
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ପଦ୍ମ ଧରିବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆସି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ରାଲିରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ଦାମ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ।
ଏହି ସଭାରେ ଦାମବାବୁ ନବୀନଙ୍କ ଚିରାଚରିତ ସଂଳାପ ‘ଆପଣମାନେ ଖୁସି ତ’କୁ ନେଇ ପରୋକ୍ଷରେ ନବୀନଙ୍କୁ କଟାକ୍ଷ କରିଥିଲେ। ବିଜୁ ପରିବାର ସହ ଦୀର୍ଘ ୪୫ ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ଯୋଗ ଦେବା ପରେ ‘ଆପଣମାନେ ଖୁସି ତ’ ବୋଲି ଦାମ ଉପସ୍ଥିତ ବିଜେପି କର୍ମୀ ଓ ସମର୍ଥକଙ୍କୁ ପଚାରିଥିଲେ। ଏହାକୁ ନେଇ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।
ପ୍ରଥମ ଓଭରରେ ଛକା, ବହୁ ଓଭର ବାକି ଅଛି: ବୈଜୟନ୍ତ
କେବଳ ଦାମବାବୁ ନୁହନ୍ତି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ନବୀନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ପ୍ରଥମ ଓଭରରେ ଛକା ପିଟା ଯାଇ ସାରିଲାଣି। ଆହୁରି ବହୁତ ଓଭର ଖେଳ ବାକି ଅଛି। ଆପଣ ଦେଖନ୍ତୁ କେତେ ସ୍କୋର ହେଉଛି। ବହୁତ ବରିଷ୍ଠ ନେତା ଆସି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ଓ ଓଡ଼ିଶାରେ ପରିବର୍ତ୍ତନ କରାଇବେ।”
ସେ ଆହୁରି କହିଛନ୍ତି, “ଦାମ ବାବୁ, ବିଜୁ ବାବୁଙ୍କ ସମର୍ଥକ ଥିଲେ। ସେ ବିଜୁ ବାବୁ ଏବଂ ପରେ ତାଙ୍କ ପୁଅ ନବୀନଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ସେ ରାଜ୍ୟର ସବୁଠାରୁ ବୟସ୍କ ନିର୍ବାଚିତ ନେତା। ସେ ଯାହା କୁହନ୍ତି, ସାରା ଓଡ଼ିଶାର ଲୋକେ ଶୁଣିଥାନ୍ତି। ପରିବର୍ତ୍ତନର ସ୍ୱର ସେ ଚାରିଆଡେ ପହଞ୍ଚାଇ ପାରିବେ। ସେ ତାଙ୍କ ମନ୍ତବ୍ୟରେ ମଧ୍ୟ କହିଛନ୍ତି, ‘ଜୋରଦାର ହେଲା’। ଦାମ ବାବୁ ବିଜେପିକୁ ଆସିବା ଆମ ପାଇଁ ଲାଭ ହେବ।”
ସେ ଆହୁରି କହିଛନ୍ତି, “ବିଜୁ ବାବୁଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଛି, ସେ ବିଜୁ ବାବୁଙ୍କୁ ଭୁଲି ଯାଇଛି। ବିଜୁ ବାବୁଙ୍କ ଆଦର୍ଶରେ ଯେଉଁମାନେ କାମ କରୁଥିଲେ, ସେମାନଙ୍କୁ ବାହାର କରିଦିଆଯାଉଛି। ସେମାନେ ଏବେ ବିଜେପିରେ ଏକଜୁଟ ହେଉଛନ୍ତି। ଏହାଦ୍ୱାରା ବିଜେପି ସୁଦୃଢ଼ ହେବ ଓ ଏହା ଓଡ଼ିଶା ପାଇଁ ଭଲ।”
from Odisha Reporter https://ift.tt/2Uye4lo
No comments:
Post a Comment