
ଗାନ୍ଧିନଗର: ଏନ୍ଡିଏରେ ବିଜେପିର ସବୁଠାରୁ ପୂରୁଣା ମେଣ୍ଟ ସହଯୋଗୀ ଶିବସେନା ମଧ୍ୟରେ ରହିଥିବା ବେଶ୍ କିଛି ବର୍ଷର ତୁତୁ ମେଁମେଁରେ ଅନ୍ତ ଘଟିଥିବା ସ୍ପଷ୍ଟ ହୋଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଆଜି ବହୁଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହିତ ବିରୋଧୀଙ୍କ ନେତା କିଏ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଗୁଜରାଟ ଗାନ୍ଧିନଗରଠାରେ ଅମିତ ଶାହଙ୍କର ଏକ କାର୍ଯ୍ୟକ୍ରମରେ ସେ ଅନ୍ୟ ଏନ୍ଡିଏ ସହଯୋଗୀଙ୍କ ସହିତ ଯୋଗଦେଇ ଏପରି ୟୁଟର୍ଣ୍ଣ ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବିଜେପି ସହିତ କିଛି ମତାନ୍ତର ଥିଲା, ବର୍ତ୍ତମାନ ସେସବୁ ଆଉ ନାହିଁ। ସମସ୍ତ ବାଦବିବାଦର ଅନ୍ତ ଘଟିଛି। ଆମ ଦୁଇ ଦଳର ଆଦର୍ଶରେ ରାଷ୍ଟ୍ରବାଦ ଏବଂ ହିନ୍ଦୁତ୍ୱ ରହିଛି। ସେ ବାପା ବାଲାସାହେବ୍ ଠାକ୍ରେଙ୍କ ସ୍ମୃତିଚାରଣ କରି କହିଥିଲେ, ସେ ସବୁବେଳେ କୁହନ୍ତି ହିନ୍ଦୁତ୍ୱ ଆମ ନିଃଶ୍ୱାସ, ତାହା ବିନା ବଞ୍ଚି ହେବନି। ସେ ଏପରି କହିବା ପରେ ତାଙ୍କ ସମର୍ଥକମାନେ ଭାରତ ମାତାକୀ ଜୟ ନାରା ଦେଇଥିବା ଶୁଣାଯାଇଥିଲା।
୨୦୧୪ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୨୨ଟି ଆସନରେ ଜିତିବା ପରେ ଉଭୟ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଉଦ୍ଧବ ଏବଂ ଦଳର ଅନ୍ୟ ନେତାଙ୍କ ବ୍ୟତୀତ ଶିବସେନାର ମୁଖପତ୍ର ‘ସାମ୍ନା’ ମଧ୍ୟ ବିଜେପି ବିରୋଧରେ ବର୍ଷି ଆସୁଥିଲା। କିନ୍ତୁ ଗତ ମାସରେ ଦୁଇ ଦଳ ମଧ୍ୟରେ ୫୦-୫୦ ବୁଝାମଣା ହେବା ପରେ ସମ୍ପର୍କରେ ସୁଧାର ଆସିଛି।
ସେ କହିଥିଲେ, ବୁଝାମଣାରେ ଯାହା ଅଭାବ ରହିଥିଲା ତାହା ବର୍ତ୍ତମାନ ଅତୀତ। ଆମ ଦୁଇ ଦଳମଧ୍ୟରେ ସମ୍ପର୍କ ଖରାପ ହେବାକୁ ନେଇ ଯେଉଁମାନେ ଖୁସି ମନାଉଥିଲେ, ମୋତେ ଏଠାରେ ଦେଖି ସେମାନଙ୍କୁ ଝଟ୍କା ଲାଗିଥିବ। ସେ କହିଛନ୍ତି, ମୋଟ ୫୬ଟି ବିରୋଧୀ ଦଳ ହାତ ମିଶାଇଛନ୍ତି, କିନ୍ତୁ ହୃଦୟ ମିଶାଇନାହାନ୍ତି। ଆମର ଜଣେ ନେତା ଅଛନ୍ତି, ତୁମର ନେତା କିଏ? ତୁମ ପ୍ରଧାନମନ୍ତ୍ରୀ କିଏ ହେବ? ସମସ୍ତେ ଏଠି ଆଶାୟୀ, ଏହି ପଦବୀ ପାଇଁ ଅନ୍ତର୍କନ୍ଦଳ ଆରମ୍ଭ ହୋଇସାରିଲାଣି।
ଆଜିର ଏହି କାର୍ଯ୍ୟକ୍ରମରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ, ଏଲ୍ଜେପି ମୁଖ୍ୟ ରାମବିଲାସ ପାଶ୍ୱାନ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ନୀତୀନ ଗଡ଼କରୀ ମଧ୍ୟ ଯୋଗ ଦେଇଥିଲେ।
from Odisha Reporter https://ift.tt/2U6Kasb
No comments:
Post a Comment