
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସେହିପରି ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ମଧ୍ୟ ଆସନ୍ତାକାଲି ବିଜେପିରେ ସାମିଲ ହେବେ।
ଗତ ଦୁଇଦିନ ତଳେ ବିଜେଡି ଛାଡ଼ିଥିବା ଶ୍ରୀ ମାଝୀ ଆସନ୍ତାକାଲି ଦିଲ୍ଲୀରେ ବିଜେପିରେ ଯୋଗ ଦେବେ। ବିଜେପି ତାଙ୍କୁ ଲୋକସଭା ପରିବର୍ତ୍ତେ ବିଧାନସଭା ପାଇଁ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ବିଜେଡି ନବରଙ୍ଗପୁର ଲୋକସଭା ଆସନରୁ ମନ୍ତ୍ରୀ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ହୋଇଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସେହିପରି ବିଧାୟକ ଶ୍ରୀ ବେହେରା ମଧ୍ୟ ଦିଲ୍ଲୀରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦିଲ୍ଲୀରେ ବିଜେପିରେ ସାମିଲ ହୋଇ ଓଡ଼ିଶା ଆସିବା ପରେ ଓଡ଼ିଶାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ଭବ୍ୟ ସ୍ୱାଗତ ସଭାରେ ସେମାନଙ୍କ ସମର୍ଥକମାନେ ସାମିଲ ହେବେ ସୂଚନା ମିଳିଛି।
ଶ୍ରୀ ବେହେରା ଆଜି ରାତିରେ ନିଜର ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କୁ ପଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2TaxNWF
No comments:
Post a Comment