
ଚଣ୍ଡିଗଡ଼: ଫେବୃଆରୀରେ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫର ପାଞ୍ଚଜଣ ଯବାନ (ପଞ୍ଜାବ ଓ ହିମାଚଳ ପ୍ରଦେଶ)ଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜି କିଙ୍ଗସ ଇଲେଭେନ୍ ପଞ୍ଜାବ। ଏହି ପାଞ୍ଚଜଣ ଯବାନଙ୍କ ପରିବାରକୁ ପଞ୍ଜାବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛି।
ଟିମର ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ସିଆରପିଏଫର ଡିଆଇଜି ବିକେ କୌନ୍ଦଲଙ୍କ ଉପସ୍ଥିତିରେ ସହିଦ ଯବାନ ଯଥା ଜୟମଲ ସିଂହ, ସୁଖଜିନ୍ଦର ସିଂହ, ମନିନ୍ଦର ସିଂହ, କୁଲବିନ୍ଦର ସିଂହ ଓ ତିଲକ ରାଜଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି। ଏହା ପୂର୍ବରୁ ବିସିସିଆଇ ମଧ୍ୟ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା।
ଭାରତୀୟ କ୍ରିକେଟ ବୋର୍ଡ ଆସନ୍ତା ୨୩ ତାରିଖରେ ଆଇପିଏଲର ଉଦଘାଟନୀ ଦିବସରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କୁ ଆମନ୍ତ୍ରିତ କରିଛି ଏବଂ ସେହିଠାରେ ଏହି ରାଶି ସେନାକୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପ୍ରଶାସନ କମିଟି (ସିଓଏ) ଏଥର ଆଇପିଏଲର ଭବ୍ୟ ଉଦଘାଟନ ନକରିବାକୁ ନିଷ୍ପତ୍ତି ନେଇଛି। ଉଦଘାଟନୀ ସମାରୋହ ପାଇଁ ଖର୍ଚ୍ଚ ହେବାକୁଥିବା ଅର୍ଥରାଶି ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରଙ୍କୁ ପ୍ରଦାନ କରାଯିବ।
from Odisha Reporter https://ift.tt/2Of9FkZ
No comments:
Post a Comment