporter https://ift.tt/2OstvcJ
No comments:
Post a Comment