
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ଅସୁରକ୍ଷିତ ହେଉଛି ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱର। ସୂର୍ଯ୍ୟ ଉଇଁବା ଆଗରୁ ସକ୍ରିୟ ହେଉଛନ୍ତି ଲୁଟେରା। ଟାର୍ଗେଟ କରୁଛନ୍ତି ମର୍ଣ୍ଣିଂ ୱାକ୍ରେ ଯାଉଥିବା ଦମ୍ପତିଙ୍କୁ। ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ଘଟିଛି ପାଞ୍ଚ ପାଞ୍ଚଟି ଲୁଟ୍ ଘଟଣା। ଏଥିରୁ ୪ଟି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଥିବା ବେଳେ ନନ୍ଦନକାନନ ଥାନା ଅଞ୍ଚଳରେ ଆଉ ଗୋଟିଏ ଲୁଟ୍ ହୋଇଛି।
ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭, ଫେଜ୍-୧, ଜଗନ୍ନାଥ ରୋଡ୍ ଓ ବିଡିଏରେ ଆତଙ୍କରାଜ ଚଳାଇଛନ୍ତି ଲୁଟେରା। ଆଜି ସକାଳେ ଜଣେ ମହିଳା ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ ୨ଟି ବାଇକ୍ରେ ଆସିଲେ ୫ଜଣ ଦୁର୍ବୃତ୍ତ। ଭୟରେ ମହିଳା ଜଣକ ଗେଟ୍ ଭିତରେ ପଶି ଯାଇଥିଲେ। କିଛି ସମୟ ପରେ ଦୁର୍ବୃତ୍ତମାନେ ଅନ୍ୟତ୍ର ପଳାଇଯାଇଥିବା ଅନୁମାନ କରି ଘରୁ ବାହାରିବା ପରେ ସେ ପଡ଼ିଗଲେ ଲୁଟେରାଙ୍କ କବଳରେ। ମହିଳାଙ୍କ ବେକରେ କଟୁରି ଲଗାଇ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିଲେ। ଠିକ୍ ଏତିକି ବେଳେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ କଟୁରିରେ ହାଣିଲେ। ଏଭଳି ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା ଲୁଟେରାଙ୍କ ଆତଙ୍କରାଜ। ଦମ୍ପତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ବାହାରି ଆସିବାରୁ ଲୁଟେରାମାନେ ତାଙ୍କ ଉପରେ ଢେଲା ମାଡ଼ କରିଥିଲେ। ଯିଏ ବି ଘରୁ ବାହାରିଲା, ତାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ।
ସେହିପରି ନନ୍ଦନକାନନ ଥାନା ରଘୁନାଥପୁର ବ୍ରିଜ୍ ନିକଟରେ ଆଉ ଏକ ଲୁଟ୍ ଘଟଣା ଘଟିଛି। ଏଠି ଲୁଟ୍ର ଶିକାର ହୋଇଛନ୍ତି ଦମ୍ପତି। ଆଜି ବଡ଼ିଭୋରରୁ ପୂର୍ବତନ ସେନା କର୍ମଚାରୀ ଶରତ ରାୟ ଓ ତାଙ୍କ ପତ୍ନୀ ମର୍ଣ୍ଣିଂ ଓ୍ୱାକରେ ଯାଉଥିଲେ। ଠିକ୍ ଏତିକି ବେଳେ ୬ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କୁ ଭୟଭୀତ କରିଥିଲେ। ପରେ ଲୁଟି ନେଇଥିଲେ ସୁନା ଅଳଙ୍କାର। ଲୁଟେରାଙ୍କୁ ଶରତ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ।
ଆଜି ଗୋଟିଏ ଦିନରେ ରାଜଧାନୀର ୫ଟି ସ୍ଥାନରେ ଲୁଟ୍ତରାଜ କରି କମିଶନରେଟ୍ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା। ତେବେ ରାଜଧାନୀରେ ଏଭଳି ସିରିଜ ଲୁଟ୍ ଘଟଣା ପରେ ମର୍ଣ୍ଣିଂ ୱାକରେ ବାହାରୁଥିବା ଦମ୍ପତି ବା ମହିଳା କେତେ ସୁରକ୍ଷିତ, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।
from Odisha Reporter https://ift.tt/2FdUR38
No comments:
Post a Comment