ଉପକୂଳ ରାଜନୀତି: ବିଜୟ-ବୈଜୟନ୍ତ-ଦାମ ତ୍ରିଶକ୍ତି ଦେଖାଇବ ଦମ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଉପକୂଳ ରାଜନୀତି: ବିଜୟ-ବୈଜୟନ୍ତ-ଦାମ ତ୍ରିଶକ୍ତି ଦେଖାଇବ ଦମ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଉଷ୍ମତା ବଢ଼ିବା ସହ ରାଜ୍ୟ ରାଜନୀତିକ ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷକରି ବରିଷ୍ଠ ନେତାମାନଙ୍କୁ ନିଜ ସହ ସାମିଲ କରି ବିଜେପି ରାଜ୍ୟରେ ନିଜର କଳେବର ବୃଦ୍ଧି ଓ ପ୍ରଭାବ ବିସ୍ତାର କରିବାରେ ଲାଗିଥିବାବେଳେ ଉପକୂଳ ଓଡ଼ିଶାରେ ବିଜେଡିର ଗଡ଼କୁ ଭାଙ୍ଗିବା ପାଇଁ ମଧ୍ୟ ବଳ ସାଉଁଟିବାରେ ଲାଗିଛି। ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତ ବିଜେପିରେ ସାମିଲ ହେବା ଏବଂ ବିଜୟ ମହାପାତ୍ର ପୁଣିଥରେ ବିଜେପିରେ ସକ୍ରିୟ ହେବାପରେ ଉପକୂଳ ଓଡ଼ିଶାରେ ବଡ଼ଧରଣର ରାଜନୀତିକ ପଟ୍ଟପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବୈଜୟନ୍ତ, ବିଜୟ ଓ ଦାମଙ୍କ ଯୋଡ଼ିର ପ୍ରଭାବ ମୁଖ୍ୟତଃ ବିଜେଡିର ଗଡ଼ ପାଲଟିଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବିଜେପିକୁ ସମ୍ମାନଜନକ ସ୍ଥିତିକୁ ଆଣିବାରେ ସକ୍ଷମ ହେବ ବୋଲି ଆକଳନ କରାଯାଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୦୦ରୁ ୨୦୦୯ ମସିହା ମଧ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲାବେଳେ ବିଜେପି ପଶ୍ଚିମ ଓଡ଼ିଶାରେ ଓ ବିଜେଡି ଉପକୂଳ ଓଡ଼ିଶାରେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଥିଲେ। କିନ୍ତୁ ମେଣ୍ଟ ସମ୍ପର୍କ ଛିନ୍ନ ହେବା ପରଠୁ ଉପକୂଳ ଓଡ଼ିଶାରେ ନିଜର ଆସ୍ଥାନ ଜମାଇବା ପାଇଁ ବିଜେପି କ୍ରମାଗତ ସଂଘର୍ଷ ଚଳାଇ ଆସୁଛି। ଅବଶ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କିଛିମାତ୍ରାରେ ନିଜର ଆସ୍ଥାନ ଜମାଇ ପାରିଥିଲା ସତ କିନ୍ତୁ ବିଜେଡିର ଗଡ଼କୁ ଦୋହଲାଇବାରେ ସକ୍ଷମ ହୋଇପାରିନଥିଲା। ମାତ୍ର ଏବେ ବୈଜୟନ୍ତ-ବିଜୟ ଓ ଦାମଙ୍କ ଯୋଡ଼ି ସକ୍ରିୟ ହେବାପରେ ଉପକୂଳ ଓଡ଼ିଶାରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଏହି ତିନି ନେତାଙ୍କର ବିଜେଡି ଦଳର ଗଠନ ଓ ଏହାର ପ୍ରଭାବ ବୃଦ୍ଧିରେ ଯଥେଷ୍ଟ ଅବଦାନ ରହିଥିଲା।

କେନ୍ଦ୍ରାପଡ଼ାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କିଛିଦିନ ଧରି ଦ୍ୱନ୍ଦ୍ୱ ଲାଗି ରହିବାପରେ ଦଳ ଶେଷରେ ଫିଲ୍ମ ତାରକା ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି। କେନ୍ଦ୍ରାପଡ଼ାରୁ ବୈଜୟନ୍ତଙ୍କ ବିରୋଧରେ ବିଜେଡି ପ୍ରଥମେ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ୍ ଓ ପରେ ଦିଲ୍ଲୀପ ରାୟଙ୍କୁ ଓହ୍ଲାଇବାକୁ ଯୋଜନା କରିଥିଲା,ମାତ୍ର ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଦିଲ୍ଲୀପ ରୋକଠୋକ୍ ମନା କରିବା ପରେ ଓ ସୁଜାତା ପ୍ରାର୍ଥୀ ହେଲେ ଦଳକୁ ବିଶେଷ ଫାଇଦା ମିଳିବନି ବୋଲି ଜାଣିବା ପରେ ବିଜେଡି ଫିଲ୍ମତାରକା ଅନୁଭବଙ୍କୁ ପ୍ରାର୍ଥୀ କରାଇଛି।

କେନ୍ଦ୍ରାପଡ଼ା ପାଇଁ ଅନୁଭବ ସମ୍ପୂର୍ଣ୍ଣ ନବାଗତ ହୋଇଥିବାବେଳେ ବୈଜୟନ୍ତ ଦୀର୍ଘ ୧୦ବର୍ଷ ଧରି ସେଠାରେ ନିଜସ୍ୱ ସଂଗଠନ ସୃଷ୍ଟି କରିବା ସହ ନିଜର ପତିଆରା ମଧ୍ୟ ଦେଖାଇ ସାରିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଥିବା ସାଲେପୁର ଓ ମାହାଙ୍ଗା ବିଧାନସଭା ମଣ୍ଡଳୀରେ ବିଜେପିର ସଂଗଠନ ଏବେ ସୁଦୃଢ଼ ସ୍ଥିତିରେ ଥିବାବେଳେ ବିଜୟ ସକ୍ରିୟ ଭୂମିକାରେ ଆସିବା ପରେ ପାଟକୁରା ଓ ମହାକାଳପଡ଼ାରେ ମଧ୍ୟ ବୈଜୟନ୍ତଙ୍କ ସ୍ଥିତି ଅପେକ୍ଷାକୃତ ସୁଦୃଢ଼ ହେବ। ତା’ଛଡ଼ା ରାଜନଗର, ଆଳି ଓ କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରେ ବୈଜୟନ୍ତ ନିଜର ସଂଗଠନ ରଖିଥିବାବେଳେ ବିରୋଧୀ ଶିବିରରେ ଥିବା ନେତାମାନେ ତାଙ୍କ ସହ ଯୋଗସୂତ୍ରରେ ରହିଥିବାରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପୁଣି ନିର୍ବାଚନ ଜିଣିବା ତାଙ୍କ ପାଇଁ ସହଜ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୧୯ବର୍ଷର ବିଜେଡି ସରକାର ପ୍ରତି ଥିବା କ୍ଷମତାବିରୋଧୀ ହାୱାର ଫାଇଦା ମଧ୍ୟ ଚଳିତଥର ବିଜେପିକୁ ମିଳିବ ବୋଲି ଆକଳନ କରାଯାଉଛି।

କେବଳ ସେତିକି ନୁହେଁ ବିଜୟ ଓ ଦାମଙ୍କ ଦୀର୍ଘ ରାଜନୀତିକ ଅଭିଜ୍ଞତା ଏବଂ ବିଜୟ-ବୈଜୟନ୍ତଙ୍କ ରଣନୀତି ହିଁ ବିଜେପି ପାଇଁ ଏବେ ଆଶୀର୍ବାଦ ସାବ୍ୟସ୍ତ ହେବାର ଯଥେଷ୍ଟ ସଂକେତ ମିଳୁଛି। ଯାହାର ଫାଇଦା ବିଜେପିକୁ ଉପକୂଳ ଓଡ଼ିଶାର ବିଭିନ୍ନ ଆସନରେ ମିଳିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।



from Odisha Reporter https://ift.tt/2V1g1qR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages