ବିଜେଡିକୁ ମହଙ୍ଗା ପଡ଼ିବ ‘ଟିକେଟ୍ ବଣ୍ଟନ’ ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିଜେଡିକୁ ମହଙ୍ଗା ପଡ଼ିବ ‘ଟିକେଟ୍ ବଣ୍ଟନ’ ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରାର୍ଥୀ ଚୟନକୁ ଯେନତେନ ପ୍ରକାରେ ମ୍ୟାନେଜ କରିଥିବା ବିଜେଡି ପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ଟିକେଟ୍ ବଣ୍ଟନ ଏବେ ଭୀଷଣ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ବିଜେଡି ଏପର୍ଯ୍ୟନ୍ତ ୩ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଜାରି କରିଥିବା ତାଲିକାକୁ ନେଇ ଏବେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଭଦ୍ରକ, ବାଲେଶ୍ୱର, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସବୁଠି ଦଳର ନିଷ୍ପତ୍ତି ବିରୋଧରେ ସ୍ୱର ଉଠିବାରେ ଲାଗିଛି। ଅସନ୍ତୋଷର ଶାଣିତ ସ୍ୱର ଏବେ ନବୀନ ନିବାସରେ ପହଞ୍ଚି ସାରିଲାଣି।

ପ୍ରାର୍ଥୀ ଚୟନକୁ ବିରୋଧ କରି ଭଦ୍ରକ ଜିଲ୍ଲା ବିଜେଡି ଭାଗଭାଗ ହୋଇ ସାରିଥିବାବେଳେ ଦଳର ବରିଷ୍ଠ ନେତା ଅର୍ଜୁନ ସେଠୀ ଓ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଯୁଗଳ କିଶୋର ପଟ୍ଟନାୟକଙ୍କ ସମର୍ଥକମାନେ ଏବେ ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ସଜବାଜ ହେଉଛନ୍ତି।

ସେହିପରି ଜଗତସିଂହପୁରରେ ବିଷ୍ଣୁ ଦାସଙ୍କ ସମର୍ଥକମାନେ ଦଳର ଲୋକସଭା ପ୍ରାର୍ଥୀ ଡଃ ରାଜଶ୍ରୀ ମଲ୍ଲିକଙ୍କୁ ବିରୋଧ କରୁଥିବାବେଳେ ପାରାଦୀପର ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ(ଡା.ଦାମୋଦର ରାଉତଙ୍କ ପୁଅ)ଙ୍କୁ ଜୋରଦାର ବିରୋଧ ହୋଇଛି। ପାରାଦୀପର ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ୮୦ରୁ ଅଧିକ ଗାଡ଼ିରେ ଶତାଧିକ ବିଜେଡି କର୍ମୀ ନବୀନ ନିବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ାର ରାଜନଗରରେ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ ବିଜେଡିର ଏକ ବୃହତ୍ ଗୋଷ୍ଠୀ ବିରୋଧ କରିଛି। ସେମାନେ ଖୋଲାଖୋଲି ଶ୍ରୀ ସାହୁଙ୍କୁ ବିରୋଧ କରିବା ସହ ଦଳର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଭୋଟ ଦିଆଯିବ ନାହିଁ ବୋଲି ଧମକ ଦେଇଛନ୍ତି।

ସେହିପରି ଖୋର୍ଦ୍ଧାର ଜଟଣୀ ଆସନରେ ପ୍ରାର୍ଥୀ ଭାବେ ବିଭୂତି ବଳବନ୍ତରାୟଙ୍କୁ ମଧ୍ୟ ତୀବ୍ର ବିରୋଧ ହେଉଛି। ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀତ୍ୱକୁ ବିରୋଧ କରି ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ବରିଷ୍ଠ ନେତା ରଘୁନାଥ ମହାନ୍ତି ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି।

ପୁରୀର ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମାଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ ଅଞ୍ଚଳର ଏକ ବୃହତ୍ ଗୋଷ୍ଠୀ ବିରୋଧ କରୁଛି। କଟକର ବାଙ୍କୀ ବିଧାନସଭା ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ(ପ୍ରଭାତ ତ୍ରିପାଠୀଙ୍କ ପୁଅ)ଙ୍କୁ ମଧ୍ୟ ତୀବ୍ର ବିରୋଧ ହେଉଛି। ଚିଟଫଣ୍ଡ ଅଭିଯୁକ୍ତ ପରିବାରକୁ କାହିଁକି ଏଭଳି ଅନୁଗ୍ରହ ଦେଖାଯାଉଛି ବୋଲି ଅଭିଯୋଗ କରି ବାଙ୍କୀ ବିଜେଡିର ଗୋଟିଏ ଗୋଷ୍ଠୀ ତାଙ୍କ ବିରୋଧରେ କାର୍ଯ୍ୟ କରିବାର ଧମକ ଦେଇଛନ୍ତି। ଅନ୍ୟାନ୍ୟ ବିଧାନସଭା ମଣ୍ଡଳୀରେ ବି ବିଜେଡି ଭିତରେ ଦଳୀୟ ଅସନ୍ତୋଷ ଓ ବିରୋଧ ତୀବ୍ର ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ବରିଷ୍ଠ ନେତା ଡା.ଦାମୋଦର ରାଉତ, ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ମାଧ୍ୟମରେ ବିଜେପି ଉପକୂଳ ଓଡ଼ିଶାରେ ନିଜର କଳେବର ବୃଦ୍ଧି ସହ ଶକ୍ତି ବଢ଼ାଇ ବିଜେଡି ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ବିଜେଡି ନିମନ୍ତେ ଆତ୍ମଘାତୀ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2FDy1B5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages