
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେହି ପରିମାଣରେ ସରଗରମ ହେବାରେ ଲାଗିଛି। ଦଳଡିଆଁ ରୋଗ ଚରମସୀମାରେ ପହଞ୍ଚି ଥିବା ବେଳେ ଆରୋପ, ପ୍ରତ୍ୟାରୋପ ରାଜନୀତି ବ୍ୟାପକ ହୋଇଛି। ନିଜ ସରକାରର ସଫଳତାକୁ ଦଳ ତୁଣ୍ଡ ବାଇଦ କରୁଥିବା ବେଳେ ବିରୋଧୀଙ୍କ ବିଫଳତାକୁ ଜନତାର କାଠଗଡ଼ାରେ ଛିଡ଼ା କରୁଛି। ଏହାରି ଭିତରେ ଓଡ଼ିଶାରେ ଆଜି ଆଉ ଏକ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ଆଉ ସେଇଟା ହେଉଛି ‘ପ୍ରଶ୍ନ ରାଜନୀତି’।
କୋଲବ୍ଲକ ଆବଣ୍ଟନରେ ଦୁର୍ନୀତି ଅଭିଯୋଗକୁ ନେଇ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରଶ୍ନ-ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ କାଳବିଳମ୍ବ ନକରି ନିଜ ମୁଖିଆଙ୍କ ଉପରକୁ ଆସିଥିବା ବାଣକୁ ପ୍ରତିହତ କରିବାକୁ ବିଜେଡିମଧ୍ୟ ଏକାଧିକ ପ୍ରଶ୍ନର ଢାଲ ଧର୍ମେନ୍ଦ୍ରଙ୍କ ଆଗରେ ଥୋଇ ଦେଇଛି।
ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ବେଆଇନ୍ କୋଲବ୍ଲକ ଆବଣ୍ଟନ ଅଭିଯୋଗକୁ ନେଇ ୩ଟି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଶ୍ନ ହେଉଛି ସିବିଆଇ ଏତଲା ଅନୁସାରେ ନବୀନ ପଟ୍ଟନାୟକ କେନ୍ଦ୍ର ଖଣି ମନ୍ତ୍ରୀ ଥିବା ବେଳେ ଭୂତ କମ୍ପାନୀକୁ କୋଲବ୍ଲକ ଦିଆଯାଇଛି। ଏପରିକି ୧୯୯୯ ମସିହାରେ ରେଜିଷ୍ଟ୍ରେସନ ହୋଇଥିବା ଜି.ଡି. ନାଗାଙ୍କ କମ୍ପାନୀକୁ ୧୯୯୮ରେ କୋଲବ୍ଲକ ଦିଆଯାଇଛି। ତେଣୁ ଜି.ଡି ନାଗା କିଏ ନବୀନ କୁହନ୍ତୁ ? ସେହିପରି ଦ୍ୱିତୀୟ ପ୍ରଶ୍ନ ହେଉଛି ବେଆଇନ୍ କୋଲବ୍ଲକ ଆବଣ୍ଟନ ଅଭିଯୋଗ ପ୍ରସଙ୍ଗକୁ ନେଇ ସିବିଆଇ ଆପଣଙ୍କୁ (ନବୀନ) ୨୦୧୭ ନଭେମ୍ବର ୨୫ରେ ଜେରା କରିଛି କି ନାହିଁ ? ତୃତୀୟ ପ୍ରଶ୍ନଟି ହେଉଛି ସିବିଆଇ ତଦନ୍ତ କଥା କାହିଁକି ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ? ତେବେ ଧର୍ମେନ୍ଦ୍ରଙ୍କ ଏପରି ଟାର୍ଗେଟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର ଧର୍ମେନ୍ଦ୍ର ପ୍ରଶ୍ନ କରି ଏତେ ଦିନ ଚୁପ୍ ରହିଥିଲ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି। ଧର୍ମେନ୍ଦ୍ର ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ବଦଳରେ ବିଜେଡି ତାଙ୍କୁ ପାଲଟା ପ୍ରଶ୍ନ କରିଛି। ଦଳ ପକ୍ଷରୁ କୁହାଯାଇଛି, ବ୍ୟାପମ ଅଭିଯୁକ୍ତ ସୁଧୀର ଶର୍ମା ସହ ସମ୍ପର୍କ ଅଛି କି ନାହିଁ କେନ୍ଦ୍ରମନ୍ତ୍ରୀ କୁହନ୍ତୁ। ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନର ତଦନ୍ତ ସିବିଆଇ ଦୁଇ ବର୍ଷ ହେଲା କରୁଛି, ହେଲେ ଫଳ ଶୂନ୍ୟ। ଲକ୍ଷ୍ମୀଦତ୍ତ ହତ୍ୟା ଅଭିଯୁକ୍ତଙ୍କ ପାଇଁ ଗେଷ୍ଟ ହାଉସ ବୁକିଂରେ ଲିଙ୍କ୍ ଅଛି କି ନାହିଁ ଧର୍ମେନ୍ଦ୍ର ଜଣାନ୍ତୁ। କଟକର ୨ ଗ୍ୟାଙ୍ଗଷ୍ଟରଙ୍କ ସହ କି ସଂପର୍କ ଥିଲା କି ନାହିଁ ଧର୍ମେନ୍ଦ୍ର ସ୍ପଷ୍ଟ କରନ୍ତୁ। ଏହାସହ ତାଙ୍କ ଭାଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ହେଲା କି ଜଣାନ୍ତୁ ?
from Odisha Reporter https://ift.tt/2CJfaDV
No comments:
Post a Comment